Latest Odisha News

BREAKING NEWS

ହାଇଟେକ ହସ୍ପିଟାଲ ଟ୍ରାଜେଡି: ମୃତଦେହ ପରିଚୟ ଦ୍ବନ୍ଦ ଦୂର ପାଇଁ ହେବ ଡିଏନଏ ଟେଷ୍ଟ

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଜ୍ୟୋତି ଓ ଦିଲୀପଙ୍କ ମୃତ୍ୟୁ କୁ ନେଇ ଏବେ ଅନେକ ଦ୍ବନ୍ଦ ଦେଖାଦେଇଛି । ଆଉ ସମସ୍ତ ଦ୍ବନ୍ଦ ଦୂର କରିବାକୁ ଡିଏନଏ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ୍‌ ଅଧିକାରୀ । ପ୍ରଥମେ ଦିଲୀପ ସାମନ୍ତରାୟ ଙ୍କ ମୃତ୍ୟୁ ହୋଇଥିବା ହାଇଟେକ ପକ୍ଷରୁ କୁହାଯାଇଥିବାବେଳେ, ପରବର୍ତ୍ତୀ ସମୟରେ ତାଙ୍କୁ ଜ୍ୟୋତି ରଞ୍ଜନ ମଲ୍ଲିକ ବୋଲି କୁହାଯାଇଥିଲା । ହେଲେ ସେ ଭେଣ୍ଟିଲେଟରରୁ ବାହାରି ନିଜକୁ ଦିଲୀପ ବୋଲି ପରିଚୟ ଦେଇଥିଲେ ।

ଏହାପରେ ଦିଲ୍ଲୀପ ଜୀବତ ଥିବା ନେଇ ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏବେ ହଠାତ୍ ଦିଲୀପଙ୍କ ମୃତ୍ୟୁ ହୋଇଥିବା ପୁଣି ହସ୍ପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏବେ ମୃତଦେହ କିଏ ନେବ ତାକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ଘଟଣାର ସମାଧାନ ପାଇଁ ମେଡିକାଲରେ ପହଞ୍ଚିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଏଥିସହ ଘଟଣାର ସମାଧାନ ପାଇଁ ଉଭୟଙ୍କ ପରିବାରବର୍ଗଙ୍କୁ ଡକାଯାଇଛି । ଯଦି ଉଭୟ ପରିବାରରେ ମୃତଦେହ କୁ ନେଇ କୌଣସି ସହମତି ନ ମିଳିପାରିଲା ତେବେ ମୃତଦେହର ଡିଏନଏ ଟେଷ୍ଟ ନିଶ୍ଚୟ ହେବ ବୋଲି ସେ କହିଛନ୍ତି ।

ଏଥିସହ ପୂର୍ବ ମୃତଦେହର ଭିସେରା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ଡିଏନଏ ଟେଷ୍ଟ କରାଯାଇ ପାରିବ ବୋଲି ସେ କହିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପାଇଁ ଯିବାବେଳେ ବ୍ୟବଚ୍ଛେଦ ରିପୋର୍ଟରେ ଉଭୟ ପରିବାରର ଦସ୍ତଖତ ରହିବ । ଏହାପରେ ବ୍ୟବଚ୍ଛେଦ ହେବ ତଥା ଏହା ଭିଡିଓଗ୍ରାଫି ମଧ୍ୟ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ତେବେ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ୍ ହସ୍ପିଟାଲ ଏସି କମ୍ପ୍ରେସର ମରାମତି କରୁଥିବା ସମୟରେ ହଠାତ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଯେଉଁଥିରେ ମୋଟ ୪ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ତୃତୀୟ ଗୁରୁତର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments are closed.