Latest Odisha News

BREAKING NEWS

ବାଲେଶ୍ୱର ସଦରରେ ଏଥର ଜୀବନ ପ୍ରଦୀପ ଖେଳିବେ ଖେଳ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟରେ ଯେଉଁ କେତୋଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ହେଉଛି ସେଥିମଧ୍ୟରୁ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ୟତମ। ୨୦୧୯ ନିର୍ବାଚନରେ ଏହି ଆସନ ବିଜେପି ଦଖଲକୁ ଯାଇଥିଲା।

ଲଗାତର ଦୁଇଥର ବିଜେଡି ଟିକେଟରୁ ଜିତିଥିବା ଜୀବନ ପ୍ରଦୀପ ଦାସଙ୍କୁ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୧୩ ହଜାରରୁ ଅଧିକ ଭୋଟରେ ହରାଇଦେଇଥିଲେ। ୨୦୧୪ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମଦନ ମୋହନ ଦତ୍ତ ବିଜେଡିର ଜୀବନ ପ୍ରଦୀପ ଦାସଙ୍କ ଠାରୁ ୯ ହଜାର ୭୯୧ ଖଣ୍ଡ ଭୋଟରେ ହାରିଥିବା ବେଳେ ୨୦୧୯ ରେ କିନ୍ତୁ ବିଜୟ ବାନା ଉଡାଇଥିଲେ।

କିନ୍ତୁ ତାଙ୍କ ଦେହାନ୍ତ ପରେ ୨୦୨୦ ରେ ଉପନିର୍ବାଚନ ହୋଇଥିଲା। ବିଜେପି ମଦନ ମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିଲା।

ଜୀବନ ପ୍ରଦୀପ ଦାସଙ୍କ ବଦଳରେ ଦଳ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ। ବିଜେଡି ସହ ଭଲ ଲଢେଇ ଦେଇଥିଲେ ମଧ୍ୟ ବିଜେପି ନିଜ ସିଟକୁ ରଖି ପାରି ନ ଥିଲା। ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ଦଳ ପ୍ରାର୍ଥୀ କରି ଅନୁକମ୍ପା ଭୋଟ ପାଇ ଜିତିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ହୋଇପାରି ନ ଥିଲା।

ଏବେ କିନ୍ତୁ ସ୍ଥିତି ବଦଳିଛି। ଲଗାତର ଦୁଇଥର ବିଜେଡିରୁ ଜିତି ବିଧାୟକ ହୋଇଥିବା ଜୀବନ ପ୍ରଦୀପ ଦାସ ଏବେ ବିଜେପିରେ। ନିର୍ବାଚନ ଆସନ୍ନ ଥିବାବେଳେ ଜୀବନ ପ୍ରଦୀପ ଦାସ ଏଥର ବିଜେପି ଟିକେଟ ପାଇବେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

୨୦୦୦ ମସିହା ନିର୍ବାଚନରେ ଜୀବନ ପ୍ରଦୀପ ବିଜେପିରୁ ଟିକେଟ ପାଇ ବିଧାୟକ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୦୯ ଓ ୨୦୧୪ ରେ ଶାସକ ଦଳ ଟିକେଟରେ ଲଢ଼ି ଜିତିଥିଲେ ଜୀବନ।

ତେଣୁ ଦଳର ପୁରୁଖା ନେତାଙ୍କ ସହ ସମ୍ପର୍କ ଭଲ ଥିବା ସହ ବିଜେପିରୁ ରାଜନୀତି ଆରମ୍ଭ କରିଥିବାରୁ ସେ ଏଥର ଦଳୀୟ ଟିକେଟ ପାଇବେ ବୋଲି ସମର୍ଥକ ମାନେ ଆଶାବାଦୀ। ସେପଟେ ମାନସ ଦତ୍ତ ଗତ ଉପନିର୍ବାଚନରେ ଦମଦାର ଲଢେଇ ଦେଇଥିବାରୁ ସେ ମଧ୍ୟ ଦଳୀୟ ଟିକେଟ ଲବିରେ ରହିଛନ୍ତି।

ସେପଟେ ଉପନିର୍ବାଚନରେ ଜିତିଥିବା ବିଜେଡି ବିଧାୟକ ସ୍ୱରୂପ ଦାସ ଆଉଥରେ ବିଜେଡି ଟିକେଟ ପାଇପାରନ୍ତି ବୋଲି କୁହାଯାଉଛି। କିନ୍ତୁ ବିଜେଡି ଟିକେଟ ପାଇଁ ଅନେକ ଦାବିଦାର ରହିଥିବା ବେଳେ ସ୍ୱରୂପଙ୍କୁ କିଛି ସ୍ଥାନୀୟ ନେତା ଓ କର୍ମୀ ବିରୋଧ କରିଥିବା ଜଣାପଡ଼ିଛି।

ତେଣୁ ଏହାକୁ ଆଖି ଆଗରେ ରଖି ଦଳ ନୂଆ ଚେହେରା ଉପରେ ଭରସା ମଧ୍ୟ କରିପାରେ। ସେପଟେ ସବୁଠୁ ପୁରୁଣା ଦଳ କଂଗ୍ରେସ କିନ୍ତୁ ଏବେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ଥିବା ଦେଖିବାକୁ ମିଳିଛି।

୨୦୨୦ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ମାତ୍ର ୪ହଜାର ୯୮୩ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ ରେ ଦଳୀୟ ପ୍ରାର୍ଥୀ ମାନସ ରଞ୍ଜନ ଦାଶ ପଟ୍ଟନାୟକ ୧୯ ହଜାର ୭୦୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ତେଣୁ ଦଳ ପୂର୍ବ ନିର୍ବାଚନ ଗୁଡିକରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କଲେ ମଧ୍ୟ ଦଳ ପ୍ରାୟ ତୃତୀୟ ସ୍ଥାନରେ ରହିଛି। ଏପରିକି ଆଗକୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ସ୍ପଷ୍ଟତା ମଧ୍ୟ ଆସୁ ନାହିଁ।

ତେଣୁ ଏଭଳି ସ୍ଥିତିରେ କଂଗ୍ରେସ ଯେ ଏହି ଆସନରେ ଏକ ଫ୍ୟାକ୍ଟର ହେବ ସେ କଥା ଜଣାପଡୁ ନାହିଁ। ତେଣୁ ବାଲେଶ୍ୱର ସଦର ଆସନରେ ଏଥର ଦ୍ଵିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି।

 

Leave A Reply

Your email address will not be published.