Latest Odisha News

BREAKING NEWS

ଲଘୁଚାପ ଜନିତ ପ୍ରବଳ ବର୍ଷା: ଗଛ ଉପୁଡ଼ି ଓଡ଼ିଶା-ଆନ୍ଧ୍ରପ୍ରଦେଶ ରାସ୍ତା ଅବରୋଧ

ରାୟଗଡ଼ା: ଉପକୂଳ ଅତିକ୍ରମ କରିଥିବା ଗଭୀର ଅବପାତ ପ୍ରଭାବରେ ରାୟଗଡ଼ା ଜିଲ୍ଲାର ସମସ୍ତ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଛି। ଗୁରୁବାର ସକାଳେ ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଶେଷଖାଲ ଥାନା ନିକଟରେ ରାୟଗଡ଼ା-ବିଜୟନଗରମ୍ ମୁଖ୍ୟ ରାସ୍ତା ଉପରେ ଏକ ବିଶାଳ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ଏହି ବ୍ୟସ୍ତବହୁଳ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇଥିଲା। ଦୀର୍ଘ ଆଠ ଘଣ୍ଟା ଧରି ଆନ୍ଧ୍ରପ୍ରଦେଶ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏକ ଟ୍ରକ ଏଥିରେ କ୍ଷତିଗ୍ରସ୍ତ ହୋଇଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତା ସଫା କରିବା ପରେ ଯାତାୟାତ ପୁଣିଥରେ ସ୍ୱାଭାବିକ ହୋଇଥିଲା।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ରାତି ଏବଂ ଗୁରୁବାର ଭୋର ସମୟରେ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟଣା ଠାରୁ ୫୦ କିମି ପଶ୍ଚିମରେ ଏହି ଗଭୀର ଅବପାତ ସ୍ଥଳଭାଗ ଛୁଇଁଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ରହିଥିବା ବେଳେ ବେଳେବେଳେ ଏହା ୭୫ କିମି ଛୁଇଁଥିଲା। ବର୍ତ୍ତମାନ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮.୩୦ ସୁଦ୍ଧା) ହାରାହାରି ୩୬.୩୪ ମିଲିମିଟର ବର୍ଷା ଜିଲ୍ଲାରେ ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ମୁନିଗୁଡ଼ା ବ୍ଲକରେ ୫୫.୩ ମିମି ହୋଇଥିବା ବେଳେ କାଶୀପୁରରେ ୪୯ ମିମି, ରାୟଗଡ଼ାରେ ୪୬.୪ ମିମି, ରାମନାଗୁଡ଼ାରେ ୪୦.୨ ମିମି, ପଦ୍ମପୁରରେ ୩୩.୨ ମିମି ଏବଂ ଗୁଣପୁରରେ ୩୩ ମିମି ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଫଳରେ ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଆଶ୍ୱସ୍ତିର ବିଷୟ ଯେ ସମସ୍ତ ନଦୀ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଗୁଣପୁର ଠାରେ ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ୮୧.୯୫ ମିଟର ରହିଛି କିନ୍ତୁ ବିପଦ ସଙ୍କେତ ୮୪ ମିଟର। ସେହିପରି ଗୁଡାରିଠାରେ ଏହି ନଦୀର ଜଳସ୍ତର ୧୧୪.୬୫ ମିଟର ଓ କୁଟ୍ରାଗଡ଼ ଠାରେ ୨୫୮.୩୬ ମିଟର ରହିଛି। ଜାଗାଗୁଡ଼ା ଠାରେ ନାଗାବଳୀ ନଦୀର ଜଳସ୍ତର ୧୫୩.୪୬ ମିଟର ଥିବାବେଳେ ଝଞ୍ଜାବତୀ ନଦୀର ଜଳସ୍ତର ୧୧୬.୬୨ ମିଟର ରହିଛି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଗୁଣପୁର ଜଳସେଚନ ବିଭାଗ କର୍ମଚାରୀଙ୍କ ଦ୍ୱାରା ନଦୀ କୂଳରେ ଥିବା ସିଡବ୍ଲୁସି ଗେଜ୍ ଷ୍ଟେସନ୍ ନିକଟରେ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି।

ବଡ଼ନାଳ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ କେନ୍ଦୁଗୁଡ଼ା ଡ୍ୟାମର ଜଳସ୍ତର ନିରାପଦ ସ୍ଥିତିରେ ରହିଛି। ଡ୍ୟାମର ସର୍ବୋଚ୍ଚ କ୍ଷମତା ୧୭୬ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୭୫.୦୭ ମିଟର ରହିଛି। ସ୍ଥିତି ନିୟନ୍ତ୍ରଣରେ ଥିବାରୁ ବର୍ତ୍ତମାନ ସୁଦ୍ଧା ଡ୍ୟାମର କୌଣସି ୮ଟି ଯାକ ଗେଟ୍ ଖୋଲାଯାଇ ନାହିଁ। ପ୍ରତିକୂଳ ପାଗ ଓ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନଦୀକୂଳିଆ ତଥା ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯେକୌଣସି ଜରୁରୀକାଳୀନ ପରିସ୍ଥିତି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଜିଲ୍ଲାପାଳ ଆଶୁତୋଷ କୂଲକର୍ଣୀ କହିଛନ୍ତି।

Leave A Reply

Your email address will not be published.