Latest Odisha News

BREAKING NEWS

ମାଲକାନଗିରି ପିଏ ମୃତ୍ୟୁ ମାମଲା: ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମାଲକାନଗିରି ପିଏ ମୃତ୍ୟୁ ମାମଲାରେ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ। କୋର୍ଟରେ ହାଜର ନହେବାରୁ ଜାମିନ ବିହିନ ଗିରଫ ପରୱାନା (NBW) ଜାରି କଲେ ଏସ୍‌ଡିଜେଏମ୍‌ କୋର୍ଟ।

ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ସହଯୋଗୀ ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଏହି ଏନବିଡବ୍ଲ୍ୟୁ ଜାରି କରାଯାଇଛି। ୨୦୧୯ ଡିସେମ୍ବରରେ ଦେବ ନାରାୟଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଦେବ ନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ।

ଉଲ୍ଲେଖ ଥାଉକି, ଗତ ୨୦୧୯ ମେ’ ମାସ ୨୭ ତାରିଖରେ ପିଏ ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ସେ ଅଫିସକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ଖୋଜଖବର ପାଇନଥିଲେ। ପରଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଦେବ ନାରାୟଣଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ସ୍ବାମୀଙ୍କ ରହସ୍ୟଜନକ ମୃତ୍ୟୁ ପାଇଁ ପତ୍ନୀ ବନଜା ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ।

ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମୃତକଙ୍କ ପରିବାର ଲୋକେ ମାଲକାନଗିରି ଏସଡିଜେଏମ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା। ପୋଲିସ ଡିଜି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ସେତେବେଳେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

Comments are closed.