Latest Odisha News

BREAKING NEWS

ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପଲୁରୁ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ରବିବାର ରାତିରେ ନିରାପତ୍ତା ଯବାନଙ୍କ ସହ ଏନକାଉଣ୍ଟର ଘଟି ଜଣେ ମହିଳା କ୍ୟାଡ଼ରଙ୍କ ସମେତ ୫ଜଣ ମାଓବାଦୀ ନିହତ ହୋଇଛନ୍ତି ।

ଏହି ଏନକାଉଣ୍ଟର୍ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଏଡ଼ିଜି (ଅପରେସନ), ଆର.ପି କୋଚେ ଗଣମାଧ୍ୟମକୁ କହିଛନ୍ତି, “ଚିତ୍ରକୋଣ୍ଡା ବ୍ଳକର ଏକ ଜଙ୍ଗଲରେ ଅନେକ କ୍ୟାଡ଼ର୍ ଥିବା ମାଓବାଦୀ ଗ୍ରୁପ ଲୁଚି ରହିଥିବାର ଖବର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲୁ । ଓଡ଼ିଶା ପୋଲିସ ଓ ସ୍ପେଶାଲ୍ ଅପରେସନ ଗ୍ରୁପ (ଏସଓଜି)ର ମିଳିତ ଉଦ୍ୟମରେ ଶନିବାର ରାତିରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।”

“ଜଙ୍ଗଲ ମଧ୍ୟରେ ଏହି ସର୍ଚ୍ଚ ଅପରେସନ ଚାଲିଥିବା ବେଳେ, ମାଓବାଦୀମାନେ ନିରାପତ୍ତା ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ରାତି ତମାମ ଗୁଳିଗୋଳା ଚାଲିଥିବା ବେଳେ ଜଣେ ମହିଳା କ୍ୟାଡ଼ର ଙ୍କ ସହିତ ସମୁଦାୟ ୫ ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଥିଲେ । ନିରାପତ୍ତା ଯବାନଙ୍କ ଦ୍ୱାରା ଆଜି ସକାଳେ ଏକ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହିତ ସେଠାରୁ ୨ଟି ଇନସାସ୍ ରାଇଫଲ, ଗୋଟିଏ ସେଲ୍ଫ ଲୋର୍ଡିଂ ରାଇଫଲ ଏବଂ ଗୋଟିଏ ୩୦୩ ରାଇଫଲ ଜବତ ହୋଇଛି,”ବୋଲି ଏଡ଼ିଜି କୋଚେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ମାଓବାଦୀମାନେ ଏହି ଏନକାଉଣ୍ଟରରେ ନିହତ ହୋଇଛନ୍ତି ସେମାନେ କାଲିମେଳା ଦଳମର ସଦସ୍ୟ ଏବଂ ସେମାନଙ୍କର ନେତା ରଣଦେବ କୌଣସି ଆଘାତ ବିନା ଖସି ଚାଲିଯିବାକୁ ସକ୍ଷମ ହୋଇଛନ୍ତି ।

ଗଣମାଧ୍ୟମକୁ ଅଧିକ ସୂଚନାଦେଇ ଏଡ଼ିଜି କହିଛନ୍ତି, ଏପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ଗୁଳିଗୋଳା ଜାରି ରହିଛି । ଏହି ଘଟଣା ପରେ ସମଗ୍ର ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅତିରିକ୍ତ ବିଏସଏଫ ଓ ଅଧିକ ଏସଓଜି ଯବାନଙ୍କୁ ମୁତୟନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ମାଓବାଦୀମାନେ କାଳେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଦେଇ ଖସି ଚାଲିଯିବେ ସେଥିଲାଗି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି ।

ଏହାଛଡ଼ା, ମାଓବାଦୀଙ୍କ ସହିତ ଏହି ଏନକାଉଣ୍ଟର ଲାଗି ଅଧିକ ଏସଓଜି ଯବାନଙ୍କୁ ଡ଼କାଯାଇଛି । ଅଧିକ ସଂଖ୍ୟକ ମାଓବାଦୀମାନେ ପପଲୁରୁ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବାର ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳକୁ ଟ୍ରାକ୍ କରାଯାଉଛି, ବୋଲି ଏଡ଼ିଜି କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ ଡ଼ାଇରେକ୍ଟର ଜେନେରାଲ (ଡ଼ିଜିପି) ଆର.ପି ଶର୍ମା କହିଛନ୍ତି, “ଓଡ଼ିଶା ପୋଲିସ ଲାଗି ଏହା ଏକ ବଡ଼ ସଫଳତା ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମାଓବାଦୀଙ୍କ ସହିତ ହୋଇଥିବା ସମସ୍ତ ଅପରେସନ ଠାରୁ ଏହା ସର୍ବଶ୍ରେଷ୍ଠ ଅପରେସନ” ।

ଗଣମାଧ୍ୟମକୁ ସୂଚନା ଦେଇ ଡ଼ିଜିପି କହିଛନ୍ତି, ସମସ୍ତ ମାଓବାଦୀଙ୍କୁ ଧରାଯିବା ପର୍ଯ୍ୟନ୍ତ ଏହି ସର୍ଚ୍ଚ ଅପରେସନର ଜାରି ରହିବ ।

Leave A Reply

Your email address will not be published.