ଭୁବନେଶ୍ୱର:ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଗଣାରେ ପରିବହନ ସେବା ସହ ରହଣୀ ସୁବିଧା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଏ.କେ ଶତପଥୀ ।
ଛାତ୍ରଛାତ୍ରୀଙ୍କ ସୁୁବିଧାକୁ ଦୃଷ୍ଟିରେ ରଖି ପୂର୍ବତନ ରେଲୱେ ପକ୍ଷରୁ ୪ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ । ରେଳ ଗୁଡିକ ଖାରିଆର ରୋଡରୁ ସମ୍ୱଲପୁର ଦେଇ ଟିଟିଲାଗଡ , ରାୟଗଡାରୁ ସମ୍ୱଲପୁର , ଭଦ୍ରକରୁ ଭୁବନେଶ୍ୱର ଦେଇ କଟକ ଏବଂ କେନ୍ଦୁଝରରୁ ଭୁବନେଶ୍ୱର ଦେଇ କଟକ ଯିବା ନେଇ ରେଳବାଇ କହିଛି ।
ଏହି ପରୀକ୍ଷାରେ ୩୭ହଜାର ୪୫୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଓଡିଶା ସରକାର ପରିକ୍ଷାର୍ଥୀ ଏବଂ ତାଙ୍କ ଅଭିଭାବକଙ୍କ ପାଇଁ ଟ୍ରାନ୍ସପୋର୍ଟ ସୁବିଧା ସହ ରହିବା ପାଇଁ ରହଣୀ ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ଜିଲ୍ଲାରୁ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ବସ୍ ସୁବିଧା କରାଯାଇଛି ।
ରାଜ୍ୟ ନୋଡାଲ ଅଫିସର ପଲି ପଟ୍ଟନାୟକ କହିଛନ୍ତି ଯେ, ଭୁବନେଶ୍ୱର , କଟକ, ଅନୁଗୁଳ , ବହ୍ମପୁର , ରାଉଲକେଲା , ବାଲେଶ୍ୱର ଏବଂ ସମ୍ବଲପୁର ସେଣ୍ଟରରେ ପରୀକ୍ଷାର୍ଥୀ ମାନଙ୍କର ଥର୍ମାଲ ସ୍କିନିଂ କରାଯିବ । ପରୀକ୍ଷାର୍ଥୀଙ୍କୁ ମାସ୍କ ଦେଉଛି NTA। ପରୀକ୍ଷାର୍ଥୀମାନେ ଯେଉଁ ସ୍ଥାନରେ ରହୁଛନ୍ତି, ସେମାନଙ୍କୁ ମାସ୍କ ଦିଆଯାଇଛି। ପ୍ରତି ପରୀକ୍ଷା ରୁମରେ ୧୨ ଜଣ ପରୀକ୍ଷାର୍ଥୀ ବସିବେ। ଯଦି କାହାର ତାପମାତ୍ରା ଅଧିକ ଥିବ, ସେମାନଙ୍କ ପାଇଁ ଆଇସୋଲେସନ ରୁମ୍ରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ନିୟନ୍ତ୍ରକମାନେ ସେହି ରୁମରେ PPE କିଟ ପିନ୍ଧିବେ।
ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ କହିଛି ପରୀକ୍ଷାର୍ଥୀ ଏବଂ ତାଙ୍କ ଅଭିଭାବକ ମାନଙ୍କ ପାଇଁ ୬ଟି ଇଂଜିରିୟରିଂ କଲେଜରେ ରହଣୀ ସୁବିଧା କରାଯାଇଛି । ଏହା ସହ ମେଡିକାଲ ଟିମ ମାନେ ମଧ୍ୟ ନିୟୋଜିତ ରହିବା ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ୬୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୩୧ଟି ପରୀକ୍ଷା କେନ୍ଦ୍ରକୁ ୯ଟି ଜୋନରେ ବିଭକ୍ତ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଛାତ୍ରଛାତ୍ରୀଙ୍କୁ ସୁରଖୁରୁରେ ପରୀକ୍ଷା କେନ୍ଦ୍ରରେ ପହଂଚାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି ।