Latest Odisha News

BREAKING NEWS

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର କରାଯିବ ବୋଲି କହିଛନ୍ତି ବାଚସ୍ପତି ।

ମଣିପୁର ହିଂସାକୁ ନେଇ ଆଜି ପଞ୍ଚମ ଦିନ ମଧ୍ୟ ସଂସଦରେ ହଟ୍ଟଗୋଳ ଲାଗି ରହିଛି । ନିୟମ ୨୬୭ ଅନୁସାରେ, ବିରୋଧୀ ଆଲୋଚନା ପାଇଁ ଅଡ଼ି ବସିଛନ୍ତି । ରାଜ୍ୟସଭାର ସଭାପତି ବିରୋଧୀଙ୍କ ସମସ୍ତ ନୋଟିସକୁ ଅଗ୍ରାହ୍ୟ କରି କହିଛନ୍ତି, ନିୟମ ୧୭୬ ଅନୁଯାୟୀ ଆଲୋଚନା ପ୍ରସ୍ତାବକୁ ପୂର୍ବରୁ ଅନୁମତି ଦିଆଯାଇଛି । ଯାହାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସଂସଦର ଉଭୟ ଗୃହ ଦିନ ୧୨ଟା ଯାଏ ମୁଲତବି ରହିଥିଲା ।

ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ ୨ଟି ନୋଟିସ୍ ଦିଆଯାଇଛି । ଗୋଟିଏ ନୋଟିସ୍ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଦେଇଥିବା ବେଳେ ଅନ୍ୟ ନୋଟିସଟି ବିଆରଏସ୍ ସାଂସଦ ନାଗେଶ୍ୱର ରାଓ ଦେଇଛନ୍ତି । ତେବେ ଅନାସ୍ଥା ପ୍ରସ୍ତାବ ପାଇଁ ୫୦ ସାଂସଦଙ୍କ ସମର୍ଥନ ଜରୁରୀ । ବିଆରଏସ୍ ମଧ୍ୟ ବିପକ୍ଷ ମେଣ୍ଟରେ ସାମିଲ୍ ନାହିଁ । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ବେଳେ ସାଂସଦ ପାଇଁ ଦଳ ହ୍ୱିପ୍ ଜାରି କରିଛି ।

ସୂଚନାଯୋଗ୍ୟ, ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ବିରୋଧରେ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିଥିଲା । ଟିଡିପି ସପକ୍ଷର ୧୨୬ ଭୋଟ୍ ଆସିଥିବା ବେଳେ ୩୨୫ ଭୋଟ୍ ମିଳିଥିଲା ମୋଦି ସରକାରଙ୍କୁ ।

Leave A Reply

Your email address will not be published.