Latest Odisha News

BREAKING NEWS

ଅନାଲୋଚିତ କୀର୍ତ୍ତିରାଜି ବାଲିନଅରର ମୂକସାକ୍ଷୀ ସାଜିଛନ୍ତି ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର

ପୁରୀ : ପୁରୀର ଗଜପତି ମହାରାଜାଙ୍କ ‘ବାଲିନଅର’ ତଥା ‘ପୁରୁଣା ନଅର’ଏକ ଅନାଲୋଚିତ କୀର୍ତ୍ତିରାଜି ।  ପୋତାପୋତି ଓ ରାସ୍ତ ନିର୍ମାଣରେ ସବୁ କିଛି ଲୁଚି ଯାଉଛି ଆସନ୍ତୁ ଜାଣିବା ଏହାର ଐତିହ୍ୟ ସମ୍ପର୍କରେ । ବାବା ଅଷ୍ଟଶମ୍ଭୁ ଓ ମା’ଶ୍ୟାମାକାଳୀଙ୍କ ମନ୍ଦିର ଏହି ନହରର ମୂକସାକ୍ଷୀ । ଶ୍ରୀମନ୍ଦିର ଦକ୍ଷିଣ ଦିଗରେ ପ୍ରାୟ ୧କିଲୋମିଟର ଦୂର ବାଲିସାହିରେ ସ୍ଥିତ ଏହି ପ୍ରାଚୀନସ୍ଥଳୀ ।  ଏହି ପୀଠ ବର୍ତ୍ତମାନର ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ସମୟର ନଚେତ୍ ଆହୁରି ପୁରୁଣା । କାରଣ ଅଷ୍ଟଶମ୍ଭୁ ଓ ଅଷ୍ଟକାଳୀ ଏକ ପ୍ରାଚୀନ ଶୈବ ଧର୍ମର ପ୍ରତିଷ୍ଠିତ ଦେବତା । ତତ୍କାଳୀନ ପୁରୁଣା ନଅରସ୍ଥିତ ଦେବଦେବୀଙ୍କୁ ଗଜପତି ପୂଜା କରୁଥିଲେ ।

ଅଷ୍ଟଶମ୍ଭୁଙ୍କ ଏଭଳି କମନୀୟ ମୂର୍ତ୍ତି ଭାରତ ବର୍ଷରେ ବିରଳ । ବିଶ୍ୱାସ ରହିଛି ସୂର‌୍ୟ୍ୟକିରଣ ପ୍ରଭାବରେ ଶମ୍ଭୁଙ୍କ ଆଭା ବଦଳିଯାଏ । ସକାଳ, ମଧ୍ୟାହ୍ନ ଓ ଅପରାହ୍ନରେ ଶ୍ରୀଅଙ୍ଗର ରଙ୍ଗ ଓ କାନ୍ତିରେ ପରିବର୍ତ୍ତନ ଆସେ । ଶିବଲିଙ୍ଗରେ ନାଲି ଚନ୍ଦନ, ଧଳା ଓ କଳା ଚନ୍ଦନର ପ୍ରଲେପ ଦେଲାଭଳି ପ୍ରତୀୟମାନ ହୁଏ । ଏହା କିନ୍ତୁ ଠାକୁରଙ୍କ ପ୍ରାକୃତିକ ରଙ୍ଗ । ମଧ୍ୟ ଭାଗରେ ବିଜେ ହୋଇଥିବା ବୃହତ୍ତ ଧବଳ ଶିବଲିଙ୍ଗଙ୍କ ନାମ କୋଙ୍ଗଣେଶ୍ୱର । ଲୋକମୁଖରେ ଏବେ କୋକିଳେଶ୍ୱର ନାମରେ ପରିଚିତ । ଅନ୍ୟ ସାତ ଲିଙ୍ଗଙ୍କ ନାମ ପିଙ୍ଗଳେଶ୍ୱର, ତୁରେଶ୍ୱର, କପିଳେଶ୍ୱର, ମହେଶ୍ୱର, ନାଟକେଶ୍ୱର, ଅର୍ଦ୍ଧନାରୀଶ୍ୱର, ମହାରୁଦ୍ରେଶ୍ୱର । ଏହି ମନ୍ଦିର ପରିସରରେ ରାଧାକାନ୍ତଙ୍କ ମନ୍ଦିରରେ ରସିକରାଜ ରାଧାକାନ୍ତ, ଶ୍ରୀରାଧିକା, ଅଷ୍ଟସାକ୍ଷୀ, ଲକ୍ଷ୍ମୀନୃସିଂହ, ନୀଳମାଧବ, କନକଦୁର୍ଗା ଓ ମହାବୀରଙ୍କ ସମେତ ବହୁଦେବଦେବୀ ପୂଜା ପାଉଛନ୍ତି ।

ରାଜପରିବାର ଅଧିଷ୍ଠାତ୍ରୀ ଦେବୀ ଥିଲେ ମା’ଶ୍ୟାମାକାଳୀ ଠାକୁରାଣୀ । ଆଗେ  ଗଜପତି ଦର୍ଶନ ପାଇଁ ପୁରୁଣା ନଅରକୁ ଆସୁଥିଲେ । ଦୋଳପୂର୍ଣ୍ଣିମାରେ ଦୋଳବେଦିରେ ଶ୍ରୀରାଧାକୃଷ୍ଣ ରଙ୍ଗଖେଳ ସହ ଗଜପତିଙ୍କ ଜ୍ୟୋତିଷ ସେଠାରେ ନୂତନ ପାଞ୍ଜି ପଠନ କରିଥାନ୍ତି । ଏବେମଧ୍ୟ ନିଶ୍ଚିହ୍ନ ବାଲିନଅରର ପୂର୍ବଦ୍ୱାରରେ ମା’ମଙ୍ଗଳା, ଦକ୍ଷିଣରେ ମା’ସାଥୀଭଉଣୀ, ପଶ୍ଚିମରେ ମା’ରାବେଣୀ ଓ ଉତ୍ତରଦ୍ୱାରରେ ମା’ବାରାହୀ ପୂଜା ପାଉଛନ୍ତି । କିନ୍ତୁ ସେକାଳର ହନୁମାନ ଆଖଡ଼ା, ବେଣ୍ଟପୋଖରୀ, ଗଙ୍ଗାଯମୁନା କୁଣ୍ଡ, ଶ୍ୱେତମର୍ମର ଅଟ୍ଟାଳିକା, ସୁଡ଼ଙ୍ଗ ଓ ବାମ୍ପି ଆଦି ଲୁପ୍ତ । ଶ୍ରୀମନ୍ଦିର ଓ ବେଳାଭୂମିକୁ ସଂଯୋଗ କରୁଥିବା ରାସ୍ତାରେ ରହିଥିବା ବାଲିନଅର ଅଞ୍ଚଳକୁ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ ହୋଇପାରିଲେ ପୁରୁଣା ନଅରର ଐତିହ୍ୟ ରକ୍ଷା ସହ ପର‌୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ହୋଇପାରନ୍ତା ।

Leave A Reply

Your email address will not be published.