Latest Odisha News

BREAKING NEWS

୧୧ ବାଘ ଶିକାରୀ ଗିରଫ; ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ବାଦଗଡ଼ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଗତ ତିନି ତାରିଖରେ ବନ ବିଭାଗ ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ ବାଦଗଡ଼ ଗାଁର ୧୧ ଜଣ ବ୍ୟକ୍ତି ଜଙ୍ଗଲରେ ଏକ କଲରା ପତରିଆ ବାଘ ଶିକାର କରିବା ପରେ ବାଘ ଛାଲ ଏବଂ ନଖ ବାହାର କରି ମାଂସ ଭାଗ ବାଣ୍ଟିଥିଲେ ।

ବିଶ୍ବସ୍ତ ସୂତ୍ରରୁ ଖବରପାଇ ବାରବା ଏବଂ ରାଇକିଆ ବନ ବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଘଟଣାସ୍ଥଳରୁ ୧୧ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ଆଜି ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ୍ ଓ ଏସଟିଏଫ୍ ଟିମ୍ ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ ।

Leave A Reply

Your email address will not be published.