ବର୍ଲିନ୍: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜର୍ମାନୀ ସରକାର ଏବେ କର୍ମକ୍ଷେତ୍ରର ନିୟମ ଏବଂ ଛୁଟି ପ୍ରକ୍ରିୟାରେ ବଡ଼ ଧରଣର ସଂଶୋଧନ କରିବାକୁ ଯାଉଛନ୍ତି । ନୂତନ ନିୟମ ଅନୁଯାୟୀ, ଯଦି କେହି କର୍ମଚାରୀ ଅସୁସ୍ଥ ହୁଅନ୍ତି ତେବେ କେବଳ ଫୋନ୍ କଲ୍ କିମ୍ବା ମେସେଜ୍ ମାଧ୍ୟମରେ ସୂଚନା ଦେଲେ ଆଉ ତାହାକୁ ଗ୍ରହଣ କରାଯିବ ନାହିଁ । ଛୁଟି ପାଇଁ ଏଣିକି କର୍ମଚାରୀଙ୍କୁ ମେଡିକାଲ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ ।
ଅଫିସରୁ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା ଯୋଗୁଁ ଦେଶର ଉତ୍ପାଦନ ଓ ବ୍ୟବସାୟିକ କ୍ଷେତ୍ରରେ ହେଉଥିବା ବଡ଼ କ୍ଷତିକୁ ରୋକିବା ପାଇଁ ସରକାର ଏଭଳି କଡ଼ା ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ଜର୍ମାନ ସରକାର କର୍ମକ୍ଷେତ୍ରର ନିୟମାବଳୀରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି । ଏହା ଅଧୀନରେ, କମ୍ପାନୀଗୁଡ଼ିକୁ ୨୦୩୦ ମସିହା ପର୍ଯ୍ୟନ୍ତ ନୂତନ ନିଯୁକ୍ତି ପାଇଁ ୪ ବର୍ଷ ପର୍ଯ୍ୟନ୍ତ ‘ଫିକ୍ସଡ୍-ଟର୍ମ କଣ୍ଟ୍ରାକ୍ଟ’ ଦେବାର ସୁଯୋଗ ମିଳିପାରେ । ଯେଉଁମାନଙ୍କର ଦରମା ଅଧିକ ଏବଂ ସେମାନଙ୍କୁ ଯଦି ଚାକିରିରୁ ବାହାର କରାଯାଏ, ତେବେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ।
ଦେଶର ଅର୍ଥନୀତିକୁ ସଙ୍କଟରୁ ରକ୍ଷା କରିବା ପାଇଁ ଜର୍ମାନ ଚାନ୍ସଲର ଫ୍ରେଡ୍ରିକ୍ ମର୍ଜ୍ ଏକ ବିଶେଷ ୩୪-ପଏଣ୍ଟ ପ୍ୟାକେଜ୍ ଉପସ୍ଥାପନ କରିଛନ୍ତି । ଏହି ପ୍ୟାକେଜ୍ ରେ ଶ୍ରମ, ଟ୍ୟାକ୍ସ ଏବଂ ପେନସନ ସଂସ୍କାର ସାମିଲ ରହିଛି । ଚାନ୍ସଲର ମର୍ଜ୍ କହିଛନ୍ତି, “ଆମେ ଟ୍ୟାକ୍ସ ହ୍ରାସ କରି କର୍ମଚାରୀ ଏବଂ କମ୍ପାନୀଗୁଡ଼ିକ ଉପରୁ ବୋଝ କମାଇବା ସହ ନିଜ କଲ୍ୟାଣକାରୀ ରାଷ୍ଟ୍ରକୁ ସୁରକ୍ଷିତ ରଖିବା ପାଇଁ କାମ କରୁଛୁ ।”
ଜର୍ମାନୀର ବର୍ତ୍ତମାନର ଅର୍ଥମନ୍ତ୍ରୀ ତଥା ଭାଇସ୍ ଚାନ୍ସଲର ଲାର୍ସ କ୍ଲିଙ୍ଗବେଲ୍ କହିଛନ୍ତି ଯେ, ଏହି ନୂତନ ନିଷ୍ପତ୍ତି ଦ୍ୱାରା ଦେଶର ସବୁଠାରୁ ଅଧିକ ରୋଜଗାର କରୁଥିବା ଶ୍ରେଣୀ ଉପରେ ଟ୍ୟାକ୍ସର ଅଧିକ ବୋଝ ପଡ଼ିବ । ଦେଶକୁ ଆଗକୁ ବଢ଼ାଇବା ଏବଂ ଅର୍ଥନୀତିକୁ ପୁଣି ଥରେ ପୂର୍ବବସ୍ଥାକୁ ଆଣିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ଥିଲା ।