Latest Odisha News

BREAKING NEWS

Rath Yatra 2026:ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ…ମଥାରେ ଝଟକିଲା ଟାହିଆ; ଆସନ୍ତାକାଲି ବାହାରିବ ପ୍ରଥମ ଆଡ଼ପ ଅବଢ଼ା

ପୁରୀ:ଭକ୍ତିମୟ ପରିବେଶରେ ଜନ୍ମବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଭକ୍ତଙ୍କ ଗହଣରେ ଶରଧାବାଲିରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋଟି ପହଣ୍ଡିରେ ଯାଇଛନ୍ତି ଚାରିଠାକୁର । ଶୁକ୍ରବାର ଶରଧାବାଲିରେ ତିନି ରଥ ପହଞ୍ଚିବା ପରେ ଆଜି ଆଡ଼ପ ମଣ୍ଡପେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶନିବାର ସମସ୍ତ ନୀତିକାନ୍ତି ପରେ ୭ଟା ପରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ରଥରୁ ପହଣ୍ଡି ବେଳେ ସଅଳ ସଅଳ ଆଗେଇ ଚାଲିଥିଲେ। ଭକ୍ତଙ୍କ ମେଳରେ ଦୁଇଦିନ ଲୀଳାଖେଳା କରିବା ପରେ ଭାଇଭଉଣୀଙ୍କ ସହ ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି।

ସୂଚନାଥାଉକି, ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା।

ପ୍ରଥମେ ଶ୍ରୀରାମ, ଶ୍ରୀକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ପରେ ପ୍ରଭୁ ସୁଦର୍ଶନ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଟାହିଆ ଲଗେଇ ଝୁଲିଝୁଲି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର। ପହଣ୍ଡି ପ୍ରାୟ ୮ଟାରେ ଆରମ୍ଭ ହୋଇଥିଲା। ରାତି ୧୦ଟା ୪୦ ସୁଦ୍ଧା ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚାଙ୍କ ମନ୍ଦିରରେ ପ୍ରବେଶ କରିସାରିଥିଲେ।

ଭକ୍ତମାନେ ଆସନ୍ତାକାଲି (ରବିବାର) ଠାରୁ ଆଡ଼ପ ମଣ୍ଡପରେ ଦର୍ଶନ କରିବେ । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସହିତ ସୁଆର ମହାସୁଆର ନିଯୋଗ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି ଦିନ ୨ ଟା ୩୦ ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପରେ ପ୍ରଥମ ଆଡ଼ପ ଅବଢ଼ା ବାହାରିବ। ୫୦ ହଜାର ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି। ୨୪୦ ଟି ଚୁଲିରେ ଆଡ଼ପ ଅବଢ଼ା ପ୍ରସ୍ତୁତ ହେବ।

ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ବୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି ଶାସ୍ତ୍ର ବିଦିତ। ଏଥିପାଇଁ ରଥାଯାତ୍ରାରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟିବ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

Leave A Reply

Your email address will not be published.