Latest Odisha News

BREAKING NEWS

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଐତିହ୍ୟ କରିଡର ପ୍ରକଳ୍ପ କାମ ଚାଲୁ ରହିଥିବା ବେଳେ ଏହି ପ୍ରକଳ୍ପରୁ ଶ୍ରୀମନ୍ଦିରର ବିଶେଷ କ୍ଷତି ହେବାର ଆଶଙ୍କା ନାହିଁ ବୋଲି ଆରୁଖ ଦାବି କରିଛନ୍ତି। କିନ୍ତୁ ମନ୍ତ୍ରୀ କ୍ଷତି ପୂର୍ବରୁ ‘ବିଶେଷ’ ଲଗାଇବା ଅନେକ ପ୍ରଶ୍ନ ଛିଡା କରିଛି । ଏବଂ ବୋଧହୁଏ ସରକାର ମଧ୍ୟ ଜାଣିଛନ୍ତି ଐତିହ୍ୟ ପ୍ରକଳ୍ପର ପ୍ରଭାବ ମନ୍ଦିର ଉପରେ ପଡିପାରେ ।

ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେପି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଦାବି କରିଥିଲେ ଯେ, ଐତିହ୍ୟ କରିଡର କାମ ଚାଲିଥିବାରୁ ଅନେକ କମ୍ପନ ସୃଷ୍ଟି ହେବା ପରେ ଜଗନ୍ନାଥ ମନ୍ଦିରରେ ଫାଟ ଦେଖାଦେଇଛି। ବିକାଶକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ବିକାଶ ନାଁରେ ଶ୍ରୀମନ୍ଦିରର ଯଦି କୌଣସି କ୍ଷତି ହୁଏ ତେବେ ଏଥିପାଇଁ ସରକାର ଦାୟୀ ରହିବେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା କାମର ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଉ. ଯଦି କମିଟି ଠିକ୍ ପାଏ, ତେବେ ସରକାର ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ମୁକ୍ତ ବୋଲି ବିଧାୟକ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଏକ କମିଟି ଗଠନ କରି ପ୍ରକଳ୍ପର ଅନୁଧ୍ୟାନ ପାଇଁ ପୁରୀ ପଠାଇବାକୁ ଦାବି କରିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କୌଣସି ସ୍ଥାୟୀ ପ୍ରକଳ୍ପ ପାଇଁ ଏଏସ୍ଆଇ ଓ ଏନ୍ଏମ୍ଏ ଅନୁମୋଦନ ଦେଇନାହାନ୍ତି।  ଯେଉଁ କାମ ହେଉଛି ସେଥିପାଇଁ ଏସ୍ଆଇର ଅନୁମତି ଆବଶ୍ୟକ, ଯାହା ଏଠାରେ ନିଆଯାଇନି। ବିକାଶ ନାଁରେ ଏସବୁ କାମ ଶ୍ରୀମନ୍ଦିର ପ୍ରତି ଗୁରୁତର ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ନିରବତା ଦୁର୍ଭାଗ୍ୟଜନକ। ବିକାଶ ବିନାଶ ଆଡକୁ ଗତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। କମିଟି ଗଠନକୁ ନେଇ ସରକାର କାହିଁକି ଭୟଭୀତ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଶ୍ରୀମନ୍ଦିରରେ କୌଣସି ପ୍ରକାରର କ୍ଷତି ହୁଏ ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ସରକାରଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଯଦି ବାଚସ୍ପତି ଚାଲୁ ରହିଥିବା କାମର ଅନୁଧ୍ୟାନ ପାଇଁ ସର୍ବଦଳୀୟ କମିଟି ଗଠନ ନକରନ୍ତି ଏବଂ ଏହି ପ୍ରସଙ୍ଗରେ କୌଣସି ରୁଲିଂ ନଦିଅନ୍ତି, ତେବେ ଆମେ ଗୃହର ମଧ୍ୟଭାଗରେ ଏହି ପ୍ରସଙ୍ଗ ଉଠାଇବୁ ।

ସେହିପରି ଏହି ପ୍ରସଙ୍ଗରେ ବିଜେଡିର ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଛନ୍ତି, ଏସ୍ଆଇ, ପୂର୍ତ୍ତ ବିଭାଗ ଓ ଏଥିରେ ସମ୍ପୃକ୍ତ ଅନ୍ୟମାନେ ପ୍ରକଳ୍ପର ବୈଷୟିକ ଦିଗ ସମ୍ପର୍କରେ କହିପାରିବେ। ଯଦି ବିରୋଧୀ ଗୃହରେ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଥିଲେ, ତେବେ ସେମାନେ କାହିଁକି ଗଣ୍ଡଗୋଳ କଲେ ।

ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ପାଖରେ କୌଣସି ଗର୍ତ କରି ଖନନ କାମ କରିବାକୁ ଅନୁମତି ନାହିଁ । କିନ୍ତୁ ଏବେ ପ୍ରକଳ୍ପ କାମ ଚାଲିଛି । ଯାହାକୁ ବିରୋଧ କରି ଅନେକ ସଙ୍ଗଠନ ଆନ୍ଦୋଳନ କରୁଛନ୍ତି । ନିକଟରେ ପୁରୀ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ଯେଉଁ ବୟାନ ଦେଇଥିଲେ ତାହା ଡାହା ମିଛ ବୋଲି ଜଣାପଡିବା ପରେ ସରକାର ଅଡୁଆରେ ପଡିଥିଲେ । ଯାହାକୁ ବିରୋଧୀ ପ୍ରସଙ୍ଗ କରି ବିଧାନସଭାରେ ସରକାରକୁ ଘେରିଛନ୍ତି । ଆଉ ସରକାର ବିକାଶ ନାଁରେ ଯାହା କରୁଛନ୍ତି ତାହା ବେଆଇନ୍, ଜଗନ୍ନାଥ କେବେ କ୍ଷମା ଦେବେନି ବୋଲି କହିଥିଲେ।

Leave A Reply

Your email address will not be published.