Latest Odisha News

BREAKING NEWS

ଆଧୁନିକ ଏଲଏଚବି କୋଚ୍ ସହିତ ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ

ଭୁବନେଶ୍ବର : ଯାତ୍ରୀଙ୍କ ସୁରା ଉପରେ ରେଳବାଇର ଗୁରୁତ୍ବ । ଏହାକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବର-ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସର ନୂତନ ଏଲଏଚବି ରେକର ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ରେଳ ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ ୦୮୪୪୫/୦୮୪୪୬ ହୀରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ, ରେଳବାଇରେ ସଂସ୍କାର ଆଣିବା ଉପରେ ଗୁରୁତ୍ବ ଦିଆଯାଉଛି । ଭାରତୀୟ ରେଳବାଇକୁ କେବଳ ବର୍ଦ୍ଧିତ ପରିବର୍ତ୍ତନ ନକରି ଏହାକୁ ସୁଦୃଢ଼ ଭାବେ ପରିବର୍ତ୍ତନ କରିବା ଏହାର ଲକ୍ଷ୍ୟ ଅଟେ । କେନ୍ଦ୍ର ସରକାର ଏହି ପ୍ରକଳ୍ପ ଗୁଡ଼ିକୁ ଏକ ଏକ୍ସପ୍ରେସ ମୋଡରେ ଅନୁସରଣ କରୁଛନ୍ତି । ପ୍ରତିବର୍ଷ ପ୍ରାୟ ୬ ହଜାରରୁ ୭ ହଜାର କୋଟି ଟଙ୍କା ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ପାଇଁ ବଜେଟରେ ମଞ୍ଜୁର କରାଯାଉଛି ।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ହୀରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ ଜଗଦଲପୁର ପର୍ଯ୍ୟନ୍ତ ୭୮୪ କିଲୋମିଟର ଯାତ୍ରା କରୁଥିବା ବେଳେ ଏହା ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର ୨୧ଟି ମଧ୍ୟବର୍ତ୍ତୀ ଷ୍ଟେସନରେ ରହଣି କରୁଛି । ଏହି ଟ୍ରେନର ଅନ୍-ବୋର୍ଡ ଯାତ୍ରୀମାନେ ବର୍ତ୍ତମାନ ଆଧୁନିକ ଏଲଏଚବି ରେକରେ ଯାତ୍ରା ସମୟରେ ଟ୍ରେନ ଭିତରୁ ମାର୍ଗରେ ଥିବା ଉପତ୍ୟକା, ଟନେଲ୍, ପ୍ରାଣୀ ଏବଂ ଉଦ୍ଭିଦର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଯେଉଁଥିରେ ନୂତନ ଆଧୁନିକ ଏଲଏଚବି କୋଚର ଆରାମ ଦାୟକ ଯାତ୍ରା ସାଙ୍ଗକୁ ମଡ୍ୟୁଲାର୍ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି ।

ଯାତ୍ରୀଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ବର୍ତ୍ତମାନ ଚାଲୁଥିବା ପାରମ୍ପରିକ କୋଚ ଗୁଡ଼ିକୁ ବଦଳାଇ ଆଧୁନିକ ଲିଙ୍କେ-ହୋଫମାନ-ବୁଶ କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ନେଇଛି । ଏଲ.ଏଚ.ବି. କୋଚର ଅନେକ ଗୁଡିଏ ବୈଶିଷ୍ଟତା ରହିଛି । ଏହା ଆଣ୍ଟି ଟେଲିସ୍କୋପିକ । ଦ୍ୱୈତ ବଫର ପ୍ରଣାଳୀ ବଦଳରେ କେନ୍ଦ୍ରୀୟ ବଫର କପଲିଙ୍ଗ ପ୍ରଣାଳୀ ଯୁକ୍ତ ଏହି ଆଧୁନିକ ପ୍ରଣାଳୀର ଏଲ.ଏଚ.ବି. କୋଚ ନିରାପତ୍ତା ଦୃଷ୍ଟିରୁ ଫଳପ୍ରଦ ଅଟେ । ପୂର୍ବ ପ୍ରଚଳିତ କୋଚ ଅପେକ୍ଷା ଏହାର ଲମ୍ବା ଅଧିକ ଥିବାରୁ ଅଧିକ ବର୍ଥ କ୍ଷମତା ବୃଦ୍ଧି କରିଥାଏ । ଏହି ନୂତନ ପ୍ରଣାଳୀର କୋଚ୍ ଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ଅଟେ । ହୀରାଖଣ୍ଡ ଏକ୍ସପ୍ରେସ୍ ବର୍ତ୍ତମାନ ୧୨ କୋଚ୍ ଯଥା ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି ୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ମିଶ୍ରଣ ସହିତ ଏଲଏଚବି କୋଚ ସହିତ ଚଳାଚଳ କରିବ ।

Leave A Reply

Your email address will not be published.