ରାଉରକେଲା: ହକିର ଉନ୍ନତି ତଥା ପ୍ରସାର ଲାଗି ସୁନ୍ଦରଗଡ଼ ଜିଲ୍ଲାର ଅବଦାନ ପ୍ରଶଂସନୀୟ ତେଣୁ ଜିଲ୍ଲାର ୧୭ଟି ବ୍ଲକରେ ଆଷ୍ଟ୍ରୋ ଟପ୍ ବା ଅତ୍ୟାଧୁନିକ ଗାଲିଚା ପଡ଼ିଆର ବ୍ୟବସ୍ଥା କରାଯିବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
“ସମଗ୍ର ଦେଶରେ ସବୁଠୁ ଅଧିକ ଆଷ୍ଟ୍ରୋ ଟର୍ଫ ଥିବା ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲା ପରିଗଣିତ ହେବାକୁ ଯାଉଛି,”ରାଉରକେଲାଠାରେ ଓଡ଼ିଶା ଏକାଦେଶ ଏବଂ ନ୍ୟୁ ସାଉଥୱେଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ହକି ପ୍ରଦର୍ଶନୀ ମ୍ୟାଚ ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସ୍ଥାନୀୟ ‘ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ’ରେ ନ୍ୟୁ ସାଉଥୱେଲ୍ସ ଟିମ୍ ବିପକ୍ଷରେ ଓଡ଼ିଶା ଏକାଦଶ କଡ୍ଡା ମୁକାବିଲାର ସମ୍ମୁଖୀନ ହୋଇଥିଲା ।
ଏହି ସଂଘର୍ଷପୂର୍ଣ୍ଣ ପ୍ରଦର୍ଶନୀ ହକି ସିରିଜକୁ ଓଡ଼ିଶା ଦଳ ୩-୨ରେ ଜିତିପାରିଛି ।
ଖେଳାଯାଇଥିବା ଏହି ଚୂଡ଼ାନ୍ତ ମ୍ୟାଚଟି ପେନାଲଟି ସୁଟଆଉଟ ହୋଇ ଖେଳ ସମାପ୍ତ ହୋଇଥିଲା । ଘରୋଇ ଦଳ ୫-୪ ସ୍କୋରରେ ବିଜୟ ହାସଲ କରି ସିରିଜ୍ ଜିତିବାକୁ ସକ୍ଷମ ହୋଇଥିଲେ ।
ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏବଂ ରାଉରକେଲା ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ମ୍ୟାଚଟି ଦେଖିବାକୁ ଷ୍ଟାଡ଼ିୟମ ଭରପୁର ହୋଇଯାଇଥିଲା । ଉଭୟଦଳକୁ ଉତ୍ସାହୀ ଦର୍ଶକମାନେ ଉତ୍ସାହିତ କରୁଥିବା ଦେଖାଯାଇଥିଲା ।
ମ୍ୟାଚ ଶେଷରେ ଉନ୍ନତ ଖେଳ ପ୍ରଦର୍ଶନ ଲାଗି ନ୍ୟୁ ସାଉଥ ୱେଲ୍ସ ଟିମର କ୍ୟାପଟେନ କର୍ଟ ଲୋଭେଟଙ୍କୁ ‘ମ୍ୟାନ ଅଫ ଦି ମ୍ୟାଚ’ ଏବଂ ଓଡ଼ିଶା ଏକାଦଶ ଖେଳାଳି ରୋଶନ ମିଞ୍ଜଙ୍କୁ ‘ମ୍ୟାନ ଅଫ ଦି ସିରିଜ’ ଘୋଷିତ କରାଯାଇଥିଲା ।
Comments are closed.