Latest Odisha News

BREAKING NEWS

ଖମଙ୍ଗରେ ଜିଲ୍ଲା କାରିଗର ସମାବେଶ: ହସ୍ତଶିଳ୍ପ ବିକାଶ ପରିଷଦ ପୁଣି କାର୍ଯ୍ୟକ୍ଷମ ଦାବି

ଭୁବନେଶ୍ୱର: ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ପରିଷଦକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁଙ୍କୁ ଦାବି ଜଣାଇଲା ଓଡ଼ିଶା ଶିଳ୍ପୀ ମହାସଂଘ । ଖମଙ୍ଗ ଶାସନ ଠାରେ ଶିଳ୍ପୀ ମହାସଂଘ ଦ୍ୱାରା ଆୟୋଜିତ ଖୋର୍ଦ୍ଧା ଜିଲ୍ଲା କାରିଗର ସମାବେଶରେ ଏହି ଦାବି ଉପସ୍ଥାପନ ହୋଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରୀତା ସାହୁ । ରାଜ୍ୟ ସରକାର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ତତ୍ପର ଅଛନ୍ତି । ଖୁବ୍ ଶୀଘ୍ର କାରିଗରଙ୍କ ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କାର୍ଯ୍ୟକ୍ରମରେ ପ୍ରତିଶୃତି ଦେଇଥିଲେ ।

ଏହି ଅବସରରେ କାରିଗର ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ସଭାପତି ଉଦୟ ମହାନ୍ତି କଳାକାରଙ୍କ ଆର୍ଥିକ ସମସ୍ୟା କହି ମାସିକ ୧୨୦୦ ଟଙ୍କା ସହାୟତା ଯୋଗାଇବାକୁ ଦାବି ରଖିଥିଲେ । ୨୦୧୮ ମସିହାରେ ଆରମ୍ଭ ହୋଇ ବନ୍ଦ ପଡ଼ିଥିବା ପରିଷଦକୁ ପୁଣି କାର୍ଯ୍ୟକାରୀ କରେଇବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା ।

ବିଶିଷ୍ଠ ସ୍ଥପତି ସୁଦର୍ଶନ ସାହୁ କାରିଗରଙ୍କ କଞ୍ଚାମାଲ୍ ସମସ୍ୟା ବିଷୟ ଉପସ୍ଥାପନ କରିଥିଲେ । ହସ୍ତଶିଳ୍ପ ବିକାଶ ଆୟୁକ୍ତ ସହକାରୀ ନିର୍ଦ୍ଦେଶକ ଅଶୋକ ହୋତା ସରକାରୀ ସୁବିଧା ବିଷୟରେ ଆଲୋକପାତ କରିଥିଲେ । ଖମଙ୍ଗ ଶାସନକୁ ଶିଳ୍ପୀ ଗ୍ରାମ ଘୋଷଣା, ତାଳପତ୍ର ଖୋଦେଇ ହସ୍ତକଳାକୁ ‘କ’ ଶ୍ରେଣୀଭୁକ୍ତ କରିବା ଓ ଏଠାରେ ଏକ କମନ ଫାସିଲଟି ସେଂଟର ସ୍ଥାପନ ନିମନ୍ତେ ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମ ଶେଷ ଭାଗରେ କାକରୁଦ୍ରପରର ଦୁଇ ଦିବ୍ୟାଙ୍ଗ ତାଳପତ୍ର ଶିଳ୍ପୀ ସନ୍ତୋଷ କାମିଲା ଓ ଅନିରୁଦ୍ଧ ପରମାଣିକଙ୍କ ସହ ଭାକର ସାହିର ଦୁଇ ବରିଷ୍ଠ ଚାନ୍ଦୁଆ ଶିଳ୍ପୀ ଜଗନ୍ନାଥ ମହାରଣା ଏବଂ କିଶୋର ମହାରଣା, ଖମଙ୍ଗ ଶାସନର ଦୁଇ ତାଳପତ୍ର ଶିଳ୍ପୀ ଅଜୟ କୁମାର ଭୋଇ, ଆର୍ତତ୍ରାଣ ସ୍ୱାଇଁଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.