ମଜାରେ କରିଥିବା ଏକ ଭୁଲ୍ ପାଇଁ ଜଣେ ୧୮ ବର୍ଷର ଛାତ୍ରଙ୍କୁ ଜେଲ୍ ଯିବାକୁ ପଡ଼ିଛି। ପିଜା ଅର୍ଡର କରିବା ସମୟରେ ନିଜ ନାଁ ବଦଳରେ ଜର୍ମାନୀର କ୍ରୂର ସ୍ଵେଚ୍ଛାଚାରୀ ଶାସକ ‘ଆଡଲଫ୍ ହିଟଲର’ଙ୍କ ନାଁ ଲେଖିବା ଜଣେ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା। ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇବା ସହ ଏବେ କଲେଜରୁ ବହିଷ୍କାର ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି।
ଘଟଣାଟି ଘଟିଛି ରୁଷିଆର ନିଜନୀ ଟ୍ୟାଗିଲ୍ ସହରରେ। ଏଠାରେ ରହୁଥିବା ୧୮ ବର୍ଷର ଛାତ୍ର ଟିମୋଫେ ୱାଖୋନିନ୍ ଏକ ଶପିଂ ସେଣ୍ଟରରୁ ପିଜା ଅର୍ଡର କରୁଥିଲେ। କିନ୍ତୁ ଅର୍ଡର ବୁକ୍ କରିବା ସମୟରେ ସେ ନିଜର ପ୍ରକୃତ ନାଁ ଲେଖିବା ବଦଳରେ, ମଜା କରିବାକୁ ଯାଇ ଲେଖିଦେଇଥିଲେ ‘ଆଡଲଫ୍ ହିଟଲର’। ଏହି କଥା ପ୍ରଘଟ ହେବା ମାତ୍ରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ସକ୍ରିୟ ହୋଇଉଠିଥିଲା।
ଛାତ୍ରଙ୍କର ଏଭଳି ଆଚରଣକୁ ନାଜି ପ୍ରଚାର ଏବଂ ନାଜି ବିଚାରଧାରାର ପ୍ରୋତ୍ସାହନ ବୋଲି ଗ୍ରହଣ କରାଯାଇଛି। ରୁଷିଆର ଶାସକ ଦଳ ‘ୟୁନାଇଟେଡ୍ ରୁଷିଆ’ର ନେତା ଆଲେକ୍ସି ସ୍ଵାଲୋଭ୍ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ପୋଲିସ କଲେଜ କ୍ୟାମ୍ପସରେ ପହଞ୍ଚି ଉକ୍ତ ଛାତ୍ରଙ୍କୁ ହେପାଜତକୁ ନେଇଥିଲା।
ମାମଲା କୋର୍ଟକୁ ଯିବା ପରେ ବିଚାରପତି ଛାତ୍ରଙ୍କୁ ୫ ଦିନର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ପୋଲିସ ଜେରା ବେଳେ ଛାତ୍ରଜଣକ କାନ୍ଦି କାନ୍ଦି ନିଜର ଭୁଲ୍ ସ୍ଵୀକାର କରିଛନ୍ତି। ଯଦି ତାଙ୍କ କାର୍ଯ୍ୟ ଯୋଗୁଁ କାହାର ଭାବନା ଆହତ ହୋଇଛି, ସେଥିପାଇଁ ସେ କ୍ଷମା ମାଗିଛନ୍ତି। ତାଙ୍କ କହିବା କଥା ହେଲା, ଏହାର ଗମ୍ଭୀରତା ଏବଂ ଏହାର ଐତିହାସିକ ପରିଣାମ ବିଷୟରେ ତାଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା।
ତେବେ ତଦନ୍ତ ବେଳେ ପୋଲିସକୁ କିଛି ନୂଆ ତଥ୍ୟ ମଧ୍ୟ ମିଳିଛି। ସୂଚନା ଅନୁସାରେ, ଏହି ଛାତ୍ରଜଣକ କଲେଜରେ ନିଜ ଡେସ୍କ ଉପରେ କିଛି ପ୍ରତିବନ୍ଧିତ ନାଜି ଚିହ୍ନ ଆଙ୍କିଥିଲେ ଏବଂ ତାହାର ଫଟୋ ଅନଲାଇନ୍ ଚାଟ୍ ଗ୍ରୁପ୍ରେ ସେୟାର ମଧ୍ୟ କରିଥିଲେ। ଯାହା ତାଙ୍କ ପାଇଁ ସମସ୍ୟା ଆହୁରି ବଢ଼ାଇ ଦେଇଛି।
କେବଳ ଜେଲ୍ ଦଣ୍ଡ ନୁହେଁ, ଏବେ ସମ୍ପୃକ୍ତ କଲେଜ ପ୍ରଶାସନ ମଧ୍ୟ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ଏବଂ ତାଙ୍କୁ କଲେଜରୁ ବହିଷ୍କାର କରାଯାଇପାରେ। ଏହି ଘଟଣା ପ୍ରମାଣିତ କରୁଛି ଯେ, ରୁଷିଆ ସମେତ ବିଶ୍ଵର ଅନେକ ଦେଶରେ ନାଜି ପ୍ରତୀକ କିମ୍ବା ହିଟଲରଙ୍କ ଭଳି ବ୍ୟକ୍ତିତ୍ଵଙ୍କର ସାଧାରଣରେ ମହିମାମଣ୍ଡନ କରିବା ଏକ ଗମ୍ଭୀର ଆଇନଗତ ଅପରାଧ। ତେଣୁ ସୋସିଆଲ ମିଡିଆ ହେଉ କିମ୍ବା ବାହାରେ, ମଜାରେ ମଧ୍ୟ ଏଭଳି କାମ କରିବା ଆଦୌ ଉଚିତ୍ ନୁହେଁ।
Comments are closed.