ନୂଆଦିଲ୍ଲୀ : ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ପ୍ରାୟ ୬୫ ଲକ୍ଷ ପେନସନ ଉପଭୋକ୍ତାଙ୍କର ଲାଭ ହେବ। ଆଗକୁ ଏହାର ଏକ କମିଟି ଗଠନ ହେବ ଓ ଆଗାମୀ ପ୍ରକ୍ରିୟା ପ୍ରସ୍ତୁତ କରାଯିବ। ଏହାପରେ ସରକାରୀ କର୍ମଚାରୀଙ୍କ ନୂଆ ସାଲାରୀ ଷ୍ଟ୍ରକଚର ସାମନାକୁ ଆସିବ। ଏହି କମିଶନ ୨୦୨୬ ରେ ଲାଗୁ ହେବାକୁ ଥିବା ବେଳେ ବେସିକ ସାଲାରୀରେ ଅଢେଇ ଗୁଣ ବୃଦ୍ଧି ହେବାର ଆଶା କରାଯାଉଛି। ଏହାର ଅର୍ଥ ସର୍ବନିମ୍ନ ବେସିକ ସାଲାରୀ ୧୮ ହଜାରରୁ ବୃଦ୍ଧି ହୋଇ ୫୫-୫୬ ହଜାର ହୋଇପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଯେବେ ଦେଶରେ ପ୍ରଥମ ବେତନ କମିଶନ ଲାଗୁ କରାଯାଇଥିଲା , ସେତେବେଳେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୫୫ ଟଙ୍କା ଥିଲା। ଆସନ୍ତୁ ଜାଣିବା ପ୍ରଥମ ବେତନ କମିଶନରୁ ଆରମ୍ଭ କରି ୭ ମ ବେତନ କମିଶନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଦରମାରେ କ’ଣ ପରିବର୍ତ୍ତନ ହୋଇଥିଲା।
ପ୍ରଥମ ବେତନ କମିଶନ ( ମେ ୧୯୪୬ – ମେ ୧୯୪୭ )
ଏହି କମିଶନର ଅଧ୍ୟକ୍ଷ ବା ଦେଶର ପ୍ରଥମ ବେତନ କମିଶନର ଅଧ୍ୟକ୍ଷ ଥିଲେ ଶ୍ରୀନିବାସ ବରଦାଚାର୍ଯ୍ୟ । ସ୍ବାଧୀନତା ପରେ ଏହା ଥିଲା ପ୍ରଥମ ବେତନ କମିଶନ। ଏହି କମିଶନରେ ମାସିକ ଦରମା ୫୫ ଟଙ୍କା ଥିବା ବେଳେ ସର୍ବାଧିକ ଦରମା ୨ ହଜାର ଟଙ୍କା ଥିଲା। ସେ ସମୟରେ ପ୍ରାୟ ୧୫ ଲକ୍ଷ କର୍ମଚାରୀ ଉପକୃତ ହୋଇଥିଲେ।
ଦ୍ଵିତୀୟ ବେତନ କମିଶନ (ଅଗଷ୍ଟ ୧୯୫୭ – ଅଗଷ୍ଟ ୧୯୫୯ )
ଏହି କମିଶନର ଅଧ୍ୟକ୍ଷ ରହିଥିଲେ ଜଗନ୍ନାଥ ଦାସ। ଅର୍ଥ ବ୍ୟବସ୍ଥା ଓ ସନ୍ତୁଳିତ ଜୀବନ ଜାପାନ ପାଇଁ ଏହି କମିଶନରେ ଧ୍ୟାନ ଦିଆଯାଇଥିଲା। ଏଥିରେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୮୦ ଟଙ୍କା ରହିଥିବା ବେଳେ ପ୍ରାୟ ୨୫ ଲକ୍ଷ କର୍ମଚାରୀ ଏଥିରେ ଉପକୃତ ହେଉଥିଲେ।
ତୃତୀୟ ବେତନ କମିଶନ (ଏପ୍ରିଲ ୧୯୭୦ – ମାର୍ଚ୍ଚ ୧୯୭୩ )
ତୃତୀୟ ବେତନ କମିଶନର ଅଧ୍ୟକ୍ଷ ରହିଥିଲେ ରଘୁବୀର ଦୟାଲ । ସେହି ସମୟରେ ସର୍ବନିମ୍ନ ଦରମା ୧୮୫ ଟଙ୍କା ଥିବା ବେଳେ ପ୍ରାୟ ୩୦ ଲକ୍ଷ କର୍ମଚାରୀ ଏଥିରେ ଉପକୃତ ହୋଇଥିଲେ। ଏହି ସମୟରେ ବେତନରେ ଅସମାନତାକୁ ଦୂର କରାଇବା ପାଇଁ ଚେଷ୍ଟା କରାଯାଇଥିଲା ।
ଚତୁର୍ଥ ବେତନ କମିଶନ (ସେପ୍ଟେମ୍ବର ୧୯୮୩ – ଡିସେମ୍ବର ୧୯୮୬ )
ପିଏନ ସିଂଘଳ ଏହି କମିଶନର ଅଧ୍ୟକ୍ଷ ଥିଲେ। ସେ ସମୟରେ କେନ୍ଦ୍ରୀୟ କର୍ମଚାରୀଙ୍କ ମାସିକ ସର୍ବନିମ୍ନ ଦରମା ୭୫୦ ଟଙ୍କା ଥିଲା। ୩୫ ଲକ୍ଷ କର୍ମଚାରୀ ଏହାର ଲାଭ ଉଠାଇଥିଲେ।
ପଞ୍ଚମ ବେତନ କମିଶନ ( ଏପ୍ରିଲ ୧୯୯୪ – ଜାନୁଆରୀ ୧୯୯୭ )
ଏହି ବେତନ କମିଶନରେ ନ୍ୟାୟମୂର୍ତ୍ତି ଏସ ରତ୍ନାବେଲ ପାଣ୍ଡିୟନ ଅଧ୍ୟକ୍ଷ ଥିଲେ। ସେ ସମୟରେ ସର୍ବନିମ୍ନ ସାଲାରୀ ୨୫୫୦ ଟଙ୍କା ରହିଥିଲା। ୪୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏହାର ଲାଭ ପାଇଥିଲେ।
ଷଷ୍ଠ ବେତନ କମିଶନ ( ଅକ୍ଟୋବର ୨୦୦୬ – ମାର୍ଚ୍ଚ ୨୦୦୮)
ନ୍ୟାୟମୂର୍ତ୍ତି ବିଏନ ଶ୍ରୀ କୃଷ୍ଣ ଷଷ୍ଠ ବେତନ କମିଶନର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ସେହି ସମୟରେ ସର୍ବନିମ୍ନ ବେତନ ୭୦୦୦ ଟଙ୍କା ଥିବା ବେଳେ ସର୍ବାଧିକ ୮୦୦୦୦ ଟଙ୍କା ରହିଥିଲା। ଏହି ସମୟରେ ପେ ବ୍ୟାଣ୍ଡ ଓ ଗ୍ରେଡ ପେ ଆରମ୍ଭ କରାଯାଇଥିଲା। ପ୍ରାୟ ୬୦ ଲକ୍ଷ କର୍ମଚାରୀ ଲାଭ ପାଇଥିଲେ।
ସପ୍ତମ ବେତନ କମିଶନ ( ଫେବ୍ରୁୟାରୀ ୨୦୧୪ – ନଭେମ୍ବର ୨୦୧୬)
ସପ୍ତମ ବେତନ କମିଶନର ଅଧ୍ୟକ୍ଷ ଥିଲେ ନ୍ୟାୟମୂର୍ତ୍ତି ଏକେ ମାଥୁର। ଏହି କମିଶନରେ ୧୮୦୦୦ ଟଙ୍କା ସର୍ବନିମ୍ନ ବେତନ ରହିଥିବା ବେଳେ ସର୍ବାଧିକ ୨ ଲକ୍ଷ ୫୦ ହଜାର ଟଙ୍କା ସ୍ଥିର କରାଯାଇଥିଲା। ଏହି କମିଶନରେ ବର୍ତ୍ତମାନ ସୁଦ୍ଧା ଏକ କୋଟି ଚାକିରିଆ ଲାଭ ପାଉଛନ୍ତି।
Comments are closed.