Latest Odisha News

ଡିସେମ୍ବର ପହିଲାରୁ ଭୁବନେଶ୍ୱର ସହ ୩ ସହରରେ ଡିଜିଟାଲ୍ ମୁଦ୍ରା କାରବାର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରି ପାରିବେ ଲୋକ । ଏନେଇ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ ସହରରେ ଆରମ୍ଭ ହେବ ଖୁଚୁରା ଡିଜିଟାଲ୍ ମୁଦ୍ରା କାରବାର । ପାଇଲଟ୍ ପ୍ରୋଜେକ୍ଟ ତାଲିକାରେ ଓଡ଼ିଶାର ଭୁବନେଶ୍ୱର ସହ ମୁମ୍ବାଇ, ନୂଆଦିଲ୍ଲୀ, ବେଙ୍ଗଳୁରୁ ସହର ରହିଛି ।

ପରେ ଆରବିଆଇ ଖୁଚୁରା ଡିଜିଟାଲ୍ ମୁଦ୍ରା କାରବାର ଅହମଦାବାଦ, ଗ୍ୟାଙ୍ଗଟକ୍, ଗୁଆହାଟି, ହାଇଦ୍ରାବାଦ, ଇନ୍ଦୋର, କୋଚି, ଲକ୍ଷ୍ନୌ, ପାଟଣା ଓ ଶିମଳାରେ ଆରମ୍ଭ କରିବ । ପରେ ଆବଶ୍ୟକତା ଅନୁସାରେ ଅନ୍ୟ ସହର ଏବଂ ବିଭିନ୍ନ ବ୍ୟାଙ୍କକୁ ଏଥିରେ ଯୋଡ଼ା ଯିବ ବୋଲି ଆରବିଆଇ ପକ୍ଷରୁ କୁହା ଯାଇଛି ।

ଏବେ ଡିଜିଟାଲ୍ ମୁଦ୍ରା କାରବାର ପାଇଁ ୮ଟି ବ୍ୟାଙ୍କକୁ ଆରବିଆଇ ଚୟନ କରିଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ବ୍ୟାଙ୍କକୁ ନେଇ ଆରବିଆଇ ଡିଜିଟାଲ୍ ମୁଦ୍ରା କାରବାର ଆରମ୍ଭ କରିବ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟସ୍ ବ୍ୟାଙ୍କ ଓ ଆଇଡିଏଫସି ବ୍ୟାଙ୍କକୁ ସାମିଲ୍ କରାଯାଇଛି । ପରବର୍ତ୍ତୀ ସମୟରେ ବ୍ୟାଙ୍କ୍ ଅଫ ବରୋଦା, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ସାମିଲ୍ କରାଯିବ ।

ଆରବିଆଇର ଇ-ମୁଦ୍ରା ଡିଜିଟାଲ୍ ଟୋକନ୍ ଭାବେ ଉପଲବ୍ଧ ହେବ । କାଗଜ ନୋଟ୍ ଭଳି ଡିଜିଟାଲ୍ ମୁଦ୍ରାର ମୂଲ୍ୟ ସମାନ ରହିବ । ଡିଜିଟାଲ୍ ଟଙ୍କାକୁ ଚୟନ କରାଯାଇଥିବା ବ୍ୟାଙ୍କର ଗ୍ରାହକ ଡିଜିଟାଲ୍ ୱାଲେଟରେ ରଖି ପାରିବେ । ଡିଜିଟାଲ ଟଙ୍କାକୁ ବ୍ୟକ୍ତିଗତ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇ ପାରିବ । କ୍ୟୁଆର୍ କୋଡ୍ ସ୍କାନ କରି ମଧ୍ୟ ବ୍ୟବହାର କରି ହେବ ଡିଜିଟାଲ ଟଙ୍କା ।

ଡିଜିଟାଲ୍ ଟଙ୍କା ଉପଲବ୍ଧ ହେବା ପରେ ଆପଣଙ୍କୁ ଆଉ ସାଙ୍ଗରେ ନଗଦ ଅର୍ଥ ଧରି ବୁଲିବାକୁ ପଡ଼ିବ ନାହିଁ । ତେବେ ଡିଜିଟାଲ୍ ୱାଲେଟରେ ରହୁଥିବା ଟଙ୍କାରେ ଆପଣଙ୍କୁ ବ୍ୟାଙ୍କରେ ଜମା ଅର୍ଥ ଉପରେ ମିଳୁଥିବା ସୁଧ ମିଳିବ ନାହିଁ । ନଭେମ୍ବର ୧ରେ ଆରବିଆଇ ଡିଜିଟାଲ୍ ଟଙ୍କାକୁ ବ୍ୟବସାୟିକ କାରବାର ପାଇଁ ଆରମ୍ଭ କରିଥିଲା ।

Leave A Reply

Your email address will not be published.