Latest Odisha News

BREAKING NEWS

ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍‌କା, ବାକି ୭ରୁ ୬ଟି ଜିତିବା ଜରୁରୀ

ନୂଆଦିଲ୍ଲୀ: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ । ସହଜ ବିଜୟ ଆଡ଼କୁ ବଢ଼ୁଥିବା ଟିମ୍ ଇଣ୍ଡିଆର ଆଶା ଉପରେ ଶ୍ରୀଲଙ୍କା ବ୍ୟାଟର ସୋନାଲ ଦିନୁଷା ପାଣି ଢାଳିଦେଇଛନ୍ତି । ପ୍ରଥମ ଇନିଂସ ପରେ ଦ୍ୱିତୀୟ ଇନିଂସରେ ବି ଦିନୁଷାଙ୍କ ଲଢୁଆ ଶତକ ବଳରେ ମ୍ୟାଚ୍‌ଟି ଡ୍ର’ରେ ଶେଷ ହୋଇଛି । ଏହି ମ୍ୟାଚ୍ ଡ୍ର ହେବା ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭାରତୀୟ ଦଳକୁ ବଡ଼ କ୍ଷତି ସହିବାକୁ ପଡ଼ିଛି ।  ଯଦି ଭାରତ ଏହି ଟେଷ୍ଟ ଜିତିଥାନ୍ତା, ତେବେ ବାଂଲାଦେଶକୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉଠିପାରିଥାନ୍ତା । କଲମ୍ବୋ ଟେଷ୍ଟ ହାତରୁ ସ୍ଲିପ୍ ହେବା ପରେ ଡବ୍ଲ୍ୟୁଟିସି  ଫାଇନାଲରେ ପହଞ୍ଚିବା ଭାରତ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହୋଇପଡ଼ିଛି । ଫାଇନାଲ୍ ରେସ୍‌ରେ ଜୀବନ୍ତ ରହିବାକୁ ହେଲେ ଭାରତକୁ ଏବେ ବିଜୟ ଟ୍ରାକ୍‌କୁ ଫେରିବାକୁ ହେବ ।

ଫାଇନାଲ୍ ଟିକେଟ୍ ପକ୍କା କରିବାକୁ ହେଲେ ଭାରତକୁ ଯେ କୌଣସି ପରିସ୍ଥିତିରେ ୬ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ଆଗାମୀ ୭ଟି ମ୍ୟାଚ୍ ମଧ୍ୟରୁ ଯଦି ଟିମ୍ ଇଣ୍ଡିଆ ଗୋଟିଏରୁ ଅଧିକ ମ୍ୟାଚ୍ ହାରେ କିମ୍ବା ଡ୍ର କରେ, ତେବେ ଫାଇନାଲ୍ ଦୌଡ଼ରୁ ସିଧାସଳଖ ବାଦ୍ ପଡ଼ିବ ।  ଟିମ୍ ଇଣ୍ଡିଆକୁ ଆଗାମୀ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରି ୨ଟି ଟେଷ୍ଟ ଖେଳିବାର ଅଛି, ଯାହା  ଆଦୌ ସହଜ ହେବନାହିଁ । ଏହାପରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍‌ର ହାଇ-ଭୋଲଟେଜ୍ ସିରିଜ୍ ରହିଛି । ଏହି କଠିନ ୭ଟି ମ୍ୟାଚ୍‌ରୁ ଭାରତ କିପରି ୬ଟିରେ ବିଜୟ ହାସଲ କରୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.