ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ନିକଟରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ନେଇଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)। ଏହି ଘଟଣାର ତଦନ୍ତ କରିବା ଏବଂ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ପାଞ୍ଚ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳକୁ ନିୟୋଜିତ କରାଯାଇଛି।
ପଶ୍ଚିମବଙ୍ଗର ବରିଷ୍ଠ ଦଳୀୟ ନେତା ଦୀପା ଦାସମୁନସିଙ୍କ ନେତୃତ୍ୱରେ ଏହି ଦଳ ଓଡ଼ିଶା ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବ।
ଦୀପାଙ୍କୁ ଦଳର ସଂଯୋଜକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ସାଂସଦ ରଞ୍ଜିତ ରଞ୍ଜନ, ପ୍ରଣିତି ସିନ୍ଦେ ଏବଂ ଏସ୍. ଜୋତିମଣି ଏବଂ ମହିଳା ନେତ୍ରୀ ଶୋଭା ଓଜା ଏହି ତଥ୍ୟ ଅନୁସନ୍ଧାନ କମିଟିର ସଦସ୍ୟ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ସନ୍ଧ୍ୟାବେଳେ କିଛି ଯୁବକ ଉଭୟଙ୍କୁ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଆଉ ଏହା ପରେ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏନେଇ ଯୁବତୀ ଏବଂ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହ ଅଭିଯୋଗ କରିଥିଲେ। ଯାହାପରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ମଙ୍ଗଳବାର ଏହି ସୂଚନା ଦେଇଥିଲେ।


Comments are closed.