Latest Odisha News

ଗ୍ରହ ଦୋଷ ଥିଲେ ହୁଏ ଏହିସବୁ ରୋଗ; ଜାଣନ୍ତୁ ଅଶୁଭ ପ୍ରଭାବରୁ କିପରି ମିଳବ ମୁକ୍ତି..

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ସ୍ଥିତି ଓ ପ୍ରଭାବ ଆମ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଗ୍ରହଙ୍କ ଶୁଭ ପ୍ରଭାବ ଶରୀରକୁ ସୁସ୍ଥ ରଖେ । ଅଶୁଭ ପ୍ରଭାବ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରେ ଓ ବାରମ୍ବାର ଶରୀର ରୋଗଗ୍ରସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗ୍ରହଙ୍କ ପ୍ରଭାବରୁ କେଉଁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ..

ସୂର୍ଯ୍ୟଙ୍କ ଅଶୁଭ ପ୍ରଭାବରେ ହାଡ ଦୁର୍ବଳ ହୁଏ, ଦୃଷ୍ଟିଶକ୍ତି ଦୁର୍ବଳ, ହୃଦୟ ରୋଗ, ଆତ୍ମବିଶ୍ୱାସର ଅଭାବ ଆସିଥାଏ । ଏଥିସହ ସୂର୍ଯ୍ୟ ଜାତକରେ ଦୁର୍ବଳ ହେବା ଦ୍ୱାରା ଥକ୍କାପଣ, ଆଳସ୍ୟ ଓ ମାନସିକ ଚିନ୍ତା ବଢିଥାଏ । ସୂର୍ଯ୍ୟଗ୍ରହଙ୍କ ଶୁଭଫଳ ପାଇଁ ଆପଣ ରବିବାର ଦିନ ସକାଳେ ତମ୍ବା ଢାଳରେ ଜଳ, ଲାଲ ଫୁଲ, ଚାଉଳର ଅର୍ଘ୍ୟ ଅର୍ପଣ କରନ୍ତୁ । ଏହାସହ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଗୁଡ ଓ ଗହମ ଦାନ କରନ୍ତୁ ।

ଚନ୍ଦ୍ରମାର ଅଶୁଭ ପ୍ରଭାବରେ ମାନସିକ ଚିନ୍ତା, ଅସ୍ଥିରତା, ଅନିଦ୍ରା, ନିଦ ଜନିତ ସମସ୍ୟା, ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ ସମସ୍ୟା ଦେଖାଯାଏ । ଶୁଭଫଳ ପାଇଁ ଶିବଲିଙ୍ଗରେ ଜଳ ଓ କ୍ଷୀର ଅର୍ପଣ କରନ୍ତୁ । ଚାଉଳ ଓ ଧଳା ବସ୍ତ୍ର ଦାନ କରନ୍ତୁ ।

ମଙ୍ଗଳର ଅଶୁଭ ପ୍ରଭାବରୁ ରକ୍ତ ଜନିତ ସମସ୍ୟା, ଦୁର୍ଘଟଣା, ଅସ୍ତ୍ରୋପଚାର ଆଦି ହୋଇଥାଏ । ଶୁଭଫଳ ପାଇଁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ । ମଙ୍ଗଳ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ମସୁର ଡାଲି, ଲାଲ ବସ୍ତ୍ର ଦାନ କରନ୍ତୁ ।

ବୁଧର ଅଶୁଭ ପ୍ରଭାବରେ ତ୍ୱଚା ରୋଗ, ମୁଣ୍ଡ ବିନ୍ଧା ଓ ମୁଣ୍ଡ ବୁଲାଇବା ଆଦି ସମସ୍ୟା ହୋଇଥାଏ । ଶୁଭଫଳ ପାଇଁ ପ୍ରଭୁ ଗଣେଶଙ୍କୁ ପୂଜା କରନ୍ତୁ । ସବୁଜ ବସ୍ତ୍ର,ମୁଗ ଦାନ କରନ୍ତୁ ।

ବୃହସ୍ପତି ଅଶୁଭ ପ୍ରଭାବରୁ ପାଚନ ତନ୍ତ୍ରରେ ସମସ୍ୟା, ମଧୁମେହ ଓ ମୋଟାପଣ ବଢିଥାଏ । ଶୁଭଫଳ ପାଇଁ ଗୁରୁବାର ଅଶ୍ୱତ୍ଥ ବୃକ୍ଷ ମୂଳେ ପୂଜା କରନ୍ତୁ । ହଳଦୀ, ଚଣା ଡାଲି ଦାନ କରନ୍ତୁ ।

ଶୁକ୍ରଙ୍କ ଅଶୁଭ ପ୍ରଭାବରୁ ସନ୍ତାନ ଜନିତ ସମସ୍ୟା, ଷ୍ଟୋନ୍‌ ସମସ୍ୟା, ତ୍ୱଚାର ଚମକ ହ୍ରାସ ପାଇଥାଏ । ଗଳାରେ ସଂକ୍ରମଣ ହୋଇଥାଏ । ଶୁଭଫଳ ପାଇଁ ଶୁକ୍ରବାର ମା’ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ‘ଓଁ ଶୁକ୍ରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଚାଉଳ, ଦହି ଦାନ କରନ୍ତୁ ।

ଶନିଙ୍କର ଅଶୁଭ ପ୍ରଭାବରେ ହାଡ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ଦାନ୍ତ ସମସ୍ୟା ଦେଖାଯାଏ । ଶନି ଦୁର୍ବଳ ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟା ଲାଗି  ରହେ । ଶୁଭଫଳ ପାଇଁ ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳେ ପୂଜା କରନ୍ତୁ । ଲୁହା ଜିନିଷ ଦାନ କରନ୍ତୁ ।

 

Comments are closed.