Latest Odisha News

BREAKING NEWS

୧୭୫ ବର୍ଷର ଯାତ୍ରା, ତଥାପି କମିନି ‘ଖାକି’ର ଚମକ

ନୂଆଦିଲ୍ଲୀ: ଖାକି ଶବ୍ଦ ଶୁଣିବା କ୍ଷଣି ଆଖିଆଗରେ ଭାସି ଉଠେ ଭାରତୀୟ ପୋଲିସର ଚେହେରା  ।  କେହି କେହି ତ ପୋଲିସର ନାଁ ନ ଧରି  ଖାକି ବୋଲି ଡାକିଥାନ୍ତି । କାହିଁ କେଉଁ ଦିନରୁ ଏଇ ପୋଷାକରେ ଭାରତୀୟ ପୋଲିସ  ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି ।

୧୭୫ ବର୍ଷରେ ପହଞ୍ଚିଛି ଖାକି ।  ୧୮୫୧ରେ କର୍ଣ୍ଣାଟକରୁ ଏହାର ଆରମ୍ଭ ହୋଇଥିଲା ଖାକିର ଯାତ୍ରା । ଜନ ହାଲର ନାମକ ଜଣେ ଜର୍ମାନ ଟେକ୍ସଟାଇଲ ଇଞ୍ଜିନିୟର  ବାଲମପଟ୍ଟାରେ କପଡା ତିଆରି ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସେ ପ୍ରଥମେ କପଡାରେ ରଙ୍ଗ ଦେବାପାଇଁ ଖାକି ଡାଇ ବ୍ୟବହାର କରିଥିଲେ । ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଖାକିର ଯାତ୍ରା ବେଶ କୌତୁହଳପୂର୍ଣ୍ଣ ।

ଗବେଷକ ତଥା ପୁତ୍ତୁରସ୍ଥିତ ବିବେକାନନ୍ଦ କଲେଜର ପ୍ରିନ୍ସିପାଲ ଡକ୍ଟର ପିଟର ୱିଲସନ ପ୍ରଭାକରଙ୍କ କହିବା ଅନୁଯାୟୀ, ୧୮୫୧ରେ ହାଲରଙ୍କୁ ଫ୍ୟାକ୍ଟ୍ରିର ଇନଚାର୍ଜ ଦାୟିତ୍ୱ ଦିଆଯାଇଥିଲା । ସେଠାରେ ସେ ଖାକି ଡାଇ ଆବିଷ୍କାର କରିଥିଲେ ।  ୧୮୫୨ରେ ସେ ପ୍ରଥମେ ଖାକି କପଡା ତିଆରି କରିବା ଆରମ୍ଭ କରିଥିଲେ ।

ତେବେ କ’ଣ ଏହି ଖାକିର ଅର୍ଥ । ଖାକି ଏକ ଉର୍ଦ୍ଦୁ ଶବ୍ଦ ଯାହାର ଅର୍ଥ ଧୂଳିର ରଙ୍ଗ । ୧୮୪୮ରେ ଏହି ଶବ୍ଦକୁ ଅକ୍ସଫୋର୍ଡ ଡିକ୍ସନାରୀରେ ସାମିଲ କରାଯାଇଥିଲା । ଏହାର ୩ ବର୍ଷ ପରେ ଏହି ରଙ୍ଗ ପ୍ରସ୍ତୁତ ହୋଇଥିଲା । ହାଲର ପ୍ରଥମେ କାଜୁ ଖୋଳପାକୁ ବ୍ୟବହାର କରି ଏହି ରଙ୍ଗ ପ୍ରସ୍ତୁତ କରିଥିଲେ । ଏହା ପରେ ଖାକି ରଙ୍ଗ ଧୀରେ ଧୀରେ ତାର ପରିଚୟ ସୃଷ୍ଟ କଲା ଏବଂ ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା ।

ଏକ ତଥ୍ୟରୁ ଜଣାଯାଇଛି, ହାଲରଙ୍କର ଏହି ଖାକି ରଙ୍ଗ ମିଲିଟାରୀରେ ବ୍ୟବହାର କରାଯିବାରୁ ଖୁବ ଶୀଘ୍ର ଅଧିକ ଲୋକପ୍ରିୟ ହୋଇଗଲା । ତା’ ପରେ ତତ୍କାଳନୀ ମାଡ୍ରାସ ପ୍ରେସିଡେନ୍ସିର କେନରା ଜେଲରେ ଏହାକୁ ପୋଲିସ ୟୁନିଫର୍ମ ରଙ୍ଗ ଭାବେ ଗ୍ରହଣ କରାଗଲା । ଧୀରେ ଧୀରେ କାସରାଗୋଡ, ସାଉଥ କେନରା, ଉଡୁପି, ନର୍ଥ କେନରାରେ ଏହି ଖାକିକୁ ପୋଲିସ ୟୁନିଫର୍ମ ଭାବେ ବ୍ୟବହାର କରିଥିଲେ ।

କିଛି ଦିନ ପରେ ମାଡ୍ରାସ ପ୍ରେସିଡେନ୍ସିର ତତ୍କାଳୀନ ବ୍ରିଟିଶ ଗଭର୍ଣ୍ଣର ଲର୍ଡ ରବର୍ଟସ ଯେତେବେଳେ ଖାକି ବିଷୟରେ ଶୁଣିବାକୁ ପାଇଲେ ସେ ଏହା ବିଷୟରେ ଜାଣିବାକୁ ଚାହିଁଲେ । ଏପରି ସେ ବଲମଟ୍ଟା ସ୍ଥିତ ଉକ୍ତ ଫ୍ୟାକ୍ଟ୍ରି ଗସ୍ତ କରି ଖାକି କପଡା ଦେଖିଥିଲେ ।

ତାଙ୍କୁ ଏହି ରଙ୍ଗ ଏତେ ପସନ୍ଦ ଆସିଥିଲା ଯେ,  ସେ ବ୍ରିଟିଶ ସରକାରଙ୍କୁ ଅନୁରୋଧ କରିଥିଲେ ଖାକିକୁ ତାଙ୍କ ଆର୍ମିର ପୋଷାକ କରିବା ପାଇଁ  । ତାଙ୍କ ଅନୁରୋଧକୁ ଇଂଗ୍ରେଜ ସରକାର ମଧ୍ୟ ଗ୍ରହଣ କରି ନେଇଥିଲେ । ମାଡ୍ରାସ ପ୍ରେସିଡେନ୍ସି ପରି ଧୀରେ ଧରେ ସାରା ବିଶ୍ୱରେ ଯେଉଁଠି ଯେଉଁଠି ବ୍ରିଟିଶ ଉପନିବେଶ ରହିଛି ସେଠାରେ ସେନା  ପୋଷାକ ରଙ୍ଗ ହୋଇଗଲା ଖାକି ।  ସେନା ବ୍ୟତୀତ ଭାରତ ସରକାରକାରଙ୍କ ଅନେକ ବିଭାଗରେ ଜୁନିୟର ଲେବୁଲ ଷ୍ଟାଫମାନଙ୍କ ୟୁନିଫାର୍ମ ବି ଖାକି ରଙ୍ଗ ହୋଇଗଲା । ସେହିପରି ଭାରତୀୟ ଡାକ ଏବଂ ପବ୍ଲିକ ଟ୍ରାନ୍ସପୋର୍ଟ ୱାର୍କରଙ୍କ ୟୁନିଫର୍ମ ବି ଖାକି ରଙ୍ଗର ।

Leave A Reply

Your email address will not be published.