Latest Odisha News

BREAKING NEWS

ମଦକୁ ନେଇ ଅବକାରୀ ମନ୍ତ୍ରୀଙ୍କ ବିଶେଷ ବାର୍ତ୍ତା ! ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ବିଷାକ୍ତ ମଦ ଛାଡ଼ନ୍ତୁ

ଭୁବନେଶ୍ୱର : ମଦ କିଣନ୍ତୁ, ପିଅନ୍ତୁ , ମଦ ନପିଇଲେ ଦେହ ଖରାପ ହେବ ! ଏକଥା ଆମେ ନୁହଁ, ଗଣମାଧ୍ୟମକୁ ଶୁକ୍ରବାର ନୂଆ ଅବକାରୀ ନୀତି ଉପରେ ପ୍ରତିକ୍ରିୟା ଦେବାବେଳେ କିଛି ଏମିତି କହିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର । ଅଶ୍ୱିନୀ କହିଛନ୍ତି, ମଦ ପିଇବାରେ ମନା ନାହିଁ କିନ୍ତୁ ବିଷାକ୍ତ ମଦ ଦେହ ପାଇଁ କ୍ଷତିକାରକ । କୋଭିଡ ସମୟରେ ମଦ ପିଇବା ପାଇଁ ଲୋକେ ବ୍ୟାକୁଳ ଥିଲେ, ଲାଇନ ଦେଇ ମଦ ଆଣୁଥିଲେ । ଏପରି ସ୍ଥିତି ହେଲା ଯେ, ମଦ ଲୋକଙ୍କ ଘରେ ପହଞ୍ଚାଇବାକୁ ପଡିଲା, ନଚେତ ଦେହ ଖରାପ ହୋଇଯିବ । ତେଣୁ ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ଲାଇସେନ୍ସ ହୋଲଡ଼ରଙ୍କଠାରୁ, ମାନେ ଭେଜାଲ ପିଅନ୍ତୁ ନାହିଁ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର। ସେପଟେ, ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଏହି ବୟାନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିବା ସହ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତି ଅନୁସାରେ ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ। କେବଳ ସହରାଞ୍ଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ। ରାଜ୍ୟରେ ଭାରତ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ଦର ବୃଦ୍ଧି ପାଇବ। ଏଣିକି ବିୟର ପାର୍ଲରରେ ୱାଇନ୍‌ ଉପଲବ୍ଧ ହେବ। ନୂଆ ଅବକାରୀ ନୀତି ମୁତାବକ, କୌଣସି ମଦ ଦୋକାନୀ ତାଙ୍କ ଦୋକାନରେ ‘ସରକାରୀ’ ବୋଲି ଉଲ୍ଲେଖ କରିବେ ନାହିଁ। ସେମାନେ ତାଙ୍କ ସାଇନ୍‌ବୋର୍ଡରେ ‘ସ୍ବୀକୃତିପ୍ରାପ୍ତ ମଦଦୋକାନ’ ବୋଲି ଲେଖିବେ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତିରେ ଏଭଳି ପରିବର୍ତ୍ତନ ଆସନ୍ତା ଏପ୍ରିଲ୍‌ ପହିଲାରୁ ଲାଗୁ କରାଯିବ।

Leave A Reply

Your email address will not be published.