Latest Odisha News

ଅଦୃଶ୍ୟ ଅଭିଶାପ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)

ନରୋତ୍ତମ ଗଡ଼ନାୟକ । ଥୁଣ୍ଟା ଗଛଟା ତଳେ ଠିଆ ହୋଇ ଆକାଶକୁ ଅନାଇଛନ୍ତି । କିନ୍ତୁ ଅନେଇ ପାରୁନାହାନ୍ତି । ଠିକ୍ ଭାବେ ଆଖି ଖୋଲିପାରୁନାହାନ୍ତି ସେ । ନିଜ ଦେହକ ଭିତରେ ଏମିତି ଖରା ସତେ ଯେମିତି ସେ କେବେ ବି ଅନୁଭବ କରିନଥିଲେ । ଲାଗୁଛି, ରାଗରେ ଗରଗର ହୋଇ ସୂର୍ଯ୍ୟ ଯେମିତି ଉପରୁ ନିଆଁ ବର୍ଷା କରୁଛି । ଏପଟେ ରାମପୁରରୁ ଗୋବିନ୍ଦପୁର ଯିବାକୁ ବାହାରିଛନ୍ତି ନରୋତ୍ତମ । ପାଞ୍ଚ କୋଶ ବାଟ । ନିଜ ଜୀବଦ୍ଦଶା ଭିତରେ ଏ ବାଟରେ ସେ କେତେ ଶହ ଥର ଯାଇଥିବେ ତାର ହିସାବ ନାହିଁ । କେବେ କାହା ସାଇକେଲ ପଛରେ ତ ଆଉ କେବେ ଶଗଡ଼ରେ ବସି ପାର ହୋଇଛନ୍ତି ଏ ରାସ୍ତାକୁ ନରୋତ୍ତମ । କିନ୍ତୁ କେବେ ବି ଏମିତି ଅସହାୟ ମନେ କରିନାହାନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ବାଟରେ ଅଟକିବାକୁ ପଡ଼ିଛି । ଉପରୁ ଟାଇଁ ଟାଇଁ ମୁଣ୍ଡଫଟା ଖରା, ଆଉ ତଳେ ନିଆଁ ଓଗାଳୁଛି ଭୂଇଁ । ଏମିତିରେ ପଞ୍ଚଷଠୀ ପାର ହେଇସାରିଥିବା ନରୋତ୍ତମ ଆଗକୁ ବଢ଼ିବାକୁ ସାହସ କରିପାରୁନାହାନ୍ତି । ଛାଇ ଟିକିଏ ପାଇଁ ଡହଳ ବିକଳ ହୋଇ ଶେଷରେ ପାଇଛନ୍ତି ଏ ଥୁଣ୍ଟା ବାବଲ ଗଛକୁ । ଏମିତିରେ ତା ଦେହରେ କଣ୍ଟା ବ୍ୟତୀତ, ପତ୍ର ନାହିଁ । ସେ ବା କି ଛାଇ ଦେବ?  ତଥାପି ଛାଇ ଟିକିଏ ଆଶାରେ ତା ତଳେ ଠିଆ ହୋଇଛନ୍ତି ନରୋତ୍ତମ ।

ଜଣେ କେହି ବାଟୋଇର ବି ଦେଖାନାହିଁ । ନା ଶଗଡ଼ିଆ, ନା ବୁଲାବେପାରୀ, ନା ଗାଈଆଳ ଟୋକା .. କାହାରି ସୋର ଶବ୍ଦ ନାହିଁ । ଜ୍ୟେଷ୍ଠ ମାସର ଏ ଖରାରେ ନରୋତ୍ତମଙ୍କ ତୁଣ୍ଡ ଶୁଖିଯାଉଛି । କାନ୍ଧରେ ପକାଇଥିବା ବ୍ୟାଗଟାକୁ ଖୋଲି ପାଣି ବୋତଲଟା ଦେଖିଲା ବେଳକୁ, ସେଥିରେ ଚକି ଆଡ଼କୁ ଚାରି ଟୋପା ପାଣି ଅଛି । ତାକୁ ଦି ମିନିଟ୍ ଲାଗି ଯଦି ନିଗାଡ଼ିବ, ତାହେଲେ ଯାଇ ହୁଏତ ଓଠଟା ତିନ୍ତିବ । ତଥାପି ଜୀବନ ବିକଳରେ ସେହି ବୋତଲଟାକୁ ଓଠରେ ଲଗାଇ ପାଣି ନିଗାଡ଼ିବାକୁ ଚେଷ୍ଟା କଲେ ନରୋତ୍ତମ । ଦି ଟୋପା ପାଣିରେ ଜିଭଟା ଓଦାହେଲା । ଓଃ .. ସତେ ଯେମିତି ସ୍ୱର୍ଗରୁ କେହି ଦେବତା ଅମୃତ ଢାଳିଦେଲେ ପାଟିରେ ।

ପୁଣି ଗୋବିନ୍ଦପୁର ଆଡ଼କୁ ଅନାଇଲେ ନରୋତ୍ତମ । ଆହୁରି ଅଢ଼େଇ କୋଶ ବାଟ । ବେଳ ମୁଣ୍ଡ ଉପରେ । ଆଉ ଅଧିକ ସମୟ ଅପେକ୍ଷା କଲେ ଖରା ବଢ଼ିଯିବ । ତା ପୂର୍ବରୁ ଯିବାକୁ ପଡ଼ିବ । ସେହି ଭାବନାରେ ଆଗକୁ ପାଦ କାଢ଼ିଲେ ନରୋତ୍ତମ । ହେଲେ ଏ କଣ? ତାଙ୍କ ପାଦ ତ ଆଉ ଚଳୁନି । ସେ ଆଗକୁ ଆଉ ବଢ଼ିପାରୁନାହାନ୍ତି । ଶରୀରରେ ରକ୍ତ ଯେମିତି ଶୀତଳ ହୋଇଯାଉଛି । ଗୋଡ଼ ହାତ ଅଚଳ ହୋଇଯାଉଛି ।କ୍ରମଶଃ ନରୋତ୍ତମଙ୍କ ଦେହଟା ଅବଶ ହୋଇଯାଉଛି । ଲାଗୁଛି, ସତେ ଯେମିତି ଏଇ କିଛି ମୁହୂର୍ତ୍ତରେ ପ୍ରାଣବାୟୁ ଉଡ଼ିଯିବ ।

ସେହି ଥୁଣ୍ଟା ଗଛ ତଳେ ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ିରହିଛନ୍ତି ନରୋତ୍ତମ । ଧୀରେ ଧୀରେ ଆଖି ଲାଗିଆସୁଛି । ଆଖି ସାମ୍ନାରେ ଭାସିଉଠୁଛି ସେ ନିଜ  ଜୀବନକାଳ ଭିତରେ କରିଯାଇଥିବା କାମ ସବୁ । ହରିପୁରର କାର୍ତ୍ତିକପୁର ଯାଏଁ.. ରାମଚନ୍ଦ୍ରପୁରରୁ ଗୋବିନ୍ଦପୁର ଯାଏଁ .. ପାଣିଓହଳାରୁ ପଡ଼ିଆଭଙ୍ଗା ଯାଏଁ .. ଏମିତି କୌଣସି ଗାଁ ନାହିଁ ଯେଉଁଠି ସେ କାମ କରିନାହାନ୍ତି । ଆଖପାଖର ଶହେ ଖଣ୍ଡ ଗାଁ .. ଆଉ ତା ସହ ଚାଳିଶରୁ ଅଧିକ ଛୋଟ ବଡ଼ ପାହାଡ଼ .. ସବୁଠି ଥିଲା ନରୋତ୍ତମ ଗଡ଼ନାୟକଙ୍କ ରାଜୁତି । ସବୁଠି କାମ କରୁଥିଲେ ନରୋତ୍ତମଙ୍କ କାଠୁରିଆ, ମୂଲିଆ ଆଉ ଶଗଡ଼ିଆ । ନିଶାର୍ଦ୍ଧରେ ଗାଁଲୋକମାନେ ଶୋଇଥିଲା ବେଳେ ଦୂରପାହାଡ଼ରୁ ଭାସିଆସୁଥାଏ କାଠୁରିଆର କୁରାଢ଼ି ଚୋଟର ଠକ୍ ଠକ୍ ଶବ୍ଦ ।

ଦୁନିଆ ନିଘୋଡ଼ ନିଦରେ ଥିଲା ବେଳେ ଆକାଶକୁ ଛୁଉଁଥିବା ଆକାଶିଆ, ନୀଳଗିରି, ଶାଗୁଆନ, ଶାଳ, ପିଆଶାଳ ସବୁ ଶେଷନିଦ୍ରାରେ ମୁର୍ଦ୍ଦାର ଭଳି ଲୋଟିପଡୁଥିଲେ ଭୂଇଁରେ । ଖଣ୍ଡ ଖଣ୍ଡ ହେଉଥିଲେ ରାତି ଅଧରେ । ଗଣ୍ଡିସବୁ ଶଗଡ଼ର ପେଟ ତଳେ ଓହଳା ହୋଇ ବନ୍ଧା ହେଉଥିଲା । ଶଗଡ଼ ପିଠିରେ ଲଦା ହେଉଥିଲା ଡାଳ ପତ୍ର ସବୁ । ନରୋତ୍ତମଙ୍କ ନିର୍ଦ୍ଦେଶରେ ଶଗଡ଼ ସବୁ ଧାଡ଼ିବାନ୍ଧି ଚାଲୁଥିଲେ ରାତିରେ । ବଳଦର ବେକରେ କିନ୍ତୁ ଝୁଲୁନଥିଲା ଘଣ୍ଟି ଘାଗୁଡ଼ି । କାଳେ ତାର ଶବ୍ଦରେ କେହି ଜାଣିଯିବେ, ସେହି ଆଶଙ୍କାରେ ଘଣ୍ଟି ଘାଗୁଡ଼ି ବାନ୍ଧୁନଥିଲେ ଶଗଡ଼ିଆ । ବାଟରେ ଯେଉଁ ବନବିଭାଗର ତନଖି ଫାଟକ ପଡ଼େ, ସେଇଠି ଆଗରୁ ହିଁ ଚା ପାଣିର ବନ୍ଦୋବସ୍ତ କରିଦେଇଥାନ୍ତି ନରୋତ୍ତମ । ଜଙ୍ଗଲ ରକ୍ଷକମାନେ ଶଗଡ଼ ଧାଡ଼ି ପାର ହେବା ସମୟ ତକ ଆଖିବୁଜିଦିଅନ୍ତି । ଆଉ ତା ପରେ ଯଦି କେହି ଗାଁ ଲୋକ ଶୁଖିଲା କାଠ ବିଡ଼ାଟେ ମୁଣ୍ଡରେ ମୁଣ୍ଡାଇ ଚୁଲି ଜାଳ ପାଇଁ ନେଉଥିବାର ତାଙ୍କ ନଜରକୁ ଆସେ, ସେଇଠି ସେ ଆଣ୍ଠୁପକେଇ ଦିଅନ୍ତି । ତା ଦାନ୍ତ ଭାଙ୍ଗିବା ଯାଏଁ କଣ୍ଟ କରନ୍ତି । କିନ୍ତୁ ନରୋତ୍ତମଙ୍କ ଶଗଡ଼ିଆ ରାତାରାତି ଜଙ୍ଗଲ ପଦା କରିଦେଲେ ବି କିଛି ଦେଖିପାରନ୍ତିନି ବନକର୍ମୀ ।

କହିବାକୁ ଗଲେ ସବୁ ରାତି ଥିଲା ନରୋତ୍ତମଙ୍କ ପାଇଁ କର୍ମଚଞ୍ଚଳ ରାତି । ବେଳେ ବେଳେ ମନେ ହେଉଥିଲା, ଯେମିତି ଏ ରାତି ସବୁ ଆଉ କେବେ ଶେଷ ହେବେନି । ସତୀ ଅନସୂୟାଙ୍କ ସପ୍ତରାତିଠୁ ବି ଆହୁରି ଆୟୁଷ୍ମତୀ ହୋଇ ଯାଉଥିଲେ ଏ ରାତିସବୁ । ଆଉ ସବୁ ରାତିରେ କାଠୁରିଆଙ୍କ କୁରାଢ଼ି ଚୋଟରେ ଆର୍ତ୍ତ ଚିତ୍କାର କରିଉଠୁଥିଲେ ଛୋଟ ବଡ଼ ଗଛସବୁ । ଏମିତି ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାହାଡ଼ରୁ ଗଛମାନେ ଉଭାନ୍ ହେବାରେ ଲାଗିଲେ । ଜଙ୍ଗଲ ପଦା ହେବାରେ ଲାଗିଲା । କଥା ଉପରକୁ ଗଲା । ବନବିଭାଗର ବଡ଼ ଅଧିକାରୀମାନେ ଜାଣିଲେ । ଚାପ ପଡ଼ିଲା ବନ ଅଧିକାରୀଙ୍କ ଉପରେ । ଶେଷରେ ବଦଳି ହୋଇଗଲେ ସମ୍ପୃକ୍ତ ତନଖି ଫାଟକର କର୍ମଚାରୀ ।

ନୂଆ କର୍ମଚାରୀ ଜଣକୁ ନିଜ ଗୋଲକଧନ୍ଦାରେ ଫସାଇବାକୁ ଚେଷ୍ଟା କରି ବିଫଳ ହେଲେ ନରୋତ୍ତମ । ଯେତେ ଫନ୍ଦିଫିକର କଲେ ବି ହାତର କରିହେଲାନି ନୂଆ ବନକର୍ମୀଙ୍କୁ । ତେଣୁ ବାଧ୍ୟ ହୋଇ କିଛି ଦିନ ପାଇଁ ଧନ୍ଦା ବନ୍ଦ କଲେ ନରୋତ୍ତମ । ହେଲେ ଥରେ ଯିଏ ମାଗଣା ମହୁ ଖାଇଛି, ସିଏ କଣ ଏତେ ସହଜରେ ସେ ମିଠା ଛାଡ଼ିପାରିବ? ସେଇଆ ହିଁ ହେଲା । ପୁଣି ଥରେ କାଠୁରିଆ ଓ ଶଗଡ଼ିଆଙ୍କୁ ମେଳି କରି ଯୋଜନା କଲେ ନରୋତ୍ତମ ଗଡ଼ନାୟକ । ଏଥର କିନ୍ତୁ ଯୋଜନା ଥିଲା କିଛି ଭିନ୍ନ ।

ଦୁଇ ମାସ କାମ ବନ୍ଦ ହେଲା ପରେ, ସେଦିନ ନୂଆ କରି ପୁଣି ରାତି ଅଧିଆ ଗଛକଟା ଆରମ୍ଭ କରିଥିଲେ ନରୋତ୍ତମ । ଶଗଡ଼ ଧାଡ଼ି ଯାଇ ତନଖି ଫାଟକ ପାର୍ ହେଲା ବେଳକୁ ବାଟ ଓଗାଳିଲେ ସେହି ନୂଆ ବନକର୍ମୀ । ହେଲେ କେହି କିଛି ଜାଣିଲେନି । ଶଗଡ଼ ସବୁ ଫାଟକ ପାର ହୋଇଗଲା । ପୁଣି ସେହି ରାତିରେ କାଠ ଅଜାଡ଼ି ଦେଇ ଯିଏ ଯାହା ଘରକୁ ଫେରିଆସିଲେ ଶଗଡ଼ିଆ । ତା ପରଦିନ ଖବରକାଗଜର ଶିରୋନାମା ଥିଲା .. ତନଖି ଫାଟକ ପଛପଟୁ ବନକର୍ମୀଙ୍କ ମୃତଦେହ ଉଦ୍ଧାର .. କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥିବା ଆଶଙ୍କା । .. ନରୋତ୍ତମଙ୍କ ମୁହଁରେ ରକ୍ତ ଲାଗିଯାଇଥିଲା । ତେଣୁ ସେ ଆଉ ଅଟକିବାର କୌଣସି ଲକ୍ଷଣ ଦେଖାଯାଉନଥିଲା । ମାତ୍ର କିଛି ବର୍ଷ ଭିତରେ ନରୋତ୍ତମ ଗଡ଼ନାୟକ ପାଲଟି ଯାଇଥିଲେ ନରି କଣ୍ଟ୍ରାକ୍ଟର ।

ମାତ୍ର କିଛି ବର୍ଷ ଭିତରେ, ଏ ପଟେ କିନ୍ତୁ ଆଖ ପାଖର ଚାଳିଶଟି ଜଙ୍ଗଲ ସମ୍ପୂର୍ଣ୍ଣ ସଫା ହୋଇସାରିଥିଲା ।  ଆଉ କୌଣସି ଉପାୟ ନପାଇ ଗାଁ ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇବାରେ ଲାଗିପଡ଼ିଲେ ନିଜେ ନରୋତ୍ତମ । ଯାହା ପାଖରେ ଯେମିତି ତୋଟା ବଗିଚା ଆଉ ଫଳଗଛ ଥିଲା, ତାକୁ ବି ଅଧିକ ପଇସା ଦେବାର ଲୋଭ ଦେଖାଇ କାଟିବା ଆରମ୍ଭ କରିଦେଇଥିଲେ ସେ । ବର୍ଷ ପରେ ବର୍ଷ ଗଛ ଖଣ୍ଡେ ଲଗାଇବାର ନାଁ ଗନ୍ଧ ନାହିଁ .. ଏଣେ ଚାଲିଛି ଗଛକଟା । କାଉ, କୁମ୍ଭାଟୁଆ, କୋଇଲି, ଚିଲ କି ପେଚା ..କାହା ପାଇଁ ବି ଘର ନାହିଁ । ଧୀରେ ଧୀରେ ଏଇ ସବୁ ପକ୍ଷୀ ଆଖ ପାଖ ଖଣ୍ଡମଣ୍ଡଳରୁ ଅଦୃଶ୍ୟ ହୋଇଗଲେ । ଏତିକି ବେଳେ କେଉଁ ଏକ ଅଜଣା ରୋଗରେ ପଡ଼ିଲା ନରୋତ୍ତମଙ୍କ ବାର ବର୍ଷର ପୁଅ ପୁରୁଷୋତ୍ତମ । ଜୀବନତମାମ ଯାହା ରୋଜଗାର କରିଥିଲେ ନରୋତ୍ତମ, ସେ ସବୁ ସରିଗଲା । ହେଲେ ପୁଅ ଭଲ ହେଲାନି । ଗାଁ ବୈଦ୍ୟ ପାଖରେ ଚେରମୂଳି ଠୁଣୁଠୁଣୁକିଆ କରିବାଠୁଁ ଆରମ୍ଭ କରି କଟକ ବଡ଼ ଡାକ୍ତରଖାନା ଯାଏଁ .. ସବୁଠି ସବୁ ଔଷଧ ମହୌଷଧି ସରିଲା । ସବୁ ଡାକ୍ତର ହାକିମଙ୍କ ଚେଷ୍ଟା ସରିଲା । ହେଲେ କିଛି ଲାଭ ହେଲାନି । ପୁରୁଷୋତ୍ତମ ଭଲ ହେବାର କୌଣସି ଲକ୍ଷଣ ଦେଖାଯାଉନଥାଏ । ହଠାତ୍ ତାର ଶ୍ୱାସକ୍ରିୟା ତୀବ୍ର ହେବାରେ ଲାଗିଲା । ଛୋଟ ପିଲାଟା, ଶ୍ୱାସ ଯନ୍ତ୍ରଣା ଆଉ ସମ୍ଭାଳି ପାରୁନଥାଏ । ତା ହୃତପିଣ୍ଡର ସ୍ପନ୍ଦନ ଅଧିକରୁ ଅଧିକ ତୀବ୍ର ହେଉଥାଏ । ଏତିକି ବେଳେ ଡାକ୍ତର ଚତ୍କାର କରିଉଠିଲେ, ତାକୁ ଅକ୍ସିଜେନ୍ ଲଗାଅ । ନର୍ସ ତରତର ହୋଇ ପୁରୁଷୋତ୍ତମର ମୁହଁରେ ଅକ୍ସିଜେନ୍ ଲଗାଇଦେଲେ । ଏପଟେ ଅକ୍ସିଜେନ୍ ପ୍ରେସର ଦେଖି ନର୍ସ କହିଲେ, ସାର୍ ମାତ୍ର ପାଞ୍ଚରୁ ସାତ ମିନିଟ୍ ଭିତରେ ଅକ୍ସିଜେନ୍ ସରିଯିବ । ଆଉ ସିଲିଣ୍ଡର ଷ୍ଟକ୍ ନାହିଁ । ଏତକ କଥା ଶୁଣିଲା କ୍ଷଣି ନରୋତ୍ତମଙ୍କ ହାଲୁକ ଶୁଖିଗଲା । ଲିଭି ଆସୁଥିବା ପୁରୁଷୋତ୍ତମର ଜୀବନଦୀପ ସତେ ଯେମିତି ନରୋତ୍ତମଙ୍କୁ କିଛି କହିବାକୁ ଚାହୁଁଥିଲା । ଧୀରେ ହାତଟାକୁ ଉଠାଇ ନିଜ ପାଖକୁ ଆସିବା ପାଇଁ ବାପାଙ୍କୁ  ଠାରିଲା ପୁରୁଷୋତ୍ତମ । ନରୋତ୍ତମ ଯେମିତି ବ୍ୟାକୁଳ ହୋଇ ତା ମୁହଁ ପାଖକୁ କାନଟାକୁ ଡେରିଛନ୍ତି, ସେ କହିଲା, “ବାପା .. ସବୁ ଗଛ ତ କାଟିଲ .. ନବକଳେବର ପାଇଁ ଦାରୁ କରିବା ଲାଗି ଗାଁ ଲୋକ ଯେଉଁ ନିମ୍ବଗଛଟା ରଖିଥିଲେ, ତାକୁ ବି କାଟିଦେଲ?” … ଏତକ କଥା କହିବା ସରିଲା ବେଳକୁ ସିଲିଣ୍ଡରରୁ ସରିଯାଇଥିଲା ସବୁ ଅକ୍ସିଜେନ୍ ।

ହଠାତ୍ ଉଠିବସିଲେ ନରୋତ୍ତମ । ଚାଉଁକିନା ତାଙ୍କ ନିଦ ଭାଙ୍ଗିଗଲା । ସେହି ଉଦୁଉଦିଆ ଖରାବେଳଟାରେ ଯେ, ସେ ଥୁଣ୍ଟା ବାବଲ ଗଛର ତଳେ ଶୋଇପଡ଼ିଥିଲେ ସେ କଥା ସେ ଜାଣିପାରିଲେ । ମୁହଁଟା ତାଙ୍କର ଓଦା ଓଦା ଲାଗିଲା । ହାତ ମାରି ଦେଖିଲା ବେଳେ ମୁହଁରେ ଲାଗିଥିଲା ପାଣି । ପାଖରେ ବସିଥିଲା କେହି ଜଣେ ଆଠ ଦଶ ବର୍ଷର ସ୍କୁଲ ପିଲା । ତା ବୋତଲରୁ ପାଣି ବାହାର କରି ସେ ତାଙ୍କରି ମୁହଁରେ ଛିଞ୍ଚିଥିଲା । ତା ହାତରୁ ପାଣି ବୋତଲଟା ନେଇ ଢକ ଢକ ପିଇ ଦେଲେ ନରୋତ୍ତମ । ତାଙ୍କ ଦେହରେ ଜୀବନ ସଂଚାର ହେଉଥିଲା । ଆଉ ଆଖିରୁ ବହି ଯାଉଥିଲା ଧାର ଧାର ଲୁହ । ଏତିକି ବେଳେ ଗୋବିନ୍ଦପୁର ରାସ୍ତାରେ ସ୍ଲୋଗାନ ଦେଇ ଦୁଇ ଧାଡ଼ିରେ ଚାଲିଥିଲେ କୁନି କୁନି ସ୍କୁଲ ପିଲାମାନେ । ସମସ୍ତଙ୍କ ହାତରେ ଥିଲା ପ୍ଲାକାର୍ଡ । ଆଉ ସମସ୍ତେ ଏକସ୍ୱରରେ କହୁଥିଲେ .. ଜଙ୍ଗଲ ଅଛି ତ- ଜଗତ ଅଛି … ଜଙ୍ଗଲ ଅଛି ତ- ଜୀବନ ଅଛି ..  ଗଛ ଲଗାଇବା କାହା ପାଇଁ? – ଆମ ପାଇଁ .. ଆମ ପାଇଁ .. ।

ବିଭାଗୀୟ ମୁଖ୍ୟ, ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍, ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ । ଫୋନ୍- ୯୯୩୭୨୫୨୪୬୪

Comments are closed.