Latest Odisha News

BREAKING NEWS

ଜିତାଇ ପାରିବନି ରାମମନ୍ଦିର ! ବିଜେପି ସାଂସଦ ଖୋଲିବେ କଲ ସେଣ୍ଟର

ଭୁବନେଶ୍ୱର: କେବଳ ରାମମନ୍ଦିରକୁ ପ୍ରସଙ୍ଗ କରି ଆଗାମୀ ଲୋକସଭା ନିର୍ବାଚନ ଜିତିହେବ ନାହିଁ। ତେଣୁ ଦଳୀୟ ନେତା ଓ ସାଂସଦମାନଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ସମାଧାନ ସହ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ପଡିବ।

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ମେଣ୍ଟର ସାଂସଦମାନଙ୍କୁ ଏଭଳି କିଛି ପରାମର୍ଶ ଦେଇଥିବା କୁହାଯାଉଛି। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

କେନ୍ଦ୍ର ସରକାରଙ୍କ ଯୋଜନା ସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତି ସଂସଦୀୟ କ୍ଷେତ୍ରରେ କଲ ସେଣ୍ଟର କରିବାକୁ ମୋଦି ଦଳୀୟ ସାଂସଦ ମାନଙ୍କୁ କହିଛନ୍ତି।

ବିରୋଧୀ ମାନଙ୍କ ଦ୍ୱାରା କେନ୍ଦ୍ର ବିରୋଧରେ ପ୍ରଚାରକୁ ମାତ ଦେବାକୁ ସରକାରର ଯୋଜନାର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୋଦି ଫୋକସ କରିଛନ୍ତି।

ଏନଡିଏର ସାଂସଦମାନଙ୍କ ସହ ବୈଠକ ନେଉଥିବା ବେଳେ ସେ ଏ କଥା କହିଛନ୍ତି। ବିଜେପି ପକ୍ଷରୁ ଏନଡିଏ ସାଂସଦ ମାନଙ୍କୁ ବିଭିନ୍ନ କ୍ଲଷ୍ଟରରେ ଭାଗ କରାଯାଇଥିବାବେଳେ ମୋଦି ସେମାନଙ୍କ ବୈଠକ ନେଉଛନ୍ତି।

ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବାରୁ କେନ୍ଦ୍ର ସରକାର କରିଥିବା କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ନିଜ ନିଜର ନିର୍ବାଚନ ମଣ୍ଡଳୀରେ ନୂଆ ପ୍ରକଳ୍ପ ନ କରି ଯାହା କରାଯାଇଛି ସେ ସବୁ କାର୍ଯ୍ଯକୁ ତ୍ବରାନ୍ବିତ କରିବା ସହ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି।

ଏପରିକି ଏହି କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଭାବେ ସୋସିଆଲ ମିଡିଆ ଟିମକୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି। ସାଂସଦ ମାନେ ଏହି ଟିମକୁ ବ୍ୟବହାର କରି ମୋଦି ସରକାରର ନଅ ବର୍ଷର ସଫଳତାକୁ ପ୍ରତି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା ହୋଇଛି।

ଆଗାମୀ ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ଶକ୍ତ ହେବା ସହ ବିଜେପିକୁ କଡା ଟକ୍କର ଦେବାକୁ ଆଗଉଛନ୍ତି। ଏପରିକି ଏନଡିଏ ସରକାର ବିରୋଧରେ ଆଗ୍ରେସିଭ ଢଙ୍ଗରେ ପ୍ରଚାର କରୁଛନ୍ତି ବିରୋଧୀ।

ଯାହାକୁ କାଉଣ୍ଟର କରିବାକୁ ପ୍ରତ୍ୟେକ ସାଂସଦଙ୍କୁ ବିଜେପି କାର୍ଯ୍ୟରେ ଲଗାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏନଡିଏର ସାଂସଦ ମାନଙ୍କୁ ଭେଟୁଥିବା ବେଳେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ।

ସେପଟେ ଆଗକୁ ଏ ସବୁ କାର୍ଯ୍ୟ କିଭଳି ହେଉଛି ତାକୁ ମଧ୍ୟ ତଦାରଖ କରାଯିବ ବୋଲି କୁହାଯାଉଛି।

Leave A Reply

Your email address will not be published.