ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ କୋଚିଂ କ୍ୟାରିୟରର ସବୁଠାରୁ କଠିନ ନିଷ୍ପତ୍ତି ବିଷୟରେ ଖୁଲାସା କରିଛନ୍ତି । ଇଂଲଣ୍ଡ ଗସ୍ତ ସମୟରେ ୱିକେଟକିପର-ବ୍ୟାଟର୍ ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦେଇ ଯୁବ ଖେଳାଳି ବୈଭବ ସୂର୍ୟ୍ୟବଂଶୀଙ୍କୁ ସୁଯୋଗ ଦେବା ନିଷ୍ପତ୍ତି ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା ଏବଂ ସେହି ଗୋଟିଏ ରାତି ସେ ଆଦୌ ଶୋଇପାରିନଥିଲେ । ଟି-୨୦ ବିଶ୍ୱକପ୍ରେ ପ୍ଲେୟାର ଅଫ୍ ଦି ଟୁର୍ନାମେଣ୍ଟ ହୋଇଥିବା ସଞ୍ଜୁ ସାମସନ୍ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ଗୁଡ଼ିକରେ (୫, ୦, ୧) ରନ୍ କରିବାରେ ବିଫଳ ହୋଇଥିଲେ । ସିରିଜ୍ ଜିତିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ମାଞ୍ଚେଷ୍ଟର ମ୍ୟାଚ୍ରେ ସଞ୍ଜୁଙ୍କ ସ୍ଥାନରେ ଯୁବ ତାରକା ବୈଭବ ସୂର୍ୟ୍ୟବଂଶୀଙ୍କୁ ସୁଯୋଗ ଦେଇଥିଲା । ଗମ୍ଭୀର କହିଛନ୍ତି, ମୋର ୨ ବର୍ଷର କୋଚିଂ କ୍ୟାରିୟରରେ ସେହି ଗୋଟିଏ ରାତି ମୁଁ ଶୋଇପାରିନଥିଲି । ମୁଁ ସଞ୍ଜୁଙ୍କ ସହ ସ୍ପଷ୍ଟ ଆଲୋଚନା କରିଥିଲି ଏବଂ ସେ ଏହାକୁ ଖେଳାଳି ମନୋଭାବ ସହ ଗ୍ରହଣ କରିଥିଲେ ।
ବୈଭବ ଭଲ ଫର୍ମରେ ଥିଲେ ଏବଂ ଓପନିଂରେ ଆମକୁ ଏକ ମଜବୁତ ଆରମ୍ଭ ଦରକାର ଥିଲା । ପରବର୍ତ୍ତୀ ସମୟରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ସଞ୍ଜୁ ଦଳକୁ ଫେରିଥିଲେ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରି ଭାରତକୁ ୩-୦ ରେ ସିରିଜ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବାହାରର ଚର୍ଚ୍ଚା କିମ୍ବା ସୋସିଆଲ୍ ମିଡିଆ ଦ୍ୱାରା ଚୂଡ଼ାନ୍ତ ଏକାଦଶ ସ୍ଥିର ହୁଏନାହିଁ ବୋଲି ଗମ୍ଭୀର ସ୍ପଷ୍ଟ କରିଛନ୍ତି । ଦୀର୍ଘ ଦିନ ଧରି ଦଳ ପାଇଁ ଭଲ ପ୍ରଦର୍ଶନ କରିଆସୁଥିବା ଖେଳାଳିଙ୍କୁ ୩-୪ଟି ମ୍ୟାଚ୍ରେ ବିଫଳତା ପାଇଁ ଦଳରୁ ବାହାର କରିବା ଉଚିତ୍ ନୁହେଁ । ବୈଭବଙ୍କ ଭଳି ଯୁବ ପ୍ରତିଭାଙ୍କୁ ନିଜ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିବ, କାରଣ ଦଳରେ ସୁରକ୍ଷିତ ପରିବେଶ ଓ ନିରନ୍ତରତା ବଜାୟ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

