ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଭିତରେ ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କଲା ଭାରତ । ଅପରେସନ୍ ସିନ୍ଦୂରରେ ଆତଙ୍କୀ ଠିକଣାରେ କଲା ଏୟାରଷ୍ଟ୍ରାଇକ୍ । ଏହାପରେ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଯୁଦ୍ଧ ଭଳି ସ୍ଥିତି ଦେଖା ଦେଇଥିଲା । ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମକୁ ବିଫଳ କରିବା ସହ ଅନେକ ଏୟାରବେସରେ କ୍ଷୟକ୍ଷତି କରିଥିଲା ଭାରତ । ଫଳରେ ପାକିସ୍ତାନ ଶାନ୍ତି ପାଇଁ ନିବେଦନ କରିବାକୁ ବାଧ୍ୟ ହୋଇଥିଲା । ଭାରତ ପାକିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଥିବା ଆଧୁନିକ ଯୁଦ୍ଧ କ୍ଷେତ୍ରରେ ବିଶ୍ବର ଜଣାଶୁଣା ନାଁ କୁହାଯାଉଥିବା ଜନ୍ ସ୍ପେନସର କହିଛନ୍ତି । ତେବେ ପାକିସ୍ତାନ ମାତ୍ ଖାଇବା ସହ ମଳିନ ପଡିଛି ଚୀନର ଛବି ।
ପାକିସ୍ତାନର ପରାଜୟ…ଚୀନ୍ ଛବି ମଳିନ
ଭାରତଠାରୁ ଲଜ୍ଜାଜନକ ଭାବେ ପାକିସ୍ତାନ ହାରିଥିବା ବେଳେ ଚୀନର ଛବି ମଧ୍ୟ ମଳିନ କରିଛି । କାରଣ ଚୀନ୍ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନକୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ପାକିସ୍ତାନ ପ୍ରାୟ ୮୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚୀନରୁ ଆମଦାନୀ କରେ । ତେଣୁ ଭାରତ ଓ ପାକିସ୍ତାନ ବିବାଦ ଚୀନର ଅସ୍ତ୍ରଶସ୍ତ୍ର ରପ୍ତାନୀ ଉପରେ ବଡ଼ ପ୍ରଭାବ ପକାଇବ । ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା ଏସଆଇପିଆରଆଇ ତଥ୍ୟ ଅନୁସାରେ, ୨୦୨୦ରୁ ୨୦୨୪ ମଧ୍ୟରେ ବିଶ୍ବ ଅସ୍ତଶସ୍ତ୍ର ରପ୍ତାନୀର ୫.୯ପ୍ରତିଶତ ଚୀନ କରିଥିଲା । ବିଶ୍ବରେ ଚୀନ୍ ଅସ୍ତ୍ରଶସ୍ତ୍ର ରପ୍ତାନୀ ବଢାଇବାକୁ ଚାହୁଁଥିବା ବେଳେ ରାଜନୈତିକ କାରଣରୁ ଚୀନଠାରୁ ହତିଆର କିଣିବାକୁ ଚାହୁଁନାହାନ୍ତି ଅନେକ ଦେଶ । ୨୦୨୦ରୁ ୨୦୨୪ମଧ୍ୟରେ ଚୀନ୍ ୪୪ଟି ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ବେଳେ ୬୩ପ୍ରତିଶତ ହତିଆର କେବଳ ପାକିସ୍ତାନକୁ ଯାଇଥିଲା । ଚୀନ୍ ହତିଆର ଫେଲ୍ ମାରିବା ପରେ କୁହାଯାଉଛି, ଚୀନ୍ ପାକିସ୍ତାନକୁ ନିମ୍ନମାନର ଅସ୍ତ୍ର ଯୋଗାଇଥିଲା କିମ୍ବା ଚୀନ୍ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତର ସ୍ବଦେଶୀ ହତିଆର ବା ଋଷ, ଇସ୍ରାଏଲଠାରୁ ଅଣାଯାଇଥିବା ହତିଆର ତୁଳନାରେ ନିମ୍ନମାନର ।
ଭାଙ୍ଗିଯିବ ଡ୍ରାଗନର ସ୍ବପ୍ନ !
ବିଶ୍ବରେ ପ୍ରମୁଖ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶ ହେବାକୁ ସ୍ବପ୍ନ ଦେଖୁଥିବା ଚୀନକୁ ଝଟକା ଦେଉଛି ଭାରତ-ପାକିସ୍ତାନ ବିବାଦ । କାରଣ ପାକିସ୍ତାନରେ ଚୀନ୍ ନିର୍ମିତ ହତିଆର ଫେଲ୍ ମାରିବା ପରେ ବିଶ୍ବର ବିଭିନ୍ନ ଦେଶ ଅସ୍ତ୍ରଶସ୍ତ୍ର ବାଣିଜ୍ୟରେ ଯାଞ୍ଚ କରୁଛନ୍ତି । ଅସ୍ତ୍ରଶସ୍ତ୍ର ରପ୍ତାନୀ କ୍ଷେତ୍ରରେ ପଶ୍ଚିମ ଦେଶ ଓ ଋଷର ବିଶ୍ବାସନୀୟ ବିକଳ୍ପ ଭାବେ ନିଜକୁ ଉପସ୍ଥାପନ କରିବାକୁ ଚାହୁଁଥିବା ଚୀନକୁ ବଡ ଝଟକା ଲାଗିଛି । ଚୀନ୍ ନିର୍ମିତ ଅସ୍ତ୍ରଶସ୍ତ୍ରର ସାମରିକ ଟେକ୍ନୋଲୋଜି ଓ ନିର୍ଭରଶୀଳତାକୁ ନେଇ ପ୍ରଶ୍ନ ଉଠିଛି । ପିଏଲ୍-୧୫ର ବିଫଳତା ହେଉ କି ଏଚକ୍ୟୁ-୯ ପ୍ରତିରକ୍ଷା ପ୍ରଣାଳୀ ଫେଲ୍ ମାରିବା, ଚୀନ୍ ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଥିବା ଦେଶଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ସେହିପରି ଜେ-୧୦ସି ବିମାନ ଭାରତର ରାଫେଲକୁ ଖସାଇ ଦେଇଥିବା ପାକିସ୍ତାନ ମିଛ ଦାବି କରିଥିଲା । ତେବେ ଏହାର ପ୍ରମାଣ ସ୍ବରୂପ କୌଣସି ଭିଡିଓ କି ସାଟେଲାଇଟ୍ ଇମେଜ ଦେଖାଇ ପାରିନଥିଲା ।
ଗତ ଦୁଇ ଦଶନ୍ଧି ଧରି ଚୀନ୍ ବିଶ୍ବ ଅସ୍ତ୍ରଶସ୍ତ୍ର ବଜାରରେ ନିଜ ସ୍ଥିତି ମଜବୁତ କରିଛି । ଆମେରିକା, ଋଷ, ଫ୍ରାନ୍ସ ପରେ ଚତୁର୍ଥ ଅସ୍ତ୍ରଶସ୍ତ୍ର ରପ୍ତାନୀକାରୀ ଦେଶ ପାଲଟିଛି ଚୀନ୍ । ଏସିଆ, ଆଫ୍ରିକା ଓ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଚୀନ୍ ଏବେ ନିଜ ନିର୍ମିତ ହତିଆରର ଗୁଣବତ୍ତା ତଥା କାର୍ଯ୍ୟଦକ୍ଷତାକୁ ନେଇ ଚ୍ୟାଲେଞ୍ଜର ସାମନା କରିବ । ୨୦୨୩ରେ ଚୀନ ନିର୍ମିତ ଅସ୍ତ୍ରଶସ୍ତ୍ର ନିମ୍ନ ମାନର, ଦୁର୍ବଳ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଡ୍ରାଗନର ରପ୍ତାନୀ ବାଧାପ୍ରାପ୍ତ ହୋଇଥିଲା । ବୈଷୟିକ ସମସ୍ୟା ଯୋଗୁଁ ମିଆଁମାର ଚୀନଠାରୁ କିଣିଥିବା ଜେଟକୁ ଗ୍ରାଉଣ୍ଡେଡ୍ କରିଥିଲା । ସେହିପରି ରକ୍ଷଣାବେକ୍ଷଣ ସମସ୍ୟା ଯୋଗୁଁ ନାଇଜେରିଆ ୯ଟି ଚେଙ୍ଗଡୁ ଏଫ୍-୭ ଯୁଦ୍ଧବିମାନ ମଧ୍ୟରୁ ୭ଟିକୁ ଚୀନ୍ ପଠାଇଥିଲା । ଚୀନର ବନ୍ଧୁ ପାକିସ୍ତାନ ମଧ୍ୟ ଚୀନ୍ ନିର୍ମିତ ନୌସେନା ଯୁଦ୍ଧ ଜାହାଜରେ ସମସ୍ୟାର ସାମନା କରିଥିଲା । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଚୀନ ହତିଆରର ବିଶ୍ବାସନୀୟତା ଉପରେ ପ୍ରଶ୍ନବାଚୀ ଲଗାଇଛି ।
Comments are closed.