Latest Odisha News

BREAKING NEWS

ଜାଣନ୍ତିକି, ସାମ୍ବାଦିକ ଗୌରୀଶଙ୍କର ରାୟ ଏକଦା ମନିଅର୍ଡର ଏଜେଣ୍ଟ୍‍ ଥିଲେ! ତାଙ୍କ ସମ୍ପର୍କରେ ଆହୁରି କିଛି ରୋଚକ କଥା…

ଗୌରୀଶଙ୍କର ରାୟ

(୧୮୩୮-୧୯୧୭)
କ୍ଷେତ୍ର: ସାମ୍ବାଦିକତା

ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଅଭୂତପୂର୍ବ ଭୂମିକା ନେଇଥିବା ‘ଉତ୍କଳ ଦୀପିକା’ ସମ୍ବାଦପତ୍ରର ସୁଯୋଗ୍ୟ ସଂପାଦକ ଗୌରୀଶଙ୍କର ରାୟ ଥିଲେ ଜଣେ ବହୁମୁଖୀ ପ୍ରତିଭା । ବଙ୍ଗୀୟ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ସେ ଓଡ଼ିଆ ଭାଷା, ସାହିତ୍ୟ ଓ ଜାତି ପାଇଁ ଯାହା କରିଛନ୍ତି, ତାହା ଅବିସ୍ମରଣୀୟ ।

୧୮୩୮ ମସିହା ଜୁଲାଇ ୧୩ ତାରିଖରେ କଟକଜିଲ୍ଲାର ଦୀକ୍ଷିତପଡ଼ା ଗ୍ରାମରେ ତାଙ୍କର ଜନ୍ମ । ଗ୍ରାମ ଚାଟଶାଳୀରେ ହୋଇଥିଲା ତାଙ୍କର ବିଦ୍ୟାରମ୍ଭ । ପ୍ରାଥମିକ ଶିକ୍ଷା ସାରି ସେ ୧୧ ବର୍ଷ ବୟସରେ ସେ କଟକ ଇଂରାଜୀ ସ୍କୁଲରେ ପଢ଼ିଲେ । ପରେ କଲିକତାର ହୁଗୁଳିଠାରେ ଉଚ୍ଚଶିକ୍ଷା ଗ୍ରହଣ କଲେ । ଶିକ୍ଷା ଶେଷକରି ସେ ପ୍ରଥମେ ବାଲେଶ୍ୱର ସ୍କୁଲରେ ଶିକ୍ଷକତା କଲେ । ପରେ କଟକ ଆସି ମନିଅର୍ଡର ଏଜେଣ୍ଟ୍‍ ଭାବେ କାର୍ଯ୍ୟ କଲେ ।

୧୮୭୨ରେ ସେ କଟକ ଅଦାଲତରେ ଟ୍ରାନ୍‍ସଲେଟର୍‍ ପଦବୀରେ ଯୋଗଦେଲେ । ସରକାରୀ ଚାକିରି କଲେ ମଧ୍ୟ ସେ ନିଜତ୍ୱକୁ କେବେ ଜଳାଂଜଳି ଦେଇନଥିଲେ । ନାଟକ, ସଙ୍ଗୀତ, ସାହିତ୍ୟ ପ୍ରତି ଗୌରୀଶଙ୍କରଙ୍କର ଥିଲା ଗଭୀର ରୁଚି । ଓଡ଼ିଆ ପୁସ୍ତକକୁ ଲୋକଲୋଚନକୁ ଆଣିବାକୁ କଟକ ପ୍ରିଣ୍ଟିଂ କମ୍ପାନି ନାମରେ ଏକ ପ୍ରେସ୍‍ ବସାଇଲେ । ପ୍ରାଚୀନ କାବ୍ୟ, ମହାଭାରତ, ରାମାୟଣ ଆଦି ସେଠାରୁ ପ୍ରକାଶିତ ହେଲା ।

୧୮୬୫ରେ ଐତିହାସିକ ‘ଉତ୍କଳ ଦୀପିକା’ର ପ୍ରକାଶନ ଆରମ୍ଭ ହେଲା । ଓଡ଼ିଆ ଭାଷାରକ୍ଷା ଆନ୍ଦୋଳନରେ ଏହି ପତ୍ରିକାର ଥିଲା ନାହିଁନଥିବା ଅବଦାନ । ଗୌରୀଶଙ୍କର ଓଡ଼ିଆକୁ ମାତୃଭାଷା ରୂପେ ଗ୍ରହଣ କରିଥିଲେ ଓ ତାର ଉନ୍ନତି ପାଇଁ ସକଳ ପ୍ରକାର ଚେଷ୍ଟାରେ ବ୍ରତୀ ଥିଲେ । ଓଡ଼ିଆ ଭାଷାକୁ ଆଧୁନିକ ଓ ଶକ୍ତିଶାଳୀ କରିବାକୁ ସେ ନୂଆନୂଆ ଶବ୍ଦମାନ ସୃଷ୍ଟି କରି ତାର ବ୍ୟବହାର କରୁଥିଲେ । ବହୁ ଦେଶଜ ଶବ୍ଦକୁ ସେ ସାହିତ୍ୟରେ ସାମିଲ କରିଥିଲେ ।

ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳଗୁଡ଼ିକୁ ଏକାଠି କରିବା ଦିଗରେ ଗୌରୀଶଙ୍କରଙ୍କ ଭୂମିକା କିଛି କମ୍‍ ନଥିଲା । ଦୀର୍ଘ ଅର୍ଦ୍ଧଶତାବ୍ଦୀ କାଳ ସେ ‘ଉତ୍କଳ ଦୀପିକା’ର ସଂପାଦକ ରହି ବହୁ ଶିକ୍ଷିତ, ବୁଦ୍ଧିଜୀବୀଙ୍କ ସଂସ୍ପର୍ଶରେ ଆସିବା ସହିତ ଓଡ଼ିଆ ଜନଜୀବନର ଆଶା ଓ ଭାଷାକୁ ବୁଝି ପାରିଥିଲେ । ସମଗ୍ର ଓଡ଼ିଶାର ସେ ମୁଖପାତ୍ର ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସିଂହଭୂମ, ମେଦିନୀପୁର, ଉତ୍କଳସଭା, ଉତ୍କଳ ସମ୍ମିଳନୀ, ପାଠ୍ୟପୁସ୍ତକ, ଶିକ୍ଷା ସମସ୍ୟା, ରେଳପଥ ନିର୍ମାଣ, ସାମାଜିକ ସଂସ୍କାର ଆଦି ପ୍ରସଙ୍ଗ ଉପରେ ସମ୍ବାଦ ରଚନା କରି ଓଡ଼ିଶାକୁ ସମୃଦ୍ଧ କରିଥିବା ଗୌରୀଶଙ୍କର ୧୯୧୭ ମସିହା ମାର୍ଚ୍ଚ ୭ ତାରିଖରେ ଦେହତ୍ୟାଗ କରିଥିଲେ ।

Leave A Reply

Your email address will not be published.