ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି । ୧୦ଟା ୨୦ ମିନିଟ୍ ସମୟରେ ଅହମଦାବାଦରୁ ଆସିଥିବା ୭ ସିଟ୍ ବିଶିଷ୍ଟ ଟୁ-ବି ବିମାନ ବାସୁଦେବପୁର ବ୍ଲକ୍ ବାଲିମୁଣ୍ଡାଠାରେ ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲା ।
ପ୍ରଥମେ ଆଦାନୀ କମ୍ପାନୀର ଉପସଭାପତି ମହେନ୍ଦ୍ର ମେକୱାନ୍ ବିମାନବନ୍ଦରରେ ଓହ୍ଲାଇଥିଲେ । ଏହାପରେ ସେଠାରେ ଥିବା ଧାମରା ବନ୍ଦର କର୍ତ୍ତୃପକ୍ଷ ମେକୱାନ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।
ଆଜି ପ୍ରଥମ ବିମାନ ଅବତରଣ ପରେ କମ୍ପାନୀ କର୍ତ୍ତୃପକ୍ଷ ବିମାନବନ୍ଦରର ବିଭିନ୍ନ ଦିଗ ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ପ୍ରାୟ ଅଧଘଣ୍ଟା ଧରି ଚାଲିଥିଲା । ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି ।
ଆଲୋଚନା ପରେ ବିମାନଟି ପୁଣି ଗନ୍ତବ୍ୟ ପଥରେ ଉଡ଼ାଣ ଭରିଥିଲା ।
ସୂଚନାଯୋଗ୍ୟ, ଧାମରା ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ କଳକାରଖାନା ସ୍ଥାପନ ପାଇଁ ବାଲିମୁଣ୍ଡାଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ୨୦୧୭ ମସିହାରେ ଆଦାନୀ ଗ୍ରୁପକୁ ଅନୁମତି ମିଳିଥିଲା । ସେଢେ ତିନି କିଲୋମିଟର ରନୱେ ନିର୍ମାଣ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨୦୦ ମିଟର ରନୱେ ନିର୍ମାଣ କରାଯାଇଛି । ଯାହାଦ୍ବାରା ଏଠାରେ ଛୋଟ ବିମାନ ଅବତରଣ କରିପାରିବ ।
Comments are closed.