Latest Odisha News

BREAKING NEWS

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସଜା କାଟୁଥିବା ପୂର୍ବତନ ବିଧାୟକଙ୍କୁ ଜାମିନ୍

କଟକ: ୧୯୯୫ ମସିହାରେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ପତ୍ନୀଙ୍କ ମୃତ୍ୟୁର ପ୍ରାୟ ୨୮ ବର୍ଷ ପରେ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ ଶୁଣିବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଗମାଙ୍ଗଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ଜୁନ୍ ୨୭ରେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ଏହାପରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ଗମାଙ୍ଗ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ଭୁବନେଶ୍ୱର ଏମଏଲଏ କଲୋନିରେ ଥିବା ପୂର୍ବତନ ବିଧାୟକଙ୍କ କ୍ୱାର୍ଟର୍ସର ଗାଧୁଆ ଘରୁ ଗମାଙ୍ଗଙ୍କ ପତ୍ନୀ ଶଶିରେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ସେତେବେଳେ ସେ ଚାରି ମାସର ଗର୍ଭବତୀ ଥିଲେ ବୋଲି କୁହାଯାଉଛି।

ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା କାରଣ ଗମଙ୍ଗ ପୋଲିସକୁ କହିଥିଲେ ଯେ ଘଟଣା ଘଟିବା ସମୟରେ ସେ କ୍ବାର୍ଟର୍ସରେ ନଥିଲେ ଏବଂ ତାଙ୍କ ପତ୍ନୀ ତାଙ୍କ ଉପରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି।

ପୋଷ୍ଟମର୍ଟମ ରିପୋର୍ଟରେ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିବା ପରେ ପୂର୍ବତନ ବିଧାୟକ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଏହା ପରେ ଖାରବେଳ ନଗର ଥାନାରେ ସବ୍-ଇନ୍ସପେକ୍ଟର ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।

୧୯୯୫ରେ ଜନତା ଦଳ ଟିକେଟରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଗମାଙ୍ଗ ୨୦୦୦ରେ ବିଜେପିରେ ଯୋଗ ଦେଇଥିଲେ। ୨୦୦୦ରେ ବିଜେପି ଟିକେଟରେ ସେ ପୁଣି ଥରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୦୪ ବିଧାନସଭା ନିର୍ବାଚନରେ ସେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ହେମା ଗମାଙ୍ଗଙ୍କଠାରୁ ପରାଜିତ ହୋଇଥିଲେ।

୨୦୦୯ରେ ବିଜେଡି ସହ ମେଣ୍ଟ ଭାଙ୍ଗିବାର କିଛି ସମୟ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। କିନ୍ତୁ ୨୦୧୪ରେ ଗୁଣୁପୁର ବିଧାନସଭା ଆସନ ପାଇଁ ବିଜେଡି ଟିକେଟ୍ ନମିଳିବାରୁ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.