ବେଳଥାଉ ବନ୍ଧ ବାନ୍ଧ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

କୁଜିବାହାଡ଼ା ଗାଁର ନିମାଇଁ ସୁବୁଦ୍ଧିର ମାଆ ସୋମବାରୀ ସେଦିନ ଦାଣ୍ଡରେ ଠିଆ ହୋଇ ଗାଳି ଦେଉଥିଲା ବଳରାମ ଟହଲକୁ । କେତେ କଣ ଭାଷାରେ ସେ ଗାଳି ଦେଉଥିଲା, ତାକୁ ଯେ କେହି ଶୁଣିବ, ତାର ରକ୍ତ ଗରମ ହୋଇଉଠିବ । ଅଳପେଇଷା, ଅଧରଦିନିଆ, ବାଡ଼ିଖିଆ, ବଡ଼ରୋଗିଆ, ମଡ଼କଖିଆ ଏମିତି କେତେ କଣ ଗାଉଁଳି ଗାଳି ବର୍ଷା କରିଯାଉଥିଲା ସୋମବାରୀ ।  ବାଟରେ ଯାଉଥିବା ଲୋକେ ବଡ଼ ତାଜୁବ୍ ହୋଇ ଅନେଇ ପଡୁଥିଲେ ତାକୁ। ନିମାଇଁ ବାରମ୍ବାର ମାଆକୁ ନେହୁରା ହେଉଥିଲା । ମାଆ, ଏମିତି କାହାକୁ ଗାଳି ଦିଅନା । ସୋମବାରୀ କହୁଥିଲା, ଆରେ ନାଇଁ, ମୁଁ ସେ ଟହଲ ଘର ବଳରାମିଆକୁ ଗାଳି ଦେଉଛି । ମୋର କଅଁଳ ମୁଗ କିଆରୀଟାକୁ ଗୋଟାତୁଲେ ସାରିଦେଲା । ନିଜେ ଯଦି ଜଗି ପାରୁନି, ନହେଲେ ତା ଘରଲୋକଙ୍କୁ କହୁ ବାଛୁରୀ ଜଗିବାକୁ । ଚାରି ଚାରିଟା ବାଛୁରୀ ପୂରେଇ ମୋ ବିଲଟାକୁ ନାରଖାର କରିଦେଲା । ମୁଁ କଣ ତାକୁ ଛାଡ଼ିବି? ମୋ ମୁଗବିଲଟାକୁ ଦେଖିଲେ, ମୋ ଆଖିରୁ ରୋ (ଲୁହ) ନବାହାରି ରକ୍ତ ଭାରୁଚି (ବାହାରୁଛି)। 

ସୋମବାରୀର ଗାଳି ଥମିବାର ନାଁ ନେଉନଥାଏ । ଏତିକି ବେଳେ ବିଲମାଳ ଆଡୁ ଆସିଲା ବଳରାମ । ସୋମବାରୀ ପାଖରେ ଠିଆ ହେଇ ପଚାରିଲା, ମାଉସୀ, କାହା ଉପରେ ତୁ ରାଗିଛୁ କହିଲୁ? କାହାକୁ ଏମିତି ଗାଳି ଦେଉଛୁ? ସୋମବାରୀକୁ କଥାଟା ଥଟା କଲାପରି ଲାଗିଲା । ସେ ଆହୁରି ରାଗିଯାଇ କହିଲା, ହଁ ରେ ଅଳପେଇଷା, ତତେ ହିଁ ଗାଳି ଦେଉଥିଲି । ତୁ ମୋ ବିଲର ଅବସ୍ଥା କଣ କରିଛୁ କହିଲୁ? ତତେ ଗାଳି ଦେବିନି, ଆଉ କଣ ପୂଜା କରିବି? ବଳରାମ ହସିଦେଇ କହିଲା, ମାଉସୀ, ବାଛୁରୀଗୁଡ଼ାକ, ଆକଟ ମାନିଲେନି ତୋ ବିଲରେ ପଶିଗଲେ । ତା ବୋଲି ଆଉ କଣ ସେମାନଙ୍କୁ ମାରି ଦେଇଥାନ୍ତି । ଅଡ଼ଉ ଅଡ଼ଉ, କଣ ଦିଟା ପତର ଖାଇ ଦେଇଛନ୍ତି । ସେତିକିରେ ତୁ ଏମିତି ରାଗିଲେ ହେବ । ହଉ, ଆମର ମୁଗ ହେଲେ, ମୁଁ ଦି ଗଉଣି ତତେ ଦେଇଦେବି । ଏଥର ଠିକ୍ ଅଛି ତ । ତୁ ରାଗ ଶାନ୍ତ କର, ଆଉ ଘରକୁ ଯାଆ । ବଳରାମକୁ ଆଉ କିଛି କହିପାରିଲାନି ସୋମବାରୀ । ଗୁଜୁ ଗୁଜୁ ହୋଇ ଘର ଭିତରକୁ ପଳେଇଲା । 

ବଳରାମ ସେଠାରୁ ଦଶହାତ ବାଟ ଯାଇଛି କି ନାହିଁ, ହଠାତ୍ ଗାଁ ଦାଣ୍ଡରେ ଲୋକ ହାଉଯାଉ ହେଲେ । ଗହଳି ବଢ଼ିଲା । ଶୁଣୁ ଶୁଣୁ ଜଣାପଡ଼ିଲା, ଗାଁ ମୁଣ୍ଡ ଶନିଶ୍ଚର ମହାନ୍ତି ବୁଢ଼ାକୁ ପବନ ଉଠୁଛି । ତିନି ଦିନ ହେଲା ଜର ହେଇଥିଲା । ଗାଁ ଗାଁ ବୁଲି ଚିକିତ୍ସା କରୁଥିବା ବୁଲାଡାକ୍ତର ଦୀନବନ୍ଧୁ ବିଶ୍ୱାଳ, କଣ ଦିଟା ବଟିକା ଦେଇଥିଲା । ତା ପରଦିନ ଦିଟା ଛୁଞ୍ଚି (ଇଂଜେକ୍ସନ) ମଧ୍ୟ ଦେଇଥିଲା ।  ହେଲେ କିଛି ଫରକ୍ ପଡ଼ିନି । ମହାନ୍ତି ପୁଅ ଏବେ ବିଶ୍ୱାଳ ଡାକ୍ତରକୁ ଖୋଜିଲେ, ତାର ଆଉ ଦେଖାଦର୍ଶନ ନାହିଁ । ବଳରାମ ଟହଲ ସେତେବେଳକୁ ମହାନ୍ତି ଘର ଦୁଆର ଆଗରେ ପହଞ୍ଚି ଯାଇଥିଲା । କାହାକୁ କିଛି କହିବା ଆଗରୁ, ବଳରାମ କହିଲା, ଏତେ ଆଉ କାହାକୁ ଖୋଜନି । ପ୍ରଥମେ ସମସ୍ତେ ମୁହଁରେ ଗାମୁଛା ବାନ୍ଧ । ଶନିଆ ମଉସାଙ୍କୁ ଧର, ଡାକ୍ତରଖାନାକୁ ଯିବା । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଲୋକଙ୍କ ଲମ୍ବାଧାଡ଼ି । ଶନିଶ୍ଚର ମହାନ୍ତି ଭଳି ଅନେକ ରୋଗୀ ଭିଡ଼ ଜମାଇଛନ୍ତି ସେଇଠି । ସମସ୍ତଙ୍କ ସେଇ ଗୋଟିଏ ସମସ୍ୟା । ସମସ୍ତେ ଧଇଁ ପେଲୁଛନ୍ତି । କାହାରି ବି ନିଃଶ୍ୱାସ ଘର ଧରୁନି । ରୋଗୀଙ୍କ କଥା ବୁଝିବାକୁ କେହି ନାହାନ୍ତି । ଡାକ୍ତରଖାନାରେ ଶହ ଶହ ରୋଗୀ । ହେଲେ ଡାକ୍ତର ହାତ ଗଣତି ଚାରି ଜଣ । ତାଙ୍କ ସାଙ୍ଗରେ ଆଉ ଛଅ ଜଣ ନର୍ସ । ସେମାନେ ବି ତ ମଣିଷ । କେତେ କରିବେ? ଦିନ ରାତି ଏକ କରି ସେମାନେ ଖଟୁଛନ୍ତି । ହେଲେ ରୋଗୀଙ୍କ ସଂଖ୍ୟା କମିଲେ ସିନା ।

ବହୁ ଚେଷ୍ଟା ପରେ ଶେଷରେ ଶନିଶ୍ଚର ମହାନ୍ତିଙ୍କୁ ଡାକ୍ତରଖାନାରେ ଖଟିଆଟେ ମିଳିଲା । ହେଲେ ମହାନ୍ତି ବୁଢ଼ା ବୋଧେ ନିଶ୍ଚୟ କରି ଆସିଥିଲେ, ସେ ଆଉ ଘରକୁ ଫେରିବେନି । ସବୁଦିନ ପାଇଁ ସେ ଆଖିବୁଜିଲେ । ମହାନ୍ତିଙ୍କ ପୁଅ, ଆଉ ବଳରାମ କେତେ ନେହୁରା ହେଲେ ବି ଡାକ୍ତରଖାନାବାଲା ସେ ମୃତଦେହକୁ ଘରଲୋକଙ୍କୁ ଦେଲେନି । କହିଲେ କଣ ନା, ଏବେର ଯେଉଁ ନୂଆରୋଗ, ସେଇଆ ହୋଇଛି । ତେଣୁ ସେଇଠି, ସହରର ମଶାଣିରେ ହିଁ ଶେଷକୃତ୍ୟ ସାରିଦେଇ ଦୁହେଁ ଫେରିଲେ ଗାଁକୁ । ମହାନ୍ତିଙ୍କ ପୁଅ ଆଉ ବଳରାମ ଗାଁରେ ପହଞ୍ଚିଲା ଆଗରୁ ହିଁ ଖବରଟା ଗାଁରେ ପହଞ୍ଚି ସାରିଥିଲା । ଗାଁ ଲୋକମାନେ ଶୁଦ୍ଧିକ୍ରିୟା ପାଇଁ କରିଥିଲେ ଜୋରଦାର ଭୋଜି ଭାତର ଆୟୋଜନ ।

ଶନିଶ୍ଚର ମହାନ୍ତି ପୁଅକୁ, ବଡ଼ବଡ଼ିଆମାନେ କହିଲେ, ତୋ ବାପା ଗୋଟେ ବଡ଼ଲୋକ ଥିଲା ଗାଁର । ତା ମଲାଘରେ ଯଦି ତୁ ଭୋଜିଭାତ କରିବୁନି, ତା ଆତ୍ମା ଶାନ୍ତି ପାଇବ ତ? ହେଲେ ଗାଁ ଲୋକଙ୍କ ଏ କଥାକୁ ବିରୋଧ କରୁଥିଲା ବଳରାମ । ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲା, ଦେଖ ଏ ରୋଗକୁ ଏତେ ହାଲୁକା ଭାବେ ନିଅନି । ଶନିଶ୍ଚର ମଉସାଙ୍କ ସାଙ୍ଗରେ ଯେଉଁମାନେ ସମସ୍ତେ ଆସିଥିଲ, ନିଜର ପରୀକ୍ଷା କରାଅ । ଏ ଭୋଜି ଭାତ ବନ୍ଦ କର । ଏଥିରେ ବଡ଼ଲୋକି କି ଛୋଟଲୋକି କିଛି ନାହିଁ । ଏବେ ଜୀବନ ମରଣ ସମସ୍ୟା । ତେଣୁ ଏ ଭୋଜିଭାତ କିଛି କରନାହିଁ । ଏତକ କଥା ଶୁଣି, ସଙ୍ଗେ ସଙ୍ଗେ ଗାଁବାଲାଙ୍କ ଫତୁଆ ଜାରିହେଲା । କୁହାଗଲା, ବଳରାମ ଟହଲ ବେଶୀ ଭାଷଣ ଦେଉଛି । ତାକୁ ପ୍ରଥମେ ବାସନ୍ଦ କର । କୌଣସି ଭୋଜିଭାତରେ ତାକୁ କିମ୍ବା ତା ପରିବାରକୁ ସାମିଲ କରନାହିଁ । ବାସ୍, ବାସନ୍ଦ ହେଲା ବଳରାମ ।

ସେପଟେ କୁଜିବାହାଡ଼ା ଗାଁରେ ଭୋଜିଭାତ କରି, କୁଣିଆ ମୈତ୍ର, ବନ୍ଧୁ ବାନ୍ଧବ ଡାକି ଆପ୍ୟାୟିତ କଲେ ଶନିଶ୍ଚରଙ୍କ ପୁଅ ଓ ପରିବାର । ବଳରାମ କି ତା ପରିବାର କେଉଁଥିରେ ବି ସାମିଲ ହେଲେ ନାହିଁ । ଦିନେ ଗଲା, ଦି ଦିନ ଗଲା । ତୃତୀୟ ଦିନକୁ ଗାଁର ଅଠର ଜଣକୁ ଜର । ଦେଖୁ ଦେଖୁ ଅଠରରୁ ଅଠେଇଶକୁ ବଢ଼ିଲା ରୋଗୀଙ୍କ ସଂଖ୍ୟା । କି ବୁଢ଼ା, କି ପିଲା .. ସମସ୍ତଙ୍କୁ ଗ୍ରାସକଲା ଏ ମଣିଷଖିଆ ଜର । ବୁଲାଡାକ୍ତର ଦୀନବନ୍ଧୁ ବିଶ୍ୱାଳ ପାଇଁ ଏଇଟା ଥିଲା ସୁବର୍ଣ୍ଣ  ସୁଯୋଗ । ଏଇ ମାଡ଼ରେ ଭଲ ଦି ପଇସା ରୋଜଗାର କରିଦେବାକୁ ବସିଥିଲା ସେ । ହେଲେ ସେ ନିଜେ ବି ଠଉରେଇ ପାରିନଥିଲା ଏ ରୋଗର ଭୟାବହତା । ଚାରିଦିନ ଜରରେ ପଡ଼ିଲା ପରେ ନିଃଶ୍ୱାସ ନେବାରେ ଅସୁବିଧା ଭୋଗି ଡାକ୍ତରଖାନାରେ ଭର୍ତ୍ତିହେଲା ନିଜେ ବୁଲାଡାକ୍ତର ଦୀନବନ୍ଧୁ । ଦି ଦିନ ପରେ ଆଖିବୁଜିଲା ।

ମାତ୍ର ଦଶ ଦିନ ଭିତରେ କୁଜିବାହାଡ଼ା ଗାଁର ଆଠ ଜଣଙ୍କ ଜୀବନ ଗଲାଣି । ସେ ଆଠ ଜଣଙ୍କ ଭିତରୁ ପାଞ୍ଚଜଣ ଭେଣ୍ଡା । ହେଲେ ଜଣକ ପରେ ଜଣେ ମରିବାଠେଇଁ ବି ଭୋଜିଭାତ ବନ୍ଦ ହେଉନି । ଗାଁର ଏ ଅବସ୍ଥା ଦେଖି ବଳରାମ ସହିପାରୁନଥିଲା କି ରହିପାରୁନଥିଲା । କେହି ବି ଶୁଣିବା ଅବସ୍ଥାରେ ନଥିଲେ । ଏଭଳି ସ୍ଥଳେ ସେ ବା କଣ କରନ୍ତା? କିନ୍ତୁ ଈଶ୍ୱର ଯାହା କରନ୍ତି ପ୍ରାଣୀଙ୍କ ମଙ୍ଗଳ ପାଇଁ । ବୋଧେ ସେଇଥିପାଇଁ ବଳରାମକୁ ଏକଘରକିଆ କରିଦେଇଥିଲେ ଗାଁଲୋକେ । ଏହା ତା ପାଇଁ ଓ ତା ପରିବାର ପାଇଁ ଆଶୀର୍ବାଦ ଭଳିଆ ହେଲା । ତେବେ ଗାଁରେ ବଢୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଚିନ୍ତିତ ଥିଲା ବଳରାମ ।

ଏତିକି ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲା ନିମାଇଁ ସୁବୁଦ୍ଧି । ହେଲେ ତା ଘରେ ତା ମାଆ ବ୍ୟତୀତ ଆଉ କେହି ନାହିଁ । ବିଚାରୀ ବୁଢ଼ୀଲୋକଟା ସୋମବାରୀ, ନିମାଇଁ ପାଇଁ କଣ ବା କରିପାରିଥାନ୍ତା । ସେ ଘର ଘର ବୁଲି ଭେଣ୍ଡିଆପିଲାଙ୍କୁ ଡାକୁଥିଲା, ନିମାଇଁକୁ ଡାକ୍ତରଖାନାକୁ ନେବା ପାଇଁ । କେହି ଶୁଣୁନଥିଲେ । ସେ ଗାଁର ଏ ମୁଣ୍ଡରୁ ସେ ମୁଣ୍ଡକୁ ଯାଇ ହୁରି ପକାଉଥିଲା । ଲୋକଙ୍କ ଗୋଡ଼ହାତ ଧରି ନେହୁରା ହେଉଥିଲା । କିନ୍ତୁ କିଛି ସୁଫଳ ମିଳିଲାନି ।

ବୁଢ଼ୀ ଘରକୁ ଫେରି ଦୁଆର ମୁହଁରେ ଲଥ୍ କରି ବସିପଡ଼ିଲା । ତା ମୁଣ୍ଡ ଘୂରେଇ ଯାଉଥାଏ । ତାକୁ କିଛି ଦେଖାଯାଉନଥାଏ । ଆଖି ସାମ୍ନାରେ ଜୁଳୁଜୁଳିଆ ପୋକ ଉଡ଼ିଲା ଭଳି ଲାଗୁଥାଏ । ତାରି ଭିତରେ ସେ ଅଣ୍ଡାଳି ହୋଇ ଘର ଭିତରକୁ ପଶିଗଲା । ଦେଖିଲା, ଖଟିଆ ଖାଲି ପଡ଼ିଛି । ନିମାଇଁ ନାହିଁ । ବାଉଳି ହୋଇ କାନ୍ଦି ଉଠିଲା ସୋମବାରୀ । ବାହାରକୁ ବାହାରି ରଡ଼ି ଛାଡ଼ିଲା । କୁଆଡ଼େ ଗଲା ଲୋ ମୋ ନିମାଇଁ । ମୁଁ ଏବେ କଣ କରିବି ଲୋ ମାଆ? ଅଡ଼ୋଶୀ ପଡ଼ୋଶୀ କାହାରିକୁ ଜଣାନାହିଁ ନିମାଇଁ ଗଲା କୁଆଡ଼େ? ବୁଢ଼ୀକୁ ଲାଗିଲା, ଜର ବାଉଳାରେ ବୋଧେ ନିମାଇଁ ଡରିକି ବଣକୁ ପଳେଇଲା । ଅଥବା ଗାଁରେ ଏତେ ଲୋକ ମରୁଥିବା ଦେଖି, ସେ ଜୀବନ ଭୟରେ ଗାଁ ଛାଡ଼ି କୁଆଡ଼େ ପଳେଇଲା କି କଣ । ଲୋକମାନେ କିଏ କେତେ କଣ କହିଲେ । ହେଲେ ସୋମବାରୀର ମନ ମାନୁନଥିଲା । ସେ ମନେ ମନେ ଖୋଜୁଥିଲା ତା ପୁଅ ନିମାଇଁକୁ । କେତେ ଦିଅଁ ଦେବତା ପାଖରେ ମାନସିକ କରିସାରିଥିଲା ସେ । କାହାକୁ କୁକୁଡ଼ା କି ଛେଳି ବଳି ଦେବ, ତ ଆଉ କେଉଁଠିକି ନଡ଼ିଆ ପଠେଇବ, କେଉଁଠି ମନ୍ଦିର ମୁଣ୍ଡିରେ ବାନା ବାନ୍ଧିବ ବୋଲି ମନାସି ସାରିଥିଲା ସୋମବାରୀ । ହେଲେ ତାକୁ କେଉଁ ଦିଗରୁ ବି ସାନ୍ତ୍ୱନା ମିଳୁନଥିଲା ।

ଦଶ ଦିନ ପରେ ଘରକୁ ଫେରିଲା ନିମାଇଁ । ଗୋଟିଏ ବ୍ୟାଗରେ କିଛି ଫଳ ଆଉ କିଛି ଔଷଧ ଧରି ଘର ଭିତରକୁ ଗଲା । ତାକୁ ଦେଖି ପ୍ରଥମେ ବିଶ୍ୱାସ କରିପାରିଲାନି ସୋମବାରୀ । ପୁଅକୁ କୁଣ୍ଢାଇ ଧରି କାନ୍ଦି ଉଠିଲା । ମୁଣ୍ଡରୁ ପାଦ ଯାଏଁ ତାକୁ ଆଉଁସି ପକେଇଲା । କୁଆଡ଼େ ତୁ ଯାଇଥିଲୁରେ ମୋ ବାପ? ତତେ ନ ଦେଖି ମୋ ଆଖିରୁ ନିଦ ହଜିଯାଇଥିଲାରେ । ଏତିକି କହି, ସଙ୍ଗେ ସଙ୍ଗେ ଈଶାଣ ପାଖରେ ଯାଇ ମୁଣ୍ଡିଆ ମାରିଲା ସୋମବାରୀ । ଠାକୁରଙ୍କୁ ବହେ ଧନ୍ୟବାଦ ଦେଲା । ନିମାଇଁ କହିଲା, ମାଆ, ତୁ ସେ ଠାକୁରଙ୍କୁ ଧନ୍ୟବାଦ ଦେଲେ କିଛି ହେବନି । ଧନ୍ୟବାଦ ଦେବାର ଅଛି ତ, ବଳରାମକୁ ଦେ । ଯଦି ବଳରାମ ମୋତେ ଡାକ୍ତରଖାନାକୁ ନେଇନଥାନ୍ତା, ତାହେଲେ ମୁଁ ଆଜି ତୋ ଆଗରେ ଠିଆ ହେଇନଥାନ୍ତି । କୋଉକାଳୁ ମୋ ଚିତା ବି ଜଳି ସାରନ୍ତାଣି ଅନ୍ୟମାନଙ୍କ ଭଳି ।

ସୋମବାରୀ ଦେଖିଲା, ଦୁଆର ମୁହଁରେ ଠିଆ ହୋଇଛି ବଳରାମ । ସୋମବାରୀ ତା ମୁହଁକୁ ଅନେଇ ପାରୁନଥିଲା । ବଳରାମର ପାଦ ପାଖରୁ ଉପରକୁ ଉଠି ପାରୁନଥିଲା ସୋମବାରୀର ନଜର । ତା ଆଖିରେ ଥିଲା ପଶ୍ଚାତ୍ତାପର ଲୁହ । ବଳରାମ ପାଖକୁ ଆସିଲା । କହିଲା, ମାଉସୀ ମନଉଣା କରନା । ଏବେ ତୋ ପୁଅ ପୂରା ଭଲ ହୋଇଯାଇଛି । ସୋମବାରୀ, ବଳରାମକୁ କୁଣ୍ଢାଇ ଧରିଲା । କହିଲା, ମୋ ବାପରେ, ତୁ ନଥିଲେ ଆଜି ମୋ ପୁଅର କଣ ହେଇଥାନ୍ତା ? ତେ ସେଦିନ ଏତେ ଅଳପେଇଷା, ମଡ଼କଖିଆ ବୋଲି ଗାଳିଦେଲା ବେଳେ ମୋ ଜିଭ ଛିଣ୍ଡିଗଲାନି କାହିଁକି । ମୋ ମୂର୍ଦ୍ଧନା ଫାଟିଗଲାନି କାହିଁକି । ମୁଁ କେଡ଼େକଥା କରିଥିଲି । 

ବଳରାମ କହିଲା, ମାଉସୀ .. କେବେ କାହାକୁ ମାଆର ଗାଳି ଲାଗିଲାଣି ? ତୋ ମୁହଁରେ ସିନା ତୁ ଗାଳି ଦେଉଥିଲୁ, ହେଲେ ତୋ ମନଟା ତ ନିର୍ମଳ । ତୁ ସେଥିପାଇଁ ଦୁଃଖ କରନା । ମୋର କିଛି ହେବନି । ମାଉସୀ, ଏବେ କିନ୍ତୁ ତୋ କାମ ବଢ଼ିଗଲା । ମୋତେ ତ ଗାଁ ଲୋକ ବାସନ୍ଦ କରିଦେଇଛନ୍ତି । ମୋ କଥା କେହି ବି ଶୁଣିବାକୁ ରାଜିନୁହନ୍ତି । ଅନ୍ତତଃ ତୁ ଏ ଗାଁର ବଡ଼ଲୋକମାନଙ୍କୁ କହ । ଦେଖୁଛୁ ତ, କେତେ ଭୟଙ୍କର ଏ ରୋଗ । ସେଥିପାଇଁ ବେଳ ଥାଉ ଥାଉ ଯଦି ବନ୍ଧ ନ ବାନ୍ଧିବ, ତାହେଲେ ଏ ଗାଁ କଣ, ଏ ଖଣ୍ଡମଣ୍ଡଳରେ ଅବସ୍ଥା କଣ ହେବ, ତାହା ନେଉଆଣୁ ସରିବନି । ବଳରାମ ଏତକ କଥା କହିଦେଇ ନିଜ ଘରକୁ ଚାଲିଗଲା । ସେଦିନ ଅନ୍ଧାର ହେଲା ବେଳକୁ କୁଜିବାହାଡ଼ା ଗାଁ ଦାଣ୍ଡରେ ଶୁଭୁଥିଲା ସୋମବାରୀର ପାଟି । ଲୋକମାନଙ୍କୁ ସେ ଯାହା କିଛି କହୁଥିଲା, ସେ ସବୁ ଅନେକ ଦୂରଯାଏଁ ପଡୁଥିଲା ଅନ୍ୟମାନଙ୍କ କାନରେ । … 

 ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ଫୋନ୍- 9937252464