Latest Odisha News

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ

ଭୁବନେଶ୍ବର : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ଅଗଷ୍ଟ ମାସରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଆଜି ଯାଜପୁର ବିରଜା ହାଇସ୍କୁଲରେ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସାରା ରାଜ୍ୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଥିବା ବେଳେ, ଦ୍ବିତୀୟ ପର୍ଯ୍ୟାୟରେ ବିଜୁ ବାବୁଙ୍କ ଜୟନ୍ତୀ ୨୦୨୨ ମାର୍ଚ୍ଚ ସୁଦ୍ଧା ୩୩୦୦ ସ୍କୁଲର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆଜି କୋରାପୁଟ, ଗଜପତି, ଢେଙ୍କାନାଳ, ଅନୁଗୁଳ, ବରଗଡ ଓ ଯାଜପୁର ଜିଲ୍ଲାର ୨୪୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ପିଲାମାନେ ଦେଖିଥିବା ସ୍ବପ୍ନକୁ ସାକାର କରିବାରେ ସହଯୋଗ କରିବା ହେଉଛି ଆମ ସମସ୍ତଙ୍କର ମିଳିତ ଦାୟିତ୍ବ । ଏବଂ 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମସ୍ତଙ୍କର ମିଳିତ ସହଯୋଗର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରୂପାନ୍ତର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ତଥା ପିତାମାତା ଏବଂ ଅଭିଭାବକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ । ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି ।

କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା ଓ ଭବିଷ୍ୟତର ଲକ୍ଷ୍ୟ ସଂପର୍କରେ କହିଥିଲେ । କୋରାପୁଟର ତପସ୍ବିନୀ ମହାପାତ୍ର, ଗଜପତିରି ମର୍ଣ୍ଣିକା ରାଇତା, ଢେଙ୍କାନାଳର ଶୁଭସ୍ମିତା ସାହୁ, ଅନୁଗୁଳର ଶ୍ରେୟାଂସା ପ୍ରଧାନ, ବରଗଡର ସ୍ମୃତିରେଖା ସାହୁ ଓ ଯାଜପୁରର ରଶ୍ମିରେଖା ମିଶ୍ର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ, ସ୍କୁଲ ରୂପାନ୍ତରଣ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛି ଏବଂ ସରକାରୀ ସ୍କୁଲରେ ପାଠ ପଢିବାର ଗୌରବ ଆଜି ଆମେ ଅନୁଭବ କରୁଛୁ । ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବାରୁ, ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସାଂସଦ ମହେଶ ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଛି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.