ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ଓ ବ୍ୟକ୍ତିଗତ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ହାର୍ଦ୍ଦିକ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ଖେଳି ନ ଥିଲେ । ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଖେଳିବା ସହ ଦଳକୁ ବହୁ ପ୍ରତୀକ୍ଷୀତ ବିଜୟ ପ୍ରଦାନ କରିଥିଲେ । ମୁମ୍ବାଇ ତାର ପରବର୍ତୀ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ଖେଳିବ । ଏହି ମ୍ୟାଚରେ ମଧ୍ୟ ହାର୍ଦ୍ଦିକଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ମେ ୧୦ରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିମ ସହ ହାର୍ଦ୍ଦିକ ଯାଇ ନାହାନ୍ତି ।
କ୍ରିକବଜ ରିପୋର୍ଟ ଅନୁସାରେ ହାର୍ଦ୍ଦିକ ପିଠି ସମସ୍ୟାରେ ପଡିଥିବାରୁ ମ୍ୟାଚ ଖେଳି ନ ଥିଲେ । ଏବେ ମଧ୍ୟ ସେ ସମ୍ପୂର୍ଣ୍ଣ ଫିଟ ହୋଇ ନାହାନ୍ତି ବୋଲି ଫ୍ରାଂଚାଇଜ ପକ୍ଷରୁ କୁହାଯାଇଛି । ହାର୍ଦ୍ଦିକ ୮ଟି ମ୍ୟାଚରେ ୧୩୬ ଷ୍ଟ୍ରାଇକ ରେଟରେ ୧୪୬ ରନ ସଂଗ୍ରହ କରିଛନ୍ତି । ସେ ମାତ୍ର ୪ଟି ୱିକେଟ ଅକ୍ତିଆର କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବା ପରେ ଦଳ ୩୭ ମ୍ୟାଚରୁ ମାତ୍ର ୧୪ରେ ବିଜୟ ହାସଲ କରିଥିବା ବେଳ ୨୩ରେ ପରାଜିତ ହୋଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଫ୍ରାଂଚାଇଜ ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ସନ୍ତୁଷ୍ଟ ନ ଥିବାରୁ ତାଙ୍କ ଓହରିିଯିବା ପାଇଁ ଚାପ ପକାଇଥିଲା ।