ନୂଆଦିଲ୍ଲୀ:ଗୁରୁବାର ଦିନ ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସଶସ୍ତ୍ର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଏକ ଅତର୍କିତ ଆକ୍ରମଣରେ ଅତିକମରେ ଚାରି ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ମକୁଇ ଅଶାଙ୍ଗ ଏବଂ ଥାବାମ୍ବା ନାଗା ମଧ୍ୟରେ ଥିବା ଏକ ଦୁର୍ଗମ ଅଞ୍ଚଳରେ ଏହି ଆକ୍ରମଣ ଘଟିଥିଲା, ଯେଉଁଠାରେ ଉଗ୍ରବାଦୀମାନେ ଏକ ଗାଡ଼ିକୁ ଟାର୍ଗେଟ୍ କରିଥିଲେ। ଏହି ଆକ୍ରମଣ ପରଠାରୁ ଆଉ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି।
ନ୍ୟୁଜ ସଂସ୍ଥା PTI ଅନୁଯାୟୀ, ପ୍ରାଣ ହରେଇଥିବା ଚାରିଜଣ ବ୍ୟକ୍ତି ଲିଆଙ୍ଗମାଇ ନାଗା ସମ୍ପ୍ରଦାୟର ଥିଲେ ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡର ପ୍ରତିବାଦରେ, ‘ନାଗା ପିପୁଲ୍ସ ଅର୍ଗାନାଇଜେସନ୍’ (NPO) ସେନାପତି ଜିଲ୍ଲା ମୁଖ୍ୟାଳୟ ସହରରେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ବାଧ୍ୟ କରିଛି। ଏହି ହତ୍ୟାକାଣ୍ଡ ପରେ ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।
କିଛି ମାସ ପୂର୍ବେ, ମଣିପୁରର କାଙ୍ଗପୋକପି ଜିଲ୍ଲା ଅନ୍ତର୍ଗତ ଲୋଇବୋଲ ଖୁଲେନ୍ ଗ୍ରାମରେ ଉଗ୍ରବାଦୀଙ୍କ ଆକ୍ରମଣରେ ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ସାତୋଟି ଘର ପୋଡ଼ି ପାଉଁଶ ହୋଇଯାଇଥିଲା। କୁକି ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସର୍ବୋଚ୍ଚ ସଂଗଠନ ‘କିମ୍’ (KIM) ଅନୁଯାୟୀ, NSCN-IM ଏବଂ ଏହାର ସହଯୋଗୀ ସଂଗଠନ ZUF (K) ର ଅତ୍ୟଧିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ସଦସ୍ୟମାନେ ଏହି ଗ୍ରାମ ଉପରେ ଆକ୍ରମଣ କରିଥିଲେ।
ସୂଚନାଥାଉକି,ଅଗଷ୍ଟ ୨୪ରେ ମଣିପୁରର ଇମ୍ଫାଲ୍ ପୂର୍ବ ଜିଲ୍ଲାରେ ଦୁଇଟି ପୃଥକ ସର୍ଚ୍ଚ ଅପରେସନ୍ ସମୟରେ ସୁରକ୍ଷା ବାହିନୀ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ସୁରକ୍ଷା ସରଞ୍ଜାମ ଜବତ କରିଛି। ଏଥିସହିତ RPF/PLA ର ଜଣେ ସକ୍ରିୟ ସଦସ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି ।

