ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ନାରୋୱାଲ ଜିଲ୍ଲାର ସିରାଜ ଗ୍ରାମରେ ୧୨୫ ବର୍ଷ ପୁରୁଣା ପ୍ରାଚୀନ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ପ୍ରାୟ ୧,୦୦୦ ବର୍ଗ ମିଟର ପରିମିତ ସ୍ଥାନରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରଟିକୁ ଏକ ସ୍ଥାନୀୟ ମଦ୍ରାସାରେ ସାମିଲ କରିବା ପାଇଁ କିଛି କଠୋରପନ୍ଥୀ ଗୋଷ୍ଠୀ ଭାଙ୍ଗି ଦେଇଥିବା ସ୍ଥାନୀୟ ଅଳ୍ପସଂଖ୍ୟକ ସଂପ୍ରଦାୟ ଓ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ୨୧ ତାରିଖରେ ବେଆଇନ ଭାବେ ମନ୍ଦିରର ଉପର ଅଂଶ ଓ ପ୍ରାଚୀରକୁ ଭାଙ୍ଗି ଏହାର ଜମି ଜବରଦଖଲ କରାଯାଇଛି। ପାକିସ୍ତାନ ମିଲ୍ଲତ ପାର୍ଟି ଏବଂ ସ୍ଥାନୀୟ ହିନ୍ଦୁ ନେତାମାନେ ଏହି ଘଟଣାରେ ଜଡ଼ିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ମନ୍ଦିରର ପୁନଃନିର୍ମାଣ ଦାବି କରି ପଞ୍ଜାବ ଗୃହ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଅପରପକ୍ଷରେ, ପାକିସ୍ତାନ ସରକାରୀ ସଂସ୍ଥା ‘ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ’ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଟ୍ରଷ୍ଟର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ଭାଙ୍ଗିଛି । କିଛି ବ୍ୟକ୍ତି ବେଆଇନ ଭାବରେ ସମ୍ପତ୍ତିର କିଛି ଅଂଶ ଦଖଲ କରିଥିବା ଅଭିଯୋଗ ହୋଇଛି। ଯେତେବେଳେ ଜବରଦଖଲ ହଟାଇବାର ସମୟ ଆସିଲା, ସେତେବେଳେ ତେହେରିକ୍-ଏ-ଲବୈକ୍ ପାକିସ୍ତାନ ମନ୍ଦିରକୁ ଭାଙ୍ଗି ଦେଇଥିଲା ଏବଂ ସ୍ଥାନଟିକୁ ଆଖପାଖ ଅଞ୍ଚଳ ଯାହା ମଦ୍ରାସା ରେ ମିଶା ଯାଇ ଥିଲା ।


Comments are closed.