Latest Odisha News

BREAKING NEWS

ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ ର‌୍ୟାକେଟ୍, ୪ ଗିରଫ

ଭୁବନେଶ୍ୱର: ଅନ୍ୟ ଜଣଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ଉତ୍ତର ଲେଖୁଥିବା ଏକ ନକଲି ପରିକ୍ଷାର୍ଥୀ ର‌୍ୟାକେଟ ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଏକ ସ୍କୁଲରୁ ଧରିପାରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

ପୋଲିସ ଦ୍ୱାର ଗିରଫ ହୋଇଥିବା ୪ ଜଣ ବ୍ୟକ୍ତି ହେଲେ ଆଦର୍ଶ ଚୌଧୁରୀ, ଅମିତ କୁମାର ସିଂହ, ଅମୀୟ ଭୁୟାଁ ଏବଂ ରଣଜିତ କୁମାର ବେଉରା ।

ମିଳିଥିବା ସୂଚନାନୁଯାୟୀ, ରବିବାର ଦିନ ଧର୍ମବିହାରର ସରସ୍ୱତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଶଶିଭୂଷଣ ଦାଶ ଖଣ୍ଡଗିରି ଥାନାରେ ନକଲି ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ନେଇ ଅଭିଯୋଗ କରିଥିଲେ । ଓୟୁଏଟି ଏଣ୍ଟ୍ରାନ୍ସ ପରୀକ୍ଷା ଲାଗି ଅସଲ ପରିକ୍ଷାର୍ଥୀ ଯୁଧିଷ୍ଠିର ମଲ୍ଲିକଙ୍କ ଲାଗି ନକଲି ପରିକ୍ଷାର୍ଥୀ ଭାବେ ଆଦର୍ଶ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଉଥିଲେ ।

ଥାନାରେ ଅଭିଯୋଗ ପାଇବା ପରେ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତରୁ ଜଣାପଡ଼ିଲା ଯେ, ପୁରୀ ଜିଲ୍ଲାର ଯୁଧିଷ୍ଠିର ମଲ୍ଲିକ ଓୟୁଏଟି କମନ ଏଣ୍ଟ୍ରାନ୍ସ ପରୀକ୍ଷା ଲାଗି ଆବେଦନ କରିଥିଲେ । ଆଡ଼ମିଟ କାର୍ଡ଼ ଯାଞ୍ଚ କରିବା ପରେ ଜଣାପଡ଼ିଲା ଯେ, ଆଦର୍ଶ ଚୌଧୁରୀ ଯୁଧିଷ୍ଠିରଙ୍କ ଲାଗି ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଉଛନ୍ତି ।

ଅସଲ ପରୀକ୍ଷାର୍ଥୀ ଯୁଧିଷ୍ଠିର ଏସମ୍ପର୍କରେ ରଣଜିତଙ୍କ ସାହାଯ୍ୟ ନେଇଥିଲେ, ଯିଏକି ଏନଏମଆଇଇଟିରେ ଜଣେ ମାର୍କେଟିଂ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ରଣଜିତ ଏନେଇ ଏକ ପ୍ଲାନ ପ୍ରସ୍ତୁତ କରିଥିଲେ ଏବଂ ଅମିତ କୁମାର ସିଂହ ନାମକ ଏନଏମଆଇଇଟିର ଅନ୍ୟ ଜଣେ କର୍ମଚାରୀ ତାଙ୍କୁ ମଧ୍ୟ ସହଯୋଗ କରିଥିଲେ । ଏହି ଦୁଇଜଣ ବ୍ୟକ୍ତି ଅମୀୟ ଭୁୟାଁଙ୍କ ଦ୍ୱାରା ଆଦର୍ଶ ଚୌଧୁରୀଙ୍କୁ ଡ଼କାଇ ଧର୍ମବିହାରସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ବସାଇ ଉତ୍ତର ଖାତାରେ ଉତ୍ତର ଲେଖାଉଥିଲେ । ଏହି କାର୍ଯ୍ୟ ଲାଗି ସେମାନେ ପରିକ୍ଷାର୍ଥୀଙ୍କ ଠାରୁ ୫ ଲକ୍ଷ ଟଙ୍କା ଆଦାୟ କରି ନିଜ ଭିତରେ ବାଣ୍ଟି ନେଇଥିଲେ ।

ପୋଲିସ ଏହି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଆଡ଼ମିଟ କାର୍ଡ଼, ଆଧାର କାର୍ଡ଼ ଏବଂ ଅନେକ ମୋବାଇଲ୍ ଫୋନ ଜବତ କରିଛନ୍ତି ।

Leave A Reply

Your email address will not be published.