Latest Odisha News

BREAKING NEWS

କୋରାନ ଗାଇ ମନ ଜିଣିଲା କୁନି ଝିଅ

ଥିରୁଅନନ୍ତପୁରମ: ଧର୍ମର ନ ଥାଏ ସୀମା ସରହଦ । ଧର୍ମ ବିଶ୍ୱାସ ପାଇଁ ନ ଥାଏ ଲକ୍ଷ୍ମଣ ରେଖା । ଜଣେ ଅଛନ୍ତି ସର୍ବୋଚ୍ଚ ପାଳନକର୍ତ୍ତା । ସେ ଭଗବାନ..ସେ ଗଡ୍..ସେ ଆଲ୍ଲା.. । ସେ ଏକ, ଅଦ୍ୱିତୀୟ..  । ଧର୍ମକୁ ନେଇ ରକ୍ତର ନଦୀ ବହୁଥିବାବେଳେ  ଛୋଟ ଝିଅଟି ଏଇ ନିଗୁଡ କଥାକୁ ବୁଝାଇ ଦେଇଛି । ଆପଣ ଭକ୍ତ ସାଲବେଗ କାହାଣୀ ଶୁଣିଥିବେ, ସିକନ୍ଦର ଅଲାମଙ୍କ ଜଗନ୍ନାଥ ଭଜନ ବି ଶୁଣିଥିବେ । ଏଠି ଆମେ  କୁନି ଝିଅ ପ୍ରଭାତିଙ୍କ କଥା କହିବୁ, ଯିଏ ହିନ୍ଦୁ ହୋଇ ବି ପ୍ରାଞ୍ଜଳ ଭାବେ  କୋରାନ ଆବୃତ୍ତି କରିପାରୁଛନ୍ତି ।

କେରଳ କୋଝିକୋଡେର କୁନିଝିଅ ପ୍ରଭାତି । ୪ର୍ଥ ଶ୍ରେଣୀର ଛାତ୍ରୀ । ଥୋଡାନୁର ଉପଜିଲ୍ଲାରେ  ଆୟୋଜିତ କୋରାନ ଆବୃତ୍ତି ପ୍ରତିଯୋଗିତାରେ  ଏଇ କୁନି ଝିଅ ପ୍ରଥମ ପୁରସ୍କାର ଜିତିଛନ୍ତି । ଆରବିକ ଭାଷାରେ ଦକ୍ଷତା ହାସଲ କରିଥିବା ପ୍ରଭାତି ଅତି ସୁନ୍ଦର ଓ ପ୍ରାଞ୍ଜଳ ଭାବେ କୋରାନ ଆବୃତ୍ତି କରି ସମସ୍ତଙ୍କ ମନକୁ ଛୁଇଁ ଯାଇଛନ୍ତି ।

ପ୍ରଭାତି ହିନ୍ଦୁ ସଂପ୍ରଦାୟର  । ତାଙ୍କର ଜଣେ ଯମଜ ଭାଇ ଅଛନ୍ତି ଯାହାର ନାଁ ପ୍ରଭନ । ବିଭିନ୍ନ ଭାଷା ଉପରେ ଦୁଇ ଭାଇ ଭଉଣୀଙ୍କ ଅଗାଧ ଦକ୍ଷତା । ଯାହା ବି ହେଉ, ଏହି କୋରାନ ଆବୃତ୍ତି ପ୍ରତିଯୋଗିତା ଜିତିବା ପରେ ପ୍ରଭାତି ଧାର୍ମିକ ସଦ୍ଭାବନାର ଏକ ପ୍ରତୀକ ପାଲଟି ଯାଇଛନ୍ତି ।

ଇସଲାମ ଧର୍ମଗ୍ରନ୍ଥ କୋରାନ ।  ଯେତେବେଳେ ପ୍ରଭାତିଙ୍କ କଣ୍ଠରୁ ଭାସି ଆସିଥିଲା ସେଇ  ଆରବିକ ପଦ୍ୟାଂଶ   ‘ବିସମିଲାହିର ରହମାନିର ରହିମ….’  ଉପସ୍ଥିତ ଲୋକେ ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ପ୍ରଭାତିଙ୍କୁ ମୁହଁରେ ଏହାର ଅନୁବାଦ   ‘ଆାଲ୍ଲା ସେଇ ନାମ ଯାହା  ସବୁଠୁ ବିନମ୍ର..ସବୁଠୁ ଦୟାଳୁ ..’ ବି ବିଚାରକ ମଣ୍ଡଳୀଙ୍କ ମନକୁ ଛୁଇଁ ଯାଇଥିଲା ।

ପ୍ରଭାତିଙ୍କ ବାପା ନଲିଶ ବବି ପେଷାରେ ଜଣେ ଆଇଟି ପ୍ରଫେସନାଲ । କୋଜିକୋଡେରେ କାମ କରନ୍ତି । ମା’ ଦିନା ପ୍ରଭା ଇଂରାଜୀ ଅଧ୍ୟାପିକା । ପରିବାର ଲୋକେ ଭାଷାର ମୂଲ୍ୟକୁ ବୁଝିଥିଲେ  । ତେଣୁ ପିଲାବେଳୁ ପ୍ରଭାତି ଓ ପ୍ରଭନଙ୍କୁ ଏକାଧିକ ଭାଷାଶିକ୍ଷା ପ୍ରତି ଉତ୍ସାହିତ କରୁଥିଲେ ।

Leave A Reply

Your email address will not be published.