ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲରେ ଖରାପ ପ୍ରଦର୍ଶନ ଜାରୀ ରଖିଛି । ଫ୍ରାଂଚାଇଜ ଓ ଟିମ ମ୍ୟାନେଜମେଂଟ ଏ ନେଇ ହାର୍ଦ୍ଦିକଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏପରିକି ସାଥୀ ଖେଳାଳିମାନେ ମଧ୍ୟ ତାଙ୍କୁ ଉପଯୁକ୍ତ ସହଯୋଗ କରୁ ନ ଥିବା ହାର୍ଦ୍ଦିକ ପରୋକ୍ଷରେ କହିଛନ୍ତି । ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । କୋଲକାତା ନାଇଟ ରାଇଡର୍ସ ତାଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି । ଦୁଇ ଫ୍ରାଂଚାଇଜ ମଧ୍ୟରେ ଏ ନେଇ ଆଲୋଚନା ମଧ୍ୟ ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଖୁବ ଶୀଘ୍ର ଏ ସମ୍ପର୍କିତ ଡିଲ ଫାଇନାଲ ହୋଇପାରେ ।
କେକେଆର ଅଜିଙ୍କ୍ୟ ରାହାଣେଙ୍କ ବଦଳରେ ନୂଆ ଅଧିନାୟକ ଖୋଜିବା ଆରମ୍ଭ କରିଛି । ହାର୍ଦ୍ଦିକ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ଟିମ ଆଶା କରିଛି । ଅପରପକ୍ଷରେ ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଛି । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟାନ୍ସ ଦୁଇ ଥର ଫାଇନାଲରେ ପ୍ରବେଶ କରିଛି । ଗୋଟିକରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ମୁକାବିଲାରେ ପରାଜିତ ହୋଇଛି । କେକେଆର କାହା ସହିତ ହାର୍ଦ୍ଦିକଙ୍କ ଟ୍ରେଡ କରିବ ତାହା ସ୍ପଷ୍ଟ ହୋଇନି । ଅନ୍ୟ ଅର୍ଥରେ ରିପୋର୍ଟ ମୁତାବକ ହାର୍ଦ୍ଦିକ ମୁମ୍ବାଇ ଛାଡିବା ଏକପ୍ରକାର ନିଶ୍ଚିତ ମନେ କରାଯାଉଛି ।
