Latest Odisha News

BREAKING NEWS

କୋଟିପତି ପୁଅ, ଆଇଏଏସ ନାତି: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି

‘ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ । ମୁଁ ଆପଣଙ୍କୁ ମୋର ଦୁଃଖ କାହାଣୀ ଶୁଣାଇବି । ମୋ ପୁଅ ପାଖରେ ୩୦ କୋଟିର ସମ୍ପତ୍ତି ।  ହେଲେ ତା ପାଖରେ ମୋତେ ଦେବା ପାଇଁ ଦୁଇ ଓଳିର ରୁଟି ନାହିଁ । ମୁଁ ମୋର ସାନ ପୁଅ ପାଖରେ ରୁହୁଥିଲି । ୬ ବର୍ଷ ତଳେ ତାର ମୃତ୍ୟୁ ଘଟିଲା । କିଛି ଦିନ ପରେ ତାର ପତ୍ନୀ କିଛି ଭୁଲ କାମ କଲା । ମୁଁ ବିରୋଧ କରିବାରୁ ମୋତେ ମାଡ ମାରି ଘରୁ ବାହାର କରିଦେଲା ।…..’

ଏ ଥିଲା ଜଣେ ବୁଢା ବାପାର ଲୁହ ଭିଜା ଚିଠି। ବାର୍ଦ୍ଧକ୍ୟର ବୋଝ ସାଙ୍ଗକୁ ସମ୍ପର୍କର ପ୍ରତାରଣା କେତେ ବା ଆଉ ସହିଥାନ୍ତେ ? ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି । ବିଷ ପିଇ ଆତ୍ମହତ୍ୟା କଲେ । ପତ୍ନୀଙ୍କୁ ସାଙ୍ଗରେ ନେଇ ଦୁନିଆ ଛାଡି ଚାଲିଗଲେ  । ବିଷ ପିଇବା ପରେ ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ । ପୋଲିସ ପହଞ୍ଚିବା ପରେ ଦମ୍ପତି ଏକ ଚିଠି ତାଙ୍କୁ ଧରାଇ ଥିଲେ । ସେତେବେଳକୁ ଅବସ୍ଥା ତାଙ୍କର ଖରାପ ହୋଇଗଲାଣି । ପୋଲିସ ତୁରନ୍ତ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ଘଟିଥିଲା ।

ଏ ହୃଦୟଭିଜା ଘଟଣା  ହରିଆଣାର । ଚରଖୀ-ଦାଦରୀର ଶିବ କଲୋନର ଏହି ବୃଦ୍ଧ ଦମ୍ପତିଙ୍କ ଦୁଃଖଦ ମୃତ୍ୟୁ ସାରା ସହରକୁ ଶୋକାକୁଳ କରିଦେଇଛି । ପୁଅ କୋଟିପତି, ନାତି ଆଇଏଏସ ଅଫିସର । ହେଲେ ଏଇ ବୃଦ୍ଧ ଦମ୍ପତିଙ୍କ ପାଖରେ ଦୁଇଓଳିର ଆହାର ନାହିଁ । ଏହାଠାରୁ ବିଡମ୍ବନାର କଥା ଆଉ କ’ଣ ହୋଇପାରେ ? ବୃଦ୍ଧ ଜଗଦୀଶ ଚନ୍ଦ୍ରଙ୍କ ବୟସ ୭୮ ଏବଂ ପତ୍ନୀ ଭାଗଲୀ ଦେବୀଙ୍କ ବୟ ୭୭ । ତାଙ୍କର ନାତି ବିବେକ ଆର୍ଯ୍ୟ ଚରଖୀ-ଦାଦରୀର ଆଇଏଏସ ଅଫିସର । ୨୦୨୧ ବ୍ୟାଚର ଆଇଏଏସ । ସେ ଏବେ ଟ୍ରେନିଂରେ ଅଛନ୍ତି ।

ବଡ ପୁଅ କୋଟିପତି ହେଲେ ବି ପଚାରୁ ନ ଥିଲେ । ସାନ ପୁଅ ମୃତ୍ୟୁ ପରେ ବୋହୂ ଘରୁ ବାହାର କରିଦେବା ପରେ ସେ କିଛି ଦିନ ଅନାଥାଶ୍ରମରେ ରହୁଥିଲେ । ସେଠାରୁ ଯେତେବେଳେ ଘରକୁ ଫେରିଲେ ସେତେବେଳେ ବୋହୂ ଘରେ ତାଲା ପକାଇ ଦେଲେ । ସେହି ସମୟରେ ପତ୍ନୀ ଭାଗଲା ଦେବୀ ପକ୍ଷାଘାତ ରୋଗର ଶିକାର ହେଲେ । ସେଠାରୁ ଅନ୍ୟ ପୁଅ ପାଖକୁ ଗଲେ । କିଛି ଦିନ ପରେ ସେ ବି ରଖିବାକୁ ମନା କରିଦେଲା । ଏପରିକି ବାପା-ମା’ଙ୍କୁ ବାସୀ ଖାଦ୍ୟ ଖାଇବାକୁ ଦେଲା । ସେଠାରେ ଏହି ମିଠା ଜହର ଆଉ କେତେଦିନ ଖାଇଥାନ୍ତୁ ? ସେଥିପାଇଁ ସଲ୍ଫାସ ଟାବଲେଟ ଖାଇଦେଲୁ ବୋଲି ବୃଦ୍ଧ ଜଗଦୀଶ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି । ସେ ତାଙ୍କର ମୃତ୍ୟୁ ପାଇଁ ତାଙ୍କୁ ପୁଅ, ଦୁଇ ବୋହୂ ଏବଂ ପୁତୁରାକୁ ଦାୟୀ କରିଛନ୍ତି । ସେମାନେ ମୋତେ ଯେତିକି କଷ୍ଟ ଦେଇଛନ୍ତି କୌଣସି ବାପା-ମାଙ୍କୁ ସେ କଷ୍ଟ  ନ ମିଳୁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ମୋ ପରି କଷ୍ଟ କେହି ବୃଦ୍ଧ-ବୃଦ୍ଧା ନ ପାଆନ୍ତୁ । କୌଣସି ପୁଅ ଏମିତି କଷ୍ଟ ନ ଦିଅନ୍ତୁ । ସରକାର ଏବଂ ସମାଜ ଏମିତି ପୁଅ ବୋହୂଙ୍କୁ ଦଣ୍ଡ ଦିଅନ୍ତୁ । ତେବେ ଯାଇ ମୋ ଆତ୍ମା ଶାନ୍ତି ପାଇବ ବୋଲି ସେ ଚିଠିରେ ଉଲ୍ଲେଖ କରିଚନ୍ତି । ଏପରିକି ବ୍ୟାଙ୍କରେ ଥିବା ତାଙ୍କର ୨ଟି ଫିକ୍ସଡ ଡିପୋଜିଟ ଏବଂ ବାଢଡାରେ ଥିବା ଏକ ଦୋକନା ଆର୍ଯ୍ୟ ସମାଜକୁ ଦାନ କରି ଦେଇଛନ୍ତି ।

ଘଟଣା ୨୯ ତାରିଖର ହୋଇଥିବାବେଳେ ଏବେ ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ପୁଅ ବୀରେନ୍ଦ୍ର କହିଛନ୍ତି, ରୋଗରେ ଅତିଷ୍ଠ ହୋଇ ବାପା-ମା’ ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ବୃଦ୍ଧ ଦମ୍ପତିଙ୍କଠାରୁ ପାଇଥିବା ଚିଠିକୁ ସୁଇସାଇଡ ନୋଟ ଭାବେ ଗ୍ରହଣ କରି ମାମଲା ରୁଜୁ କରିବ ବୋଲି କହିଛି ।

Leave A Reply

Your email address will not be published.