Latest Odisha News

ଚାମ୍ପିଅନ୍

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)
ସେଦିନ ପିଲାମାନେ ଗାଁ ସ୍କୁଲ ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ । ଅଧିକାଂଶଙ୍କ ବୟସ ଏଇ ତେରରୁ ଷୋହଳ ବର୍ଷ ଭିତରେ । ମାନେ ସିଧାଭାଷାରେ କହିଲେ, ନବମ ଶ୍ରେଣୀରୁ ପ୍ଲସ୍ ଟୁ ଭିତରେ ସମସ୍ତେ ପଢୁଛନ୍ତି । ସେମାନଙ୍କଠୁ ବଡ଼ ପିଲା ଆଉ କେହି ନଥିଲେ ସେଇଠି । ଏ ସମସ୍ତେ ଲାଗିପଡ଼ିଛନ୍ତି ମାସକ ପରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ । ଲକ୍ଷ୍ୟ କେବଳ ଗୋଟିଏ, ଚାମ୍ପିଅନ୍ । କାରଣ ଗତ ତିନିବର୍ଷ ହେଲା ମୁକୁନ୍ଦପୁରର ଏହି ଟିମ୍ ଲଗାତର ଭାବେ ଫାଇନାଲରେ ହାରି ରନର୍ସ ଅପ୍ ହେଉଛି । ପ୍ରତିଥର ଅନ୍ୟ କୌଣସି ଦଳ ଫାଇନାଲରେ ଜିତି ଚାମ୍ପିଅନ୍ ହେଇଯାଉଛି । ତେଣୁ ଏଇଠୁ ହିଁ ଜଣାପଡୁଛି, ଦଳରେ କିଛି ଗୋଟାଏ ସମସ୍ୟା ଅଛି । ସେଥିପାଇଁ ଏଥର ପିଲାମାନେ ନିଜର ରଣନୀତି ବଦଳେଇବାରେ ଲାଗିପଡ଼ିଛନ୍ତି । କିନ୍ତୁ ପ୍ରକୃତ କଥା ହେଲା, ଏମାନଙ୍କୁ ବାଟ ଦେଖାଇବା ପାଇଁ କେହି ନାହିଁ । ଗାଁରେ ରାଜନୀତି ବଡ଼ମାନଙ୍କୁ ବ୍ୟସ୍ତ କରିଦେଇଛି । ତେଣୁ ସେମାନଙ୍କ ପାଖରେ ସମୟ ନାହିଁ ଏହି ପିଲାମାନଙ୍କୁ ଟିକିଏ ତଦାରଖ କରିବା ବା ମାର୍ଗଦର୍ଶନ କରିବା ପାଇଁ । ତଥାପି ଲକ୍ଷ୍ୟପ୍ରାପ୍ତି ଉଦ୍ଦେଶ୍ୟରେ ଲାଗିପଡ଼ିଛନ୍ତି ପିଲାଏ । ଜୋରସୋରରେ ଅଭ୍ୟାସ ଚାଲିଛି ।

ଏତିକି ବେଳେ ପଡ଼ିଆରେ ପହଞ୍ଚିଲା ପ୍ରବୀଣ । ପ୍ରବୀଣ ପ୍ରହରାଜ। ସିଏ ବି ଏ ଗାଁର ପିଲା । ଏଇମାନଙ୍କ ସାଙ୍ଗରେ ଖେଳେ । ତେବେ ଖେଳ ଅପେକ୍ଷା ତାର ପାଠପଢ଼ାରେ ଟିକିଏ ଅଧିକ ମନ । ଏବେ ସିଏ ପ୍ଲସ୍ ଟୁ ପାସ୍ ହୋଇ ଡିଗ୍ରୀରେ ନାଁ ଲଗେଇଛି । ଗଣିତ ଅନର୍ସ ନେଇ ପାଠ ପଢୁଛି । କିନ୍ତୁ ସବୁଦିନ କଲେଜରୁ ଫେରିଲା ପରେ ଗାଁ ପଡ଼ିଆକୁ ଯାଇ ଟିକିଏ କ୍ରିକେଟ୍ ନ ଖେଳିରେ ତାକୁ ଭଲଲାଗେନି । ହେଲେ ସମସ୍ୟାଟି ହେଉଛି ଯେ, ଏ ପଡ଼ିଆରେ ଖେଳୁଥିବା ପିଲାମାନେ ସମସ୍ତେ ତାଠୁ ସାନ । ତେଣୁ ତାକୁ କେହି ସାଙ୍ଗରେ ଖେଳାଇବାକୁ ରାଜି ନୁହନ୍ତି । ଅନ୍ୟପକ୍ଷରେ ପ୍ରବୀଣ ସିନା ଡିଗ୍ରୀ ପଢ଼ିଲାଣି ହେଲେ ତାକୁ ଦେଖିଲେ ଯେ କେହି କହିବ, ସିଏ ଯେମିତି ପଞ୍ଚମ କି ଷଷ୍ଠ ଶ୍ରେଣୀର ଛାତ୍ର । କହିବାକୁ ଗଲେ ପ୍ରବୀଣର ଶାରୀରିକ ବିକାଶ ପ୍ରାରମ୍ଭିକ ସ୍ତରରେ ହିଁ ଥିଲା । କିନ୍ତୁ ତା ମୁହଁ ବଡ଼ ଟାଣ । ଭଲ ପାଠପଢୁଥିବାରୁ ତାକୁ କେହି କଛି କହିବାକୁ ସାହସ କରିନଥାନ୍ତି । ଥରେ ତ ଗାଁ ପୋଖରୀ ହୁଡ଼ାରେ ଗାଁ ମୁଖିଆଙ୍କ ପୁଅ, ଯିଏକି ପ୍ରବୀଣଠାରୁ ପ୍ରାୟ ପନ୍ଦର ବର୍ଷ ବଡ଼, ପ୍ରବୀଣକୁ ତା ପୂର୍ବପୁରୁଷରେ କିଏ ପାଠ ପଢ଼ିଥିଲେ କି ବୋଲି ପ୍ରଶ୍ନ କରିବାରୁତାକୁ ସେ ମୁହେଁ ମୁହେଁ ଜବାବ ଦେଇଥିଲା । ଆଉ ଏକାଥରକେ ଚୁପ୍ ବି କରାଇଦେଇଥିଲା । ସେତେବେଳକୁ ସେ ଥିଲା ମାତ୍ର ଷଷ୍ଠ ଶ୍ରେଣୀରେ । ତେଣୁ ପିଲାଦିନରୁ ହିଁ ବିଚକ୍ଷଣ ଥିଲା ପ୍ରବୀଣ । ନିଜ ନାଁକୁ ସେ ସାର୍ଥକ କରୁଥିଲା । ହେଲେ ସେଦିନ ପଡ଼ିଆରେ କିନ୍ତୁ ଯେତେବେଳେ ସେ ଖେଳିବାକୁ ଚାହିଁଲା, ତାକୁ ତା ତଳ ଶ୍ରେଣୀର ପିଲା ପ୍ରଶାନ୍ତ ବାଟ ଓଗାଳିଲା । କହିଲା, କ୍ରିକେଟ୍ ଖେଳିବାକୁ ଆସିଛୁ, ତା ପୂର୍ବରୁ ନିଜକୁ ଟିକେ ଆଇନା ସାମ୍ନାରେ ଦେଖିକି ଆସ । ଉଚ୍ଚତା ତ ତୋର ଚାରିଫୁଟ ହେବନି, ତୁ କି କ୍ରିକେଟ୍ ଖେଳିବୁ ବାଙ୍ଗୁରୁ? (ସାଧରଣତଃ ଗାଁରେ କମ୍ ଉଚ୍ଚତାର ପିଲାମାନଙ୍କୁ କେହି କେହି ବାଙ୍ଗୁରୁ, ଟୁଙ୍ଗୁରୁ, ଚିଆଁ, ଛୋଟୁ, ବକଟ .. ଏମିତି କେତେ ନାଁରେ ଡାକନ୍ତି) .. ପ୍ରଶାନ୍ତର ଏଭଳି କଥା ଶୁଣି ପଡ଼ିଆରେ ଥିବା ଅନ୍ୟପିଲାମାନେ ଠୋ ଠୋ ହସିଲେ । ପ୍ରବୀଣକୁ ଲାଗୁଥିଲା ଯେମିତି କୁରୁସଭାରେ ଦ୍ରୌପଦୀ ବିବସନା ହେଲାଭଳି, ତାକୁ ସମସ୍ତେ ପରିହାସ କରୁଛନ୍ତି ।
ପ୍ରବୀଣକୁ ଏ କଥାଟା ଖୁବ୍ ବାଧିଲା । ମାତ୍ର କିଛି ସେକେଣ୍ଡ ଭିତରେ ସାପ ଭଳି ଫଁ ଫଁ ହେଲା ପ୍ରବୀଣ । ତା ମୁହଁରେ ଥିଲା ଗୋଟିଏ କ୍ରୋଧ ଓ କରୁଣ ରସର ଫେଣ୍ଟାଫେଣ୍ଟି ଭାବ । ଅପମାନରେ ସେ କାନ୍ଦି ପାରୁନଥିଲା କି ତା ରାଗକୁ ପ୍ରକାଶ କରିପାରୁନଥିଲା । ଧୀରେ ଧୀରେ ଲାଲ୍ ପଡିଯାଉଥିଲା ପ୍ରବୀଣର ମୁହଁ । ସେତେବେଳ ଯାଏଁ ପ୍ରଶାନ୍ତ ସମେତ ଅନ୍ୟ ସମସ୍ତ ପିଲାଙ୍କ ହସ ଥମିନଥାଏ । ତାକୁ ଅଧିକ ପରିହାସ କଲାଭଳି ସେମାନେ ହସୁଥାନ୍ତି । ହଠାତ୍ ପିଚ୍ ମଝିକୁ ଯାଇ ଠିଆ ହୋଇପଡ଼ିଲା ପ୍ରବୀଣ । ଚିତ୍କାର କରି ଉଠିଲା । “ଚୁପ୍ … ଚୁପ୍ .. ସମସ୍ତେ ଚୁପ୍ … ମତେ ସମସ୍ତେ ପରିହାସ କରୁଛ ନା? ମୋର ଉଚ୍ଚତା ନାହିଁ ବୋଲି ମତେ ହେୟ ମନେ କରୁଛ ନା? ମନେ ରଖ, ଆଜି ସମସ୍ତଙ୍କ ସାମ୍ନାରେ କହୁଛି । ମତେ ତମେ ଆଜି ବାଙ୍ଗୁରୁ ବୋଲି କହୁଛ । କାଲି ଯେତେବେଳେ ତମେ ଏଇ ପଡ଼ିଆରେ ଖେଳୁଥିବା ଆଉ ଉପରେ ମୁଁ ଫାଇଟର ପ୍ଲେନ୍ ଉଡ଼ାଇ ଆକାଶରେ ଯିବି, ସେତେବେଳେ ତମେ ସମସ୍ତେ ଉପରକୁ ଅନାଇ ମୋ ଉଚ୍ଚତା ମାପିବ । ଯଦି ସେହି ଦିନଟି ଆସିବନି, ତାହେଲେ ମୁଁ ଜୀବନ ତମାମ ତମକୁ କେବେ ମୁହଁ ଦେଖାଇବି ନାହିଁ ।” ଏତକ କହି ଏକମୁହାଁ ହୋଇ ଘରକୁ ଫେରିଗଲା ପ୍ରବୀଣ ।

ସେତେବେଳକୁ ସମସ୍ତେ ଚୁପ୍ । କାହାରି ମୁହଁରେ ଭାଷା ନାହିଁ । ସମସ୍ତେ ପରସ୍ପର ମୁହଁକୁ ଅନାଉଥାନ୍ତି । ପ୍ରବୀଣ ଚାଲିଗଲା ପରେ ସମସ୍ତେ ପ୍ରଶାନ୍ତକୁ କହିଲେ, ତୁ ତାକୁ ତୁଛାଟାରେ ଚିଡ଼େଇଦେଲୁ । ବିଚରା ବଡ଼ ଭୀଷ୍ମ ପ୍ରତିଜ୍ଞା କରିକି ଏଇଠୁ ପଳେଇଲା । ଆଉ କିଏ କହିଲା, ଭଲ ହେଲା .. ଶଃ .. ଆଉ କେବେ ଆସିବନି ଖେଳିବାକୁ । ଗୋଟେ କଣ୍ଟା ଗଲା । ସେଦିନଠୁ କେହି କେବେ ପ୍ରବୀଣକୁ ଆଉ ଗାଁ ପଡ଼ିଆରେ ପିଲାଙ୍କ ସାଙ୍ଗରେ ଖେଳିବାର ଦେଖିନି । କିନ୍ତୁ ଏହି ପ୍ରତିଜ୍ଞା ପରେ ବଦଳି ଯାଇଥିଲା ପ୍ରବୀଣର ଜୀବନଚର୍ଯ୍ୟା । ସକାଳୁ କଲେଜ… ପୁଣି କଲେଜରୁ ଘର । ପାଠପଢ଼ା ଖୁବ୍ ମନଦେଇ କରୁଥିଲା ପ୍ରବୀଣ। ତା ସହିତ ସମସ୍ତଙ୍କ ଅଜାଣତରେ ଚାଲିଥିଲା ଏନ୍.ଡି.ଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷା ପାଇଁ ପ୍ରସ୍ତୁତି ।
ପୂରା ଗାଁର ସବୁ ପିଲା ଶୋଇଥିଲା ବେଳେ ରାତି ତିନିଟାରୁ ଉଠି ନିତ୍ୟକର୍ମ ସାରି ସେହି ଗାଁ ସ୍କୁଲ ପଡ଼ିଆରେ ହାଜର ହୋଇଯାଉଥିଲା ପ୍ରବୀଣ । ସମସ୍ତଙ୍କ ଦୃଷ୍ଟି ଅଢୁଆଳରେ ଚାଲିଥିଲା ତାର ନିୟମିତ ଦୌଡ଼, ବ୍ୟାୟାମ । ଶାରୀରିକ ସ୍ତରରେ ନିଜକୁ ସୁଦୃଢ଼ କରିବାକୁ ଲାଗିପଡ଼ିଥିଲା ପ୍ରବୀଣ । ଛଅ ମାସ ପରେ ଏନଡିଏ ପରୀକ୍ଷା ଦେଲା ସେ । ଫଳାଫଳ ଆସିଲା ବେଳକୁ ତାଲିକାରେ ଥିଲା ପ୍ରବୀଣର ନାଁ । ସେ ଲିଖିତ ପରୀକ୍ଷାରେ ପାସ୍ ହୋଇଯାଇଥିଲା । ଯେହେତୁ ଗାଁରେ ଅନ୍ୟ କେହି ଏନଡିଏ ପରୀକ୍ଷା ଦେଇନଥିଲେ, ତେଣୁ କେହି ଜାଣିପାରିଲେ ନାହିଁ ଯେ, ପ୍ରବୀଣ ପରୀକ୍ଷାରେ ପାସ୍ ହୋଇଛି । ଏବେ ଫିଜିକାଲ ଓ ମେଡିକାଲ ପରୀକ୍ଷା ବାକି । ଏଥିରେ ପାର୍ ହୋଇଗଲେ ସେ ପାଲଟିଯିବ ଭାରତୀୟ ନୌସେନାର ଅଧିକାରୀ । ରାତି ପାହିଲେ ସେ ପରୀକ୍ଷା ଦେବାକୁ ଯିବ । ଏକଥା କାହାକୁ ଜଣା ନଥିଲା । କିନ୍ତୁ କୌଣସି ଉପାୟରେ ଏକଥା ଜାଣି ଦେଇଥିଲା ପ୍ରଶାନ୍ତ । କାରଣ ପ୍ରଶାନ୍ତ ଥିଲା ପ୍ରବୀଣର ପଡ଼ୋଶୀ । ତେଣୁ ସେ ପ୍ରବୀଣର ଦୁଆରମୁହଁକୁ ଆସି ତାକୁ ସିଧା ସିଧା ଧମକ ଦେଲା । କହିଲା, “ତୁ କେମିତି ପରୀକ୍ଷା ଦେବାକୁ ଯିବୁ, ଆଉ ଡିଫେନ୍ସ ଚାକିରି କରିବୁ ମୁଁ ଦେଖିବି । ତୁ ବାହାରିଲା ବେଳକୁ ହିଁ ତୋ ଗୋଡ଼କୁ ବାଡ଼େଇ ଯଦି ଭାଙ୍ଗି ନଦେଇଛି, ତାହେଲେ ମୋ ନାଁ ବି ପ୍ରଶାନ୍ତ ନୁହେଁ ।” ବାସ୍ .. ଏତିକି କଥାରେ ପ୍ରବୀଣ ବ୍ୟସ୍ତ ହୋଇପଡ଼ିଲା । କିନ୍ତୁ ସେ ନିଜର ନିୟନ୍ତ୍ରଣ ହରାଇନଥାଏ । ତେବେ ଚତୁରତାର ସହ ପ୍ରଶାନ୍ତର ବାପାଙ୍କ କାନରେ ଏହି କଥାଟା ପକାଇଦେଇଥିଲା ପ୍ରବୀଣ । ତା ପରେ ପ୍ରଶାନ୍ତର ବାପାଙ୍କ ଅଗ୍ନିଶର୍ମା ରୂପ ଦେଖିଲା ଭଳି । ବହେ ଗାଳିଦେଲେ ପ୍ରଶାନ୍ତକୁ । କହିଲେ, “ସେ ତୋଠୁ ବଡ଼ । କାଲି ଯଦି ସିଏ ଚାକିରି କରିବ, ତାହେଲେ ତତେ ତ ଅନ୍ତତଃ ଆଗକୁ କଣ କରିବାକୁ ହେବ, ତାର ବାଟ ବତେଇ ଦେବ । ତୁ ଏମିତି ଅମଣିଷ ଭଳି କାହିଁକି ହେଉଛୁ? ଯଦି ତୁ ସେମିତି କିଛି କରୁ, ତାହେଲେ ମୁଁ ତୋ ଗୋଡ଼ ଭାଙ୍ଗିଦେବି।”

ଯେନ ତେନ ପ୍ରକାରେଣ ପ୍ରବୀଣ ପହଞ୍ଚିଲା ପରୀକ୍ଷା କେନ୍ଦ୍ରରେ । ଜଳବାହିନୀରେ କାମ କରିବା ପାଇଁ ସ୍ଥଳସେନା ଭଳି ଅଧିକ ଉଚ୍ଚତା ସମ୍ପନ୍ନ ବ୍ୟକ୍ତିତ୍ୱର ଆବଶ୍ୟକତା ନାହିଁ । ବରଂ ଏଠାରେ ପ୍ରତ୍ୟାଶୀମାନଙ୍କ ମାନସିକ ଦକ୍ଷତା, କୌଶଳ, ସ୍ଥିତପ୍ରଜ୍ଞ ମାନସିକ ସ୍ଥିତିକୁ ଅତି ଗୁରୁତ୍ୱର ସହ ବିଚାର କରାଯାଏ । ଗଣିତ, କମ୍ପ୍ୟୁଟର ବିଜ୍ଞାନ ସାଙ୍ଗକୁ ପ୍ରତ୍ୟୁତ୍ପନ୍ନମତିତା ପ୍ରବୀଣକୁ ଅନ୍ୟ ଆଶାୟୀମାନଙ୍କଠାରୁ ଦୁଇ ପାହୁଣ୍ଡ ଆଗରେ ରଖିଥିଲା । ଶାରୀରିକ, ମାନସିକ ଦକ୍ଷତା ଓ ସ୍ୱାସ୍ଥ୍ୟ ପରୀକ୍ଷାରେ ସଫଳ ହେଲା ପ୍ରବୀଣ । ଏବେ ସେ ନୌସେନାରେ ନିଯୁକ୍ତ ତରୁଣ ଅଫିସର ।

ଗାଁକୁ ଫେରିଲା ପ୍ରବୀଣ । ନା ଘରେ ନା ସାଙ୍ଗମାନଙ୍କ ଆଗରେ ନା ଗାଁରେ .. କାହାକୁ କିଛି କହିଲା ନାହିଁ ସେ । ତାର ନିଯୁକ୍ତି ସମ୍ପର୍କିତ ଖବର କାହାରି ପାଖରେ ନଥିଲା । ଦିନେ ହଠାତ୍ ଡାକବାଲା ଆଣି ଚିଠି ଖଣ୍ଡିଏ ଦେଲା ପ୍ରବୀଣର ବାପାଙ୍କ ହାତରେ । ସେ ଏତେ ପାଠଶାଠ ପଢ଼ିନଥିଲେ । ତେଣୁ ଇଂରାଜୀରେ ଲେଖାଯାଇଥିବା ଚିଠିଟିର ଅର୍ଥ ଜାଣିବା ତ ଦୂରର କଥା, ସେ ତାକୁ ନିଜେ ପଢ଼ିବି ପାରିନଥିଲେ । ଏତିକି ବେଳେ ପ୍ରବୀଣକୁ ଡାକି ତା ହତରେ ଚିଠିଟିକୁ ଧରାଇଦେଲେ ବାପା । ସେଇଟା ଥିଲା ପ୍ରବୀଣର ଜଏନିଂ ଅର୍ଡର । ଅତ୍ୟନ୍ତ ଉଚ୍ଚସ୍ୱରରେ ଚିଠିଟିକୁ ପଢ଼ିଦେଇ ସମସ୍ତଙ୍କ ସମ୍ମୁଖରେ ଘୋଷଣା କରିଦେଲା ପ୍ରବୀଣ .. ସେ କିଛି ଦିନ ପରେ ହେବ ଜଣେ ଦକ୍ଷ ନୌସେନା ଅଧିକାରୀ ।

ଗାଁର ଅନ୍ୟପିଲାମାନଙ୍କ ନଜର ଅଢୁଆଳରେ ନୌସେନାରେ ସାମିଲ ହେଲା ପ୍ରବୀଣ । ପ୍ରାରମ୍ଭିକ ପର‌୍ୟ୍ୟାୟରେ ନୌସେନାର ସମସ୍ତ ତାଲିମକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଥିଲା ସେ । ତାର ଦକ୍ଷତାକୁ ଦେଖି, ନୌସେନାର ଅଧିକାରୀମାନେ ତାକୁ ନାଭାଲ ଏୟାର ୱିଙ୍ଗରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଲେ । କ୍ରମଶଃ ସେ ପାଲଟିଗଲା ଜଣେ ଦକ୍ଷ ପାଇଲଟ୍ । ଯୁଦ୍ଧବିମାନକୁ ସମୁଦ୍ର ମଝିରୁ ଯୁଦ୍ଧଜାହାଜ ଉପରୁ ଉଠାଇ ଆକାଶମାର୍ଗରେ କୁଣ୍ଡଳି ସୃଷ୍ଟିକଲା ବେଳେ ଯେଉଁ ଆତ୍ମତୃପ୍ତି ପାଉଥିଲା ପ୍ରବୀଣ, ତାହା କେବଳ ସେ ହିଁ ବତାଇ ଦେଇପାରିବ । ତେବେ ତାଲିମ ସରିବା ପରେ ଦିନେ ସେ ଗାଁକୁ ଫେରିଲା । ସେତେବେଳେ ବଦଳିଯାଇଥିଲା ତାର ଭାବଭଙ୍ଗୀ ସବୁକିଛି । ନୌସେନାର ୟୁନିଫର୍ମ ପିନ୍ଧି ଖୁବ୍ ସ୍ମାର୍ଟ ଦେଖାଯାଉଥିଲା ପ୍ରବୀଣ । ତଥାପି ଗାଁ ପିଲାଙ୍କ ସାଙ୍ଗରେ କଥା ହେଉନଥିଲା ସେ । ସେ ଯେମିତି ସ୍ଥିର କରିଛି ଯେ, ଯେଉଁଦିନ ତାର ଜୁନିଆରମାନେ ତାକୁ ପାଛୋଟିନେଇ ଗାଁ ସ୍ଲୁଲ ପଡ଼ିଆକୁ ଯିବେ, ସେଦିନ ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବ।

ରାତିରେ ଘରେ ଶୋଇଲା ବେଳକୁ ତା ଅବଚେତନ ମସ୍ତିଷ୍କରେ କେବଳ ଘୂରିବୁଲୁଥିଲା ସେଦିନ କ୍ରିକେଟ୍ ପଡ଼ିଆରେ ତାକୁ ସମସ୍ତେ କରିଥିବା ତାତ୍ସଲ୍ୟ ପର୍ବର ଗୋଟିଏ ଗୋଟିଏ ଚିତ୍ର । ଏତିକି ବେଳେ ହଠାତ୍ କିଛି ଗୋଟାଏ କୋଳାହଳ ବାହାରେ ଶୁଭିଲା । ତା ପରେ ସେ କବାଟ ଖୋଲି ଦେଖିଲା ବେଳକୁ, ପ୍ରଶାନ୍ତର ବାପାଙ୍କୁ ମୁମୂର୍ଷୁ ଅବସ୍ଥାରେ ହସ୍ପିଟାଲ ନିଆଯାଉଛି । ସେ ହୃଦଘାତରେ ପୀଡ଼ିତ । କାହାକୁ କିଛି ନକହି ପ୍ରବୀଣ ଚାଲିଲା ହସ୍ପିଟାଲ । ଅତି ବ୍ୟଗ୍ରତାର ସହିତ ଡାକ୍ତରଖାନାରେ ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିବାଠାରୁ ଆରମ୍ଭ କରି ସେଠାକାର ବିଲ୍ ପୈଠ କରିବା ଯାଏଁ ସବୁ କାମ କରିଦେଲା ସେ । ରୋଗୀଙ୍କୁ ପ୍ରତୀକ୍ଷା କରିବା ପାଇଁ ହସ୍ପିଟାଲ ବାରଣ୍ଡାରେ ପଡ଼ିଥିବା ଲମ୍ବା ବେଞ୍ଚ ଉପରେ ବସି କେବଳ ଚୁପ୍ ଚାପ୍ କାନ୍ଦୁଥିଲା ପ୍ରଶାନ୍ତ । କାରଣ ଏଯାଏଁ ସେ ଥିଲା ବେରୋଜଗାର । ପରିବାରର ଦାୟିତ୍ୱ ନେବା କଥା ତ ଦୂରର କଥା, ସେ ଏତେବେଳ ଯାଏଁ ଦାୟିତ୍ୱ କଣ ତାହା ବି ଜାଣିନଥିଲା । ପ୍ରଶାନ୍ତର ବାପାଙ୍କ ଛାତିରେ ସେଦିନ ରାତିରେ ଡାକ୍ତରମାନେ ଷ୍ଟେଣ୍ଟ୍ ଲଗାଇଦେଇଥିଲେ । ଦୁଇଦିନ ପରେ ତାଙ୍କୁ ଡିସଚାର୍ଜ କରିଦିଆଗଲା । ତା ପୂର୍ବରୁ ଘରକୁ ଆସିସାରିଥିଲା ପ୍ରବୀଣ ।

ତା ପରଦିନ ସନ୍ଧ୍ୟାରେ ପ୍ରବୀଣର ଦୁଆର ଆଗରେ ଠିଆ ହୋଇଥିଲା ପ୍ରଶାନ୍ତ । ଉଚ୍ଚସ୍ୱରରେ ଡାକୁଥିଲା ତାକୁ । ଘରୁ ସେ ବାହାରିବା ପରେ ତା ହାତକୁ ବ୍ୟାଟ୍ ଟିଏ ବଢ଼ାଇ ଦେଇ କହିଲା, ଚାଲ୍ ପଡ଼ିଆକୁ ଯିବା । ତତେ ବହୁତ କଥା କହିବାର ଅଛି । ଉଭୟେ ପହଞ୍ଚିଲେ ପଡ଼ିଆରେ । ସେଇଠି ପୂର୍ବରୁ ଥିଲେ ଅନ୍ୟ ପିଲାମାନେ । ସମସ୍ତଙ୍କ ସାମ୍ନାରେ ପିଚ୍ ମଝିରେ, ଯେଉଁଠି ପ୍ରବୀଣ ପ୍ରତିଜ୍ଞା କରିଥିଲା, ସେଇଠି ଠିଆହୋଇ ପ୍ରବୀଣକୁ ଭୁଲ୍ ମାଗିଲା ପ୍ରଶାନ୍ତ । କହିଲା, ତୋ ଜିଦ୍ ଆଗରେ କେବଳ ମୁଁ ନୁହେଁ, ଆମେ ସମସ୍ତେ ହାରିଗଲୁ । ତୁ ହିଁ ଏକମାତ୍ର ଚାମ୍ପିଅନ୍ । ପାରିବୁ ଯଦି ଆମକୁ କ୍ଷମା କରିଦେବୁ । ପ୍ରବୀଣ ହସିଦେଇ ପିଚ୍ ର ଗୋଟିଏ ମୁଣ୍ଡକୁ ଚାଲିଗଲା ଏବଂ ୱିକେଟ୍ ସାମ୍ନାରେ ବ୍ୟାଟ୍ ରଖି ପ୍ରଶାନ୍ତକୁ କହିଲା, ଆଉ କେତେ ଅପେକ୍ଷା କରେଇବୁ .. ଯାଆ ବୋଲିଂ କର । …

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

Comments are closed.