Latest Odisha News

BREAKING NEWS

ନାଟକ ଉତ୍ସବର ତୃତୀୟ ସନ୍ଧ୍ୟା, ରମାଦେବୀ ଚୌଧୁରୀଙ୍କ ଜୀବନୀ ଆଧାରିତ ନାଟକ ‘ରମାଦେବୀ’ ମଞ୍ଚସ୍ଥ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ନାଟକ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାରାୟଣ ସାହୁଙ୍କ ରଚିତ ଓ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ନିର୍ଦ୍ଦେଶିତ ବେଲପାହାଡ଼, ଝାରସୁଗୁଡ଼ାର ମିରର ଥିଏଟର କଳାକାରମାନଙ୍କ ଦ୍ୱାରା ନାଟକ ‘ରମାଦେବୀ’ ମଞ୍ଚସ୍ଥ  ହୋଇଯାଇଛି । ଏଥିରେ ସରସ୍ୱତୀ ପ୍ରଧାନ, ଲକ୍ଷ୍ମୀ ସୋନୀ, ଗୋବିନ୍ଦ ପରିଡ଼ା, ବସନ୍ତ ସେଠୀ, ରଇଜୀତ କୁମାର ପୋଥାଳ, ନରେନ୍ଦ୍ର ନାହାକ ଓ ଅର୍ଜୁନ ଅଭିନୟ କରିଥିଲେ। ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରମାଦେବୀ ହେଉଛନ୍ତି ଅନ୍ୟତମ । ରାଜ୍ୟର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସେ ଲବଣ ସତ୍ୟାଗ୍ରହ, ଖଦି ଆନ୍ଦୋଳନ, ବିନୋବା ଭାବେଙ୍କ ଭୂଦାନ ଓ ଗ୍ରାମ ଦାନ ଆନ୍ଦୋଳନରେ ସାମିଲ ହୋଇ ଗାଁ ଗାଁ ବୁଲି ମହିଳାମାନଙ୍କ ମଧ୍ୟରେ ଜାତୀୟତା ପ୍ରୀତି ଜାଗ୍ରତ କରିଥିଲେ ।

ଏହା ସହ ଏହି ଉତ୍ସବରେ ଶଙ୍କର ତ୍ରିପାଠୀଙ୍କ ଶୂନ୍ୟ ପୁରୁଷ, ଶାନ୍ତନୁ ରଥଙ୍କ କବି ସମ୍ରାଟ, ମନ୍ମଥ ଶତପଥୀଙ୍କ ସ୍ୱାଭିମାନୀ ଗଜପତି ପୁସ୍ତକ ଉନ୍ନ୍ମୋଚିତ ହୋଇଥିଲା ।

ଏହି ଅବସରରେରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି, ଉପସଭାପତିମନ୍ମଥ କୁମାର ଶତପଥୀ, ସଚିବ ଶ୍ରୀ ପ୍ରବୋଧ ରଥ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଜେନା, ନାଟ୍ୟକାର ମନୋଜ ପଟ୍ଟନାୟକ, ଶୈଳେଶ୍ୱର ନନ୍ଦଏବଂ ରମାକାନ୍ତ ମିଶ୍ର  ପ୍ରମୁଖ ଯୋଗ ଦେଇଥିଲେ ।

ଆସନ୍ତାକାଲି ଏହି ଉତ୍ସବରେ ଆଦିକବି ସାରଳା ଦାସଙ୍କ ଉପରେ ଆଧାରିତ ‘ଆଦିକବି’ ମଞ୍ଚସ୍ଥ ହେବ। ଏହାକୁ ନାଟ୍ୟକାର ସୀତେଶ ତ୍ରିପାଠୀ ରଚନା କରିଥିବାବେଳେ ଦର୍ପ ନାରାୟଣ ସେଠୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ।

 

 

Leave A Reply

Your email address will not be published.