Latest Odisha News

BREAKING NEWS

ଶ୍ରୀଲେଦର୍ସ ସୋ’ରୁମରେ ହୁତୁହୁତୁ ଜଳିଲା ନିଆଁ: ରାଜମହଲ ଛକରେ ଆତଙ୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସହରର ସବୁଠାରୁ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ ଜଣାଶୁଣା ରାଜମହଲ ଛକ ନିକଟରେ ଥିବା ପ୍ରସିଦ୍ଧ ଜୋତା ସୋରୁମ ‘ଶ୍ରୀଲେଦର୍ସ’ରେ ଆଜି ସକାଳୁ ସକାଳୁ ନିଆଁ ଲାଗିଯାଇଛି। ଭୋର ପ୍ରାୟ ୫ଟା ସମୟରେ ଏହି ଅଘଟଣ ଘଟିଥିବା ବେଳେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଆତଙ୍କିତ ହୋଇପଡ଼ିବା ସହ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

 

ଘଟଣାର ଗମ୍ଭୀରତାକୁ ଦେଖି ଭୁବନେଶ୍ୱର ଫାୟାର ଷ୍ଟେସନର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଅଧିକ ଥିବାରୁ ପରବର୍ତ୍ତୀ ସମୟରେ ସେକ୍ରେଟାରିଏଟ୍ ଫାୟାର ଷ୍ଟେସନ୍ ଏବଂ ସିଆର୍‌ଏସ୍‌ଏଫ୍‌ଏଫ୍‌ର ଅତିରିକ୍ତ ଟିମ୍‌କୁ ମଧ୍ୟ ଡକାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବେ ଚାରିପାଖରୁ ପାଣି ମାଡ଼ କରି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ସଫଳ ହୋଇଥିଲେ। ଭୋର ସମୟ ହୋଇଥିବାରୁ ଏବଂ ସୋ’ରୁମ ବନ୍ଦ ଥିବାରୁ ଏକ ବଡ଼ ବିପଦ ଟଳିଯାଇଛି ଏବଂ ଏହି ଦୁର୍ଘଟଣାରେ କୌଣସି ମୃତାହତ ବା ଆହତ ହୋଇନଥିବା ସୂଚନା ମିଳିଛି।

 

ଅଗ୍ନିକାଣ୍ଡ ଯୋଗୁଁ ସୋ’ରୁମ ଭିତରେ ଥିବା ବିପୁଳ ପରିମାଣର ଜୋତା, ଚପଲ ଏବଂ ଅନ୍ୟାନ୍ୟ ଚମଡ଼ା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ସୋ’ରୁମର ମାଲିକ ଜ୍ଞାନେନ୍ଦ୍ର ବେହରା ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ଏବଂ ଏଥିରେ କେତେ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ତାହାର ପ୍ରକୃତ ଆକଳନ ପାଇଁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.