Latest Odisha News

BREAKING NEWS

ହେମାନନ୍ଦଙ୍କ ସୁନ୍ଦରଗଡ଼ ରାଜନୀତି: ସାନଝିଅ କଂଗ୍ରେସରୁ ବିଧାନସଭା ଓ ବଡ଼ଝିଅ ବିଜେଡ଼ିରୁ ଲୋକସଭା ନିର୍ବାଚନ ଲଢିବେ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଗତ କିଛି ବର୍ଷ ହେଲା ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରେ ଅନ୍ତର୍ଦ୍ଧାନ ହୋଇପଡ଼ିଥିବା ଭଳି ଲାଗୁଥିଲେ ମଧ୍ୟ ୨୦୧୯ ବିଧାନସଭା ନିର୍ବାଚନ ଆରମ୍ଭରୁ ବେଶ୍ ଚର୍ଚ୍ଚାରେ ରହିଆସୁଛନ୍ତି । ନିଜେ ନିଜ ଲାଗି ଯେତେ ଚର୍ଚ୍ଚିତ ନୁହନ୍ତି ବରଂ ନିଜର ଦୁଇ ଝିଅଙ୍କ ନିର୍ବାଚନରେ ଅଶଂଗ୍ରହଣ ସମଗ୍ର ରାଜ୍ୟରେ ଏବେ ପାଲଟିଛି ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ । ବଡ଼ଝିଅ ସୁନୀତା ବିଶ୍ୱାଳ ବିଜେଡ଼ି ଟିକଟରେ ସୁନ୍ଦରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବେଳେ ସାନଝିଅ କଂଗ୍ରେସ ଟିକଟରେ ସୁନ୍ଦରଗଡ଼ ବିଧାନସଭା ଆସନରେ ନିର୍ବାଚନ ଲଢିବେ ।

ଏଆଇସିସି ପକ୍ଷରୁ ଶନିବାର ଦିନ ରାତିରେ ଓଡ଼ିଶା ଲାଗି ଯେଉଁ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ସେଥିମଧ୍ୟରେ ସୁନ୍ଦରଗଡ଼ ବିଧାନସଭା ଆସନ ଲାଗି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ସାନଝିଅ ଅମିତା ବିଶ୍ୱାଳଙ୍କ ନାମ ରହିଛି । ତେବେ ସୁନ୍ଦରଗଡ଼ ଲୋକସଭା ଆସନ ଲାଗି ବିଜେଡ଼ି ପକ୍ଷରୁ ବଡ଼ଝିଅ ସୁନୀତା ବିଶ୍ୱାଳଙ୍କ ନାମ ପୂର୍ବରୁ ଘୋଷିତ ହୋଇଛି ।

ଏହି ସାଧାରଣ ନିର୍ବାଚନରେ ଗୋଟିଏ କଥା ଲକ୍ଷ୍ୟ କରାଯାଇଛି । ପୂର୍ବ ନିର୍ବାଚନ ଗୁଡ଼ିକ ପରି ଏଥର ମଧ୍ୟ ପରିବାରର ଅନେକ ସଦସ୍ୟ ନିର୍ବାଚନ ବୈତରଣୀରେ ଏକସଙ୍ଗେ ଝାସ ଦେବାର । ଯେପରିକି ବଲାଙ୍ଗୀର ଲୋକସଭା ଆସନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର, ଭବାନୀପାଟଣାରେ ଭକ୍ତ ଦାସଙ୍କ ପୁଅ ସାଗର ପ୍ରତାପ ଦାସଙ୍କୁ ଟିକଟ ମିଳିଛି । ସେହିପରି କୋରାପୁଟ ଆସନରୁ ପୂର୍ବତନ ନେତା ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ ସପ୍ତଗିରି ଉଲ୍ଲାକା ପ୍ରାର୍ଥୀ ହୋଇଛନ୍ତି ।

ଆଗକୁ କଂଗ୍ରେସ, ବିଜେପି ଓ ଶାସକ ବିଜେଡ଼ି ପକ୍ଷରୁ ଅବଶିଷ୍ଟ ବିଧାନସଭା ଏବଂ ଲୋକସଭା ଆସନ ଗୁଡ଼ିକର ପ୍ରାର୍ଥୀ ତାଲିକା ଘୋଷଣା ହେବାର ରହିଛି, ଏହି ତାଲିକାରେ ଏହି ସମସ୍ତ ଦଳର କେତେକ ବରିଷ୍ଠ ନେତାଙ୍କ ସନ୍ତାନ ସନ୍ତତି ମଧ୍ୟ ନୂତନ ଭାବେ ନିର୍ବାଚନ ଲଢିବାକୁ ଅଣ୍ଟାଭିଡ଼ିଥିବାର କଳ୍ପନାଜଳ୍ପନା ଚାଲିଛି ।

ତାଲିକା ଘୋଷଣା ହେବା ପରେ ଜଣାପଡ଼ିବ କେଉଁ ନେତାମାନଙ୍କ ପୁଅ-ଝିଅ ନିର୍ବାଚନ ଲଢୁଛନ୍ତି ଏବଂ କେତେ ଯୋଡ଼ି ବାପ-ପୁଅ ଓ ବାପା-ଝିଅ ଯୋଡ଼ି ଏହି ନିର୍ବାଚନରେ ଅବତୀର୍ଣ୍ଣ ହେଉଛନ୍ତି ।

Leave A Reply

Your email address will not be published.