Latest Odisha News

ଗାଙ୍ଗପୁର ଆଇଆଇସି ମୃତ୍ୟୁ ରହସ୍ୟ: ଅଡୁଆ ବଢ଼ାଇଲା ଏସ୍‌ଆଇଙ୍କ ଭିଡିଓ

ବ୍ରହ୍ମପୁର : ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ  ରହସ୍ୟ ।  ଦିନ ଯେତେ ଗଡ଼ୁଛି ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଘଟଣା ସମୟରେ ଭଞ୍ଜନଗର ଏସ୍‌ଡିପିଓ ଓ ଭଞ୍ଜନଗର ଆଇଆଇସିଙ୍କ ସହ ଦେବ୍‌ଙ୍କ କ୍ବାର୍ଟର୍ସରେ ଉପସ୍ଥିତ ଥିବା ଗାଙ୍ଗପୁର ଥାନା ସବ୍‌ଇନ୍ସପେକ୍ଟର୍ ଶୁଭ୍ରଜିତ୍ ସାମନ୍ତରାୟଙ୍କ ଭିଡ଼ିଓ  ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏହାପରେ ଘଟଣା ଆହୁରି ଗୋଳମାଳିଆ ମୋଡ଼ ନେଇଛି।

କାରଣ ଗଲା ପାଞ୍ଚ ଦିନ ମଧ୍ୟରେ ଜିଲ୍ଲା ଏସ୍‌.ପିଙ୍କ ଠାରୁ ଆରମ୍ଭ କରି କୌଣସି ଅଧିକାରୀ ସିଧାସଳଖ ବୟାନ ରଖୁନାହାନ୍ତି। କେବଳ ଅଡ଼ିଓ, ଭିଡ଼ିଓ ଭାଇରାଲ୍‌ କରାଇ ରହସ୍ୟକୁ ବଢ଼ାଇ ଚାଲିଛନ୍ତି ।

ଭାଇରାଲ୍‌ ଭିଡ଼ିଓ କ୍ଲିପ୍‌ରେ ଏସ୍‌ଆଇ ଶୁଭ୍ରଜିତ୍ କହୁଛନ୍ତି, ଦେବ୍ ମାନସିକ ଭାରସାମ୍ୟ ହରାଇ ବସିଥିବା ଜାଣିବା ପରେ ଭଞ୍ଜନଗର ଏସ୍‌ଡିପିଓ ଓ ଭଞ୍ଜନଗର ଥାନାଧିକାରୀ ତାଙ୍କ କ୍ବାର୍ଟର୍ସକୁ ଯାଇଥିଲେ। ଦେବ୍ ସେମାନଙ୍କୁ ଭାଙ୍ଗି ପଡ଼ିଥିବା, କିଛି କରିପାରୁ ନଥିବା କହିଥିଲେ। ସେତେବେଳେ ଥାନାରେ ସର୍ଭିସ୍‌ ରିଭଲଭର୍ ଜମା ଦେଇ ଦେବ୍‌ଙ୍କୁ ଛୁଟି ନେଇ ପଳାଇବାକୁ ଉଭୟ ଅଧିକାରୀ ପରାମର୍ଶ ଦେଇଥିଲେ । ଆଉ ଶୁଭ୍ରଜିତ୍‌ଙ୍କୁ ଡାକି ଅତିରିକ୍ତ ଦାୟିତ୍ବ ନେବାକୁ ମଧ୍ୟ କହିଥିଲେ। କିନ୍ତୁ ଦେବ୍ ଛୁଟି ନେବାକୁ ରୋକ୍‌ଠୋକ୍ ମନା କରି ଦେଇଥିଲେ।

ଘଟଣା ସମୟରେ କେବଳ ଭଞ୍ଜନଗର ଏସଡିପିଓ ଓ ଥାନାଧିକାରୀ ଉପସ୍ଥିତ ଥିବା କୁହାଯାଉଥିବା ବେଳେ ଶୁଭ୍ରଜିତ୍‌ଙ୍କ ଏହି ଭିଡ଼ିଓ ଘଟଣାକୁ ଆଉ ଏକ ମୋଡ଼କୁ ନେଇଯାଇଛି। ଘଟଣା କେବଳ ଏହି ଦୁଇ ଅଧିକାରୀ ନୁହେଁ, ଶୁଭ୍ରଜିତ୍‌ଙ୍କ ସହ ୩ ଜଣ କନଷ୍ଟେବଳ ବି ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଦେବ୍ ତିନିଟି ମୋବାଇଲ୍ ବ୍ୟବହାର କରୁଥିଲେ। କିନ୍ତୁ ସମସ୍ତ ମୋବାଇଲ୍ କାହା ପାଖରେ ଓ କେଉଁଠି ଅଛି ତାହା ଏଯାଏ ସ୍ପଷ୍ଟ ହୋଇପାରୁନି।

Leave A Reply

Your email address will not be published.