Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାରାୟଣ ନାମ ଆଲୋଚନାର ଅନ୍ୟ ଏକ ଦିଗକୁ ଆଜି ବିଶ୍ଳେଷଣ କରିବା, କାରଣ ଏହା କେବଳ ଏକ ନାମ ନୁହେଁ ଏହା ହେଉଛି ମୁକ୍ତିପଥ ମନ୍ତ୍ର। ଅଜାମିଳ ପ୍ରସଙ୍ଗ ଏହା ଆମକୁ ସ୍ପଷ୍ଟ ଭାବରେ ବୁଝାଇ ଦିଏ, ପୁତ୍ରର ନାମ “ନାରାୟଣ “ଡାକି ମହାପାପୀ ଯମଦୂତଙ୍କୁ ଚକିତ କରି ବିଷ୍ଣୁଦୂତଙ୍କ ସହ ବୈକୁଣ୍ଠ ଗମନ କରିଥିଲା.”ନାରା ଅର୍ଥ ମୋକ୍ଷ ଓ ଅୟନ ଅର୍ଥ ପଥ ବୋଲି କିଛି ଗବେଷକ ମତ ଦେଇଛନ୍ତି ଏବଂ ଏହା ମଧ୍ୟ ପ୍ରସଙ୍ଗିକ ମନେ ହୁଏ।

ଏହି ମର୍ମରେ ସ୍କନ୍ଦ ପୁରାଣ କହେ “ଅଶେଷ କର୍ମନାଶlୟ ଜଗତାଂ ସର୍ବମୁକ୍ତୟେ, ଧାରଣାଧ୍ୟାନ ଯୋଗାନାଂ ଦୁଷ୍କରଣାଂ ବିନlପି ଶଃ ମୋକ୍ଷlୟ ଭଗବାନାବିବ୍ରଭୁବ ପୁରୁଷୋତ୍ତମଃ, ଚତୃବର୍ଗପ୍ରଦୋ ଦେବୋ ଯୋ ଯଥା ତଦ ବିଭାବୟେତ ଏଥିରେ ନାମର କଥା ବିଶେଷ ଭାବରେ ବର୍ଣ୍ଣିତ ହୋଇ ନଥିଲେ ମଧ୍ୟ ଜୀବକୁ ଧର୍ମ, ଅର୍ଥ, କାମ, ଓ ମୋକ୍ଷ ପ୍ରଦାନ କରିବା ପାଇଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ନାରାୟଣ )ଯେ ସମର୍ଥ ତାହା ସୁନ୍ଦର ଭାବରେ ବର୍ଣ୍ଣିତ। ସଂସାରର ସମସ୍ତ ଦୁଃଖ, ଶୋକରୁ ମୁକ୍ତି ପାଇଁ ନାରାୟଣ ନାମ ଯାଦୁକରୀ ମନ୍ତ୍ର ସହ ସମାନ। ତେଣୁ ଭକ୍ତ କବି ଦୀନକୃଷ୍ଣ ଦାସ “ରସକଲ୍ଲୋଳ “କାବ୍ୟ ରେ ଅତି ସରଳରେ ଲେଖିଲେ —

“କର ସାଧୁ ଜନେ ମନକୁ ଏକ
କର ଧିରେ ଧ୍ୟାନ ନୀଳାଚଳ ନାୟକ
କମନୀୟ ଶ୍ରୀମୁଖ, ଚନ୍ଦ୍ରରୁ ଅଧିକ
କଲେ ଦର୍ଶନ ନରହେ ସଂସାର ଶୋକ ।

ଏଠାରେ ନାରାୟଣ ନାମର ଅନ୍ୟଏକ ବିଶ୍ଳେଷଣ ମଧ୍ୟ ଆଲୋଚନା କରିବା ବିଧେୟ, ଯଥା କିଛି ଗବେଷକ ଙ୍କ ମତରେ ନlର ଶବ୍ଦ ର ଅର୍ଥ ଜୀବ ସମୂହ ଓ ଅୟନ ଶବ୍ଦ ହେଉଛି ଆଶ୍ରୟ, ଅର୍ଥାତ ଜୀବ ସମୂହଙ୍କ ଯେ ଏକମାତ୍ର ଆଶ୍ରୟ ସେ ହିଁ ନାରାୟଣ। ସେଥିପାଇଁ ବୋଧହୁଏ କବି ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଲେ: ସକଳ ଘଟେ ନାରାୟଣ, ବସନ୍ତି ଅନାଦି କାରଣ । “ ଅବା ଗୀତାରେ କୁହାଗଲା “ମାମୈବାଂଶୋ ଜୀବଲୋକେ, ଜୀବଭୂତ ସନାତନଃ । “

ଏହି ମୁକ୍ତିପ୍ରଦ ନାମ ନାରାୟଣର ଶାସ୍ତ୍ର ଅନେକ ବ୍ୟାଖ୍ୟା କରିଛି, ସବୁର ଆଲୋଚନା ଜାରିରଖିବା ଆଗାମୀ ଅଧ୍ୟାୟରେ, ଏବେ କିନ୍ତୁ ଆରାଧନାର ସମୟ

“ଅନାଦି ପ୍ରଭୂ ନାରାୟଣ
ସଂସାର ପରମ କାରଣ
ଏକ ଅନେକ ରୂପ ଧରି
ପୁରାଣ ପୁରୁଷ ମୁରାରୀ”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.