Latest Odisha News

‘ଠିକ୍ ଭାବେ ମାସ୍କ ନ ପିନ୍ଧିଲେ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଅନ୍ତୁ’ – ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀ ସଠିକ ତରିକା ମାସ୍କ ନ ପିନ୍ଧିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ଏୟାର ଲାଇନ୍ସ ଓ ଡ଼ିଜିସିଏକୁ ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ନିୟମ ଉଲଙ୍ଘନକାରୀଙ୍କ ପାଇଁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ସି ହରି ଶଙ୍କର ଦେଖିଲେ ବିମାନବନ୍ଦରରୁ ବିମାନ ଯାଏଁ ଯିବାବେଳେ ଯାତ୍ରୀ ଠିକ ଭାବେ ମାସ୍କ ପିନ୍ଧୁ ନାହାନ୍ତି । ସେ ସ୍ୱୟଂ ସ୍ଥିତି ପରଖିଥିଲେ ଏବଂ ଅନୁପାଳନ ପାଇଁ ତତ୍କାଳ ଗାଇଡଲାଇନ ଜାରି କରିଛନ୍ତି । ହାଇକୋର୍ଟ ପାରିତ ନିଜ ଆଦେଶରେ କହିଛନ୍ତି ଭୟଙ୍କର ସ୍ଥିତି ଯୋଗୁଁ ଏହିଭଳି ଆଦେଶ ପାରିତ କରିବାକୁ ସେ ବାଧ୍ୟ ହୋଇଛନ୍ତି । କାରଣ ମାର୍ଚ୍ଚ ୫ ତାରିଖରେ କୋଲକାତାରୁ ନୂଆଦିଲ୍ଲୀ ଏୟାର ଇଣ୍ଡିଆ ଯାତ୍ରା ସମୟରେ ବିଚାରପତି ନିଜେ ସ୍ଥିତି ଦେଖିଥିଲେ ।

ସେ କହିଛନ୍ତି ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଥିଲେ କିନ୍ତୁ ଅନେକ ଯାତ୍ରୀଙ୍କ ମାସ୍କ ଥୋଡି ତଳେ ଥିଲା । ଯାତ୍ରୀ ବିମାନ ଭିତରେ ବି ଏହିଭଳି ମାସ୍କ ପିନ୍ଧି ବସିଥିଲେ । ବାରମ୍ବାର କହିବା ପରେ ଯାତ୍ରୀ ଠିକ ଭାବେ ମାସ୍କ ପିନ୍ଧିଥିଲେ । ବିମାନ କର୍ମଚାରୀ କହିଥିଲେ ଯାତ୍ରୀଙ୍କୁ ବାରମ୍ବାର ମାସ୍କ ପିନ୍ଧିବାକୁ କୁହାଯାଉଛି କିନ୍ତୁ ସେମାନେ ଯଦି ପାଳନ କରିବେନି ତାହେଲେ ଏହିଭଳି ସ୍ଥିତିରେ କର୍ମଚାରୀ ବି ଅସହାୟ ।

ଅଦାଲତ କହିଛନ୍ତି, ମାସ୍କ ସରକାରୀ ନିର୍ଦ୍ଦେଶ ଅନୁସାରେ ପିନ୍ଧାଯିବା ଉଚିତ । ମାସ୍କରେ ନାକ ଓ ପାଟି ଢାଙ୍କି ହେବା ଦରକାର । ଯଦି କୌଣସି ଯାତ୍ରୀ ଯାତ୍ରା ପୂର୍ବରୁ ପ୍ରୋଟୋକଲ ପାଳନ କରିବାକୁ ପ୍ରସ୍ତୁତ ନୁହେଁ ତାହେଲେ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦେବା ଉଚିତ । ତାଛଡା ଉଲଙ୍ଘନକାରୀଙ୍କ ବିରୋଧରେ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ଏବଂ ଡ଼ିଜିସିଏ ତରଫରୁ ଜାରି ଗାଇଡଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।

Leave A Reply

Your email address will not be published.