Latest Odisha News

ପଦ୍ମ ଧରିଲେ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : କନ୍ଧମାଳ ସାଂସଦ ପ୍ରତ୍ୟୁଷା ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରତ୍ୟୁଷା ।

ଏହି ଅବସରରେ କେଭିଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କନକ ବର୍ଦ୍ଧନ ସିଂହଦେଓ ଏବଂ ନୟାଗଡରୁ ବିଜେପି ଟିକେଟ ପାଇଥିବା ଇରାନୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

କନ୍ଧମାଳ ଟିକେଟ କଟିବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଓପିସିସି ସଭାପତି ନିରଞ୍ଜନଙ୍କୁ ଭେଟି କଂଗ୍ରେସ ଟିକେଟରୁ ନୟାଗଡ ବିଧାନସଭା ଆସନରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହାବ୍ୟତିତ ମାର୍ଚ୍ଚ ୨୩ ତାରିଖରେ ସେ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ଥିଲା ।

ତେବେ ହଠାତ୍ ବଦଳିଗଲା ସମୀକରଣ । ରାଜ ପରିବାରର କାର୍ଡ ଖେଳିଲେ ପାଟଣଗଡର ମହାରାଜ କନକ ବର୍ଦ୍ଧନ ସିଂହେଦେଓ । ନୟାଗଡ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ବିଜେପିରେ ସାମିଲ କରିବାରେ ପ୍ରମୁଖ ଭୂମିକା ନେଲେ କନକବର୍ଦ୍ଧନ ସିଂହଦେଓ । ସେପଟେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରତ୍ୟୁଷାଙ୍କୁ ବିଜେପିରେ ସାମିଲ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ତେବେ ପ୍ରତ୍ୟୁଷା ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ନୟାଗଡ ଆସନ ଲାଗି ବିଜେପି ପ୍ରାର୍ଥୀ ଇରାନୀ ରାୟଙ୍କୁ ସହଯୋଗ କରିବେ ନା କନ୍ଧମାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ସେ ଚିତ୍ର ସ୍ପଷ୍ଟ ହୋଇନାହିଁ । କାରଣ ଏଯାବତ୍ କନ୍ଧମାଳ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ଯଦି ପ୍ରତ୍ୟୁଷା କନ୍ଧମାଳରୁ ବିଜେପିର ପ୍ରାର୍ଥୀ ହୁଅନ୍ତି ତେବେ ସେ ସିଧାସଳଖ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ଅ୍ରଚ୍ୟୁତ ସମାନ୍ତଙ୍କୁ । ଆହୁରି ମଧ୍ୟ ଦଳ ତାଙ୍କୁ ଯାହା କାର୍ଯ୍ୟ ଦେବେ ସେ ମାନିବେ ବୋଲି ପ୍ରକାଶ କରିଛନ୍ତି ପ୍ରତ୍ୟୁଷା ।

Leave A Reply

Your email address will not be published.