Latest Odisha News

BREAKING NEWS

‘ଗୋ ଇଷ୍ଟ’ ପ୍ଲାଟଫର୍ମର ଶୁଭାରମ୍ଭ; ଆଗାମୀ ୫ ବର୍ଷରେ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ହେବ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ବର: ସିଆଇଆଇ-ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଶିଳ୍ପ ବିକାଶ ଓ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ନୂଆ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି । ରାଜ୍ୟର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପାୟନର ନୂଆ ଯୁଗ ଆରମ୍ଭ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ‘ଗୋ-ଇଷ୍ଟ’ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୨ ବର୍ଷରେ ଓଡ଼ିଶାର ଶିଳ୍ପାୟନ ବ୍ୟାପକ ସ୍ତରରେ ପହଞ୍ଚିଛି । ଆଗାମୀ ୫ ବର୍ଷରେ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟରେ ପରିଣତ ହେବ । ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପ ଗୋଷ୍ଠୀ ଗୁଡ଼ିକ ତାଙ୍କ ନିଜ ରାଜ୍ୟରେ ତାଙ୍କର ଇଣ୍ଡଷ୍ଟ୍ରିଆଲ୍ ବେସ୍ ଓ ମାର୍କେଟକୁ ସୁରକ୍ଷିତ ରଖି ଓଡ଼ିଶାରେ ନିବେଶ କରିବାକୁ ବ୍ୟାପକ ସୁଯୋଗ ପାଇବେ ।

ରାଜ୍ୟରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ । ତାହା ସବୁ ନିବେଶ ପ୍ରକଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ । ଇକିପଲ୍‌ରେ ଏକ ସ୍ବତନ୍ତ୍ର ‘ଗୋ-ଇଷ୍ଟ ପ୍ରକୋଷ୍ଠ’ ମଧ୍ୟ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଓ ମଞ୍ଜୁରି ସ୍ଥିତିର ବାସ୍ତବ ସ୍ଥିତି ନିରୀକ୍ଷଣ ଓ ଟ୍ରାକିଂ ପାଇଁ ସ୍ବତନ୍ତ୍ର ‘ଗୋ-ସ୍ବିଫ୍ଟ’ ମଡ୍ୟୁଲ୍‌ ମଧ୍ୟ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶିଳ୍ପ ନୀତି ୨୦୨୨ରେ କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ବଲାଙ୍ଗୀର କଳାହାଣ୍ତି, ନୂଆପଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଭଳି ରାଜ୍ୟର ୧୫ଟି ଜିଲ୍ଲାକୁ ଅଗ୍ରାଧିକାର ଶ୍ରେଣୀ (ଥ୍ରଷ୍ଟ ସେକ୍ଟର)ରେ ସାମିଲ କରାଯିବ । ସେଠାରେ ଅଣ ଖଣିଜ ଭିତ୍ତିକ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ବ ଦିଆଯିବ । ପୂର୍ବରୁ ଶିଳ୍ପ ପ୍ରତିଷ୍ଠା କରିବାକୁ ୪୦୦ ଦିନ ସମୟ ଲାଗୁଥିଲା । ତାହା ‌ଏବେ ୧୬୦ ଦିନକୁ ହ୍ରାସ ପାଇଛି । ଆଗକୁ ତାହାକୁ ୧୦୦ ଦିନ ପର୍ଯ୍ୟନ୍ତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ସମସ୍ତ ଶିଳ୍ପଦ୍ୟୋଗୀମାନଙ୍କୁ କହିଥିଲେ ଯେ, ବିଗତ କିଛି ଦଶନ୍ଧି ଧରି ଭାରତର ଅର୍ଥନୈତିକ ଅଭିବୃଦ୍ଧି ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ କରିଡର ଉପରେ ନିର୍ଭର କରୁଥିଲା । ମାତ୍ର ବର୍ତ୍ତମାନ ଭାରତର ବିକାଶ କାହାଣୀର ପରବର୍ତ୍ତୀ ବଡ଼ ଅଧ୍ୟାୟ ପୂର୍ବ ଭାରତରେ ଲେଖାଯାଉଛି । ଆମର ଲକ୍ଷ୍ୟ ହେଉଛି “ସମୃଦ୍ଧ ଓଡ଼ିଶା ୨୦୩୬’ ଭିଜନକୁ “ବିକଶିତ ଭାରତ ୨୦୪୭’ ସହିତ ଯୋଡ଼ି ରାଜ୍ୟକୁ ପୂର୍ବ ଭାରତର ସବୁଠାରୁ ନିବେଶକ-ଅନୁକୂଳ ସ୍ଥାନ ଭାବେ ଗଢ଼ି ତୋଳିବା । ଏହି ରୂପାନ୍ତରଣ ଯାତ୍ରାରେ ଓଡ଼ିଶା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ପ୍ରକାଶ କରିଥିଲେ । ଜୁନ୍ ୨୦୨୪ଠାରୁ ଓଡ଼ିଶା ସରକାର ପ୍ରାୟ ୯.୫ଲକ୍ଷ କୋଟି ଟଙ୍କାର ୪୭୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହା ଦ୍ୱାରା ୬ ଲକ୍ଷ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ ।

Leave A Reply

Your email address will not be published.