Latest Odisha News

BREAKING NEWS

ସୁନ୍ଦରଗଡ଼ ଖଣି ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ କୋଚିଂ

ସୁନ୍ଦରଗଡ଼ : ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଏବଂ ଆର୍କିଟେକ୍ଚର ଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯାଉଛି କୋଚିଂ । ଜିଲ୍ଲାର ଖଣି ପ୍ରଭାବିତ ବ୍ଲକର ଆଦିବାସୀ, ଗରିବ ଓ ସାଧାରଣ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସ୍ବପ୍ନ ସାକାର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଜିଲ୍ଲାର ୬ଟି ଖଣି ପ୍ରଭାବିତ କୋଇଡ଼ା, କୁତ୍ରା, ଲହୁଣୀପଡ଼ା, କୁଆରମୁଣ୍ଡା, ରାଜଗାଙ୍ଗପୁର ଏବଂ ହେମଗିର ବ୍ଲକର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାର୍କ ଆଧାରରେ ଏହି କୋଚିଂ ନେବା ଲାଗି ସୁଯୋଗ ଦିଆଯାଉଛି । ଦଶମ ଏବଂ +୨ ପାସ୍ କରିଥିବା ତଥା +୨ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଆଇଆଇଟି, ଜେଇଇ, ନିଟ୍, କ୍ଲାଟ୍ ଏବଂ ନାଟା ଭଳି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ଏଠାରେ ପ୍ରସ୍ତୁତ କରାଯାଉଛି ।

ଏହି କୋଚିଂ ଦେବା ଲାଗି ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ରାଉରକେଲାଠାରେ ୩ଟି ସ୍ବତନ୍ତ୍ର କେନ୍ଦ୍ର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଆରମ୍ଭ ହୋଇଥିବା ଏହି କୋଚିଂ କାର୍ଯ୍ୟକ୍ରମରେ ପ୍ରଥମ ବ୍ୟାଚରେ ମୋଟ ୪୦୦ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । କୋଚିଂ ସହିତ ପିଲାମାନଙ୍କୁ ମାଗଣାରେ ହଷ୍ଟେଲ ସୁବିଧା ସହ ଖାଇବା ପିଇବା ବ୍ୟବସ୍ଥା କରାଯାଇଛି ।

ଡାକ୍ତରୀ ଓ ଇଂଜିନିୟରିଂ ଭଳି ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ପାଇଁ ସାରା ଦେଶରୁ ଅନେକ ଛାତ୍ରଛାତ୍ରୀ ରାଜସ୍ଥାନର କୋଟା ଯାଇ କୋଚିଂ ନେଇଥାନ୍ତି । କୋଟାର ସେହି ଅନୁଭୂତି ସଂପନ୍ନ କୋଚିଂ ଅନୁଷ୍ଠାନ ମଧ୍ୟରୁ ଦୁଇଟି ସଂସ୍ଥାକୁ ବାଛି ସୁନ୍ଦରଗଡ଼ର ଏହି ତିନୋଟି କୋଚିଂ ସେଣ୍ଟରର ଦାୟିତ୍ବ ଦିଆଯାଇଛି । ତେଣୁ ଏହି କୋଚିଂରେ ଯୋଗ ଦେବା ଲାଗି ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

କୋଚିଂ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅତ୍ୟାଧୁନିକ କ୍ଲାସ ରୁମ୍ ସହିତ ଆବଶ୍ୟକ ପାଠାଗାର ସୁବିଧା ରହିଛି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯାଉଛି । କୋଚିଂ କେନ୍ଦ୍ର ଏବଂ ହଷ୍ଟେଲରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସହିତ ଇଣ୍ଟରନେଟ୍ ସୁବିଧା ରହିଛି । ପିଲାମାନଙ୍କର ଉପସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ବାୟୋମେଟ୍ରିକ୍ ପରିଚୟପତ୍ର ବ୍ୟବସ୍ଥା କରାଯାଇଛି ।

ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଆଇଟି, ଜେଇଇ କୋଚିଂ ଭଳି ଆଉ କେତୋଟି କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲାରେ ପୂର୍ବରୁ ‘ସୁଦକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ ଏହି ୩ଟି କେନ୍ଦ୍ର ଜରିଆରେ ପ୍ରାର୍ଥୀଙ୍କୁ ବ୍ୟାଙ୍କିଙ୍ଗ୍, ବୀମା, ସାମରିକ ବାହିନୀ, ଓଡ଼ିଶା ପୋଲିସ, ଷ୍ଟାଫ ସିଲେକ୍ସନ ଆଦି ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି ।

Leave A Reply

Your email address will not be published.