ନୂଆଦିଲ୍ଲୀ: ବିବାହ କରିବାକୁ ଚାହୁଁନାହାନ୍ତି ଚୀନର ଯୁବକ ଯୁବତୀ । ୨୦୨୪ରେ ବିବାହ ହାର ସବୁଠୁ ତଳକୁ ଖସିଛି । ବିବାହ ପାଇଁ ପ୍ରୋତ୍ସାହିତ କରିବାକୁ ଚୀନ୍ ସରକାର ଅର୍ଥ ରାଶି ସହାୟତା ଦେଉଥିଲେ ମଧ୍ୟ ବିବାହ ହାର ବର୍ଷକୁ ବର୍ଷ କମିବାରେ ଲାଗିଛି । ଗତବର୍ଷ ୬୦ଲକ୍ଷ ବିବାହ ହୋଇଛି, ଯାହା ୨୦୨୩ ତୁଳନାରେ ୨୦ପ୍ରତିଶତ କମ । ଚୀନରେ ଲଗାତର ବିବାହ ହାର କମୁଥିବା ବେଳେ ବିବାହ ବିଚ୍ଛେଦ ବଢିବାରେ ଲାଗିଛି । ଏହାଦ୍ବାରା ସନ୍ତାନ ଜନ୍ମ ହାର କମୁଥିବା ବେଳେ ବୟସ୍କଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳରେ ଦେଶର ବିଭିନ୍ନ କ୍ଷେତ୍ରରେ ମାନବସମ୍ବଳ କମିବା ଆଶଙ୍କା ଦେଖାଦେଇଛି । ଯାହା ଚୀନର ଅର୍ଥନୀତି ଉପରେ ପ୍ରତିକୁଳ ପ୍ରଭାବ ପକାଇପାରେ ।
କମୁଛି ବିବାହ ବଢୁଛି ବିଚ୍ଛେଦ
ଚୀନ ସରକାର ବିବାହ କରିବାକୁ ଅର୍ଥ ରାଶି ସହାୟତା ଦେଉଛନ୍ତି । ହେଲେ ବି ବାହା ହେବାକୁ ଚାହୁଁନାହାନ୍ତି ଯୁବକ ଯୁବତୀ । କରୋନା କଟକଣା ହଟାଇବା ପରେ ୨୦୨୩ରେ ବିବାହ ହାର କିଛି ପରିମାଣରେ ବଢିଥିଲା । ତେବେ ୨୦୨୪ରେ ଏହା ପୁଣି ତଳକୁ ଖସିଯାଇଛି । ୨୦୧୩ ତୁଳନାରେ ୨୦୨୪ରେ ୫୦ପ୍ରତିଶତରୁ କମ୍ ବିବାହ ହୋଇଛି । ୨୦୧୩ରେ ଚୀନରେ ୧କୋଟି ୩୦ଲକ୍ଷ ବିବାହ ହୋଇଥିବା ବେଳେ ୨୦୨୪ରେ ୬୦ଲକ୍ଷ ବିବାହ ହୋଇଛି । ସେପଟେ ବିବାହ ବିଚ୍ଛେଦ ବଢିବାରେ ଲାଗିଛି । ଗତବର୍ଷ ୨୬ଲକ୍ଷ ଦମ୍ପତି ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ୨୦୨୩ ତୁଳନାରେ ଏହା ୨୮ହଜାର ଅଧିକ ରହିଛି ।
କାହିଁକି ବିବାହକୁ ନା ?
ଚୀନରେ ସରକାରୀ ପ୍ରୋତ୍ସାହନ ସତ୍ତ୍ବେ କାହିଁକି ବିବାହ କରିବାକୁ ଚାହୁଁନାହାନ୍ତି ସେଠାକାର ଯୁବକ ଯୁବତୀ? ଏହାପଛରେ ସବୁଠୁ ବଡ଼ କାରଣ କାମର ଅତିରିକ୍ତ ଚାପ ବୋଲି କୁହାଯାଉଛି । ଅଫିସରେ ଅଧିକ ସମୟ କାମ କରିବା ଯୋଗୁଁ ପରିବାର ପାଇଁ ସମୟ କାଢିବା ସମ୍ଭବ ମନେ କରୁନାହାନ୍ତି ଚୀନ୍ ଯୁବକ । ଏହାସହ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ବେରୋଜଗାର ହେବା ଭୟ ବି ଘାରୁଛି। କୌଣସି କାରଣରୁ ଚାକିରି ଗଲେ ପରିବାର କେମିତି ଚଳାଇବେ ସେ ଚିନ୍ତାରେ ବିବାହ କରିବାକୁ ଚାହୁଁନାହାନ୍ତି । ଚୀନରେ ମହଙ୍ଗା ମାଡ଼ ସାଙ୍ଗକୁ ଲୋକଙ୍କୁ ଚାକିରି ମିଳିବାରେ ସମସ୍ୟା ହେଉଛି । ତେଣୁ ଦୁଇ ଜଣଙ୍କ ଜାଗାରେ ଜଣଙ୍କ ଖର୍ଚ୍ଚ ଉଠାଇବାକୁ ଠିକ୍ ଭାବୁଛନ୍ତି ଚୀନର ଯୁବକ ଓ ଯୁବତୀ ।
କାହିଁକି ବିବାହ କମିବା ବଢାଇଛି ଚିନ୍ତା?
୧୯୮୦ରୁ ୨୦୧୫ମଧ୍ୟରେ ଚୀନର ଗୋଟିଏ ସନ୍ତାନ ପଲିସି ସହ ସହରୀକରଣ ପାଇଁ ଦେଶର ଜନସଂଖ୍ୟା କମିଛି । ପରେ ବିବାହ କମିବା ଜନସଂଖ୍ୟାକୁ ପ୍ରଭାବିତ କରିଛି । ୨୦୧୬ରେ ୧କୋଟି ୮୦ ଲକ୍ଷ ପିଲା ଜନ୍ମ ହୋଇଥିବା ବେଳେ୨୦୨୪ରେ ୯୫ଲକ୍ଷ ପିଲା ଜନ୍ମ ହୋଇଛନ୍ତି । ଅର୍ଥାତ ୮ବର୍ଷ ମଧ୍ୟରେ ସନ୍ତାନ ଜନ୍ମହାର ପ୍ରାୟ ୫୦ପ୍ରତିଶତ କମିଛି । ସେପଟେ ୧୬ରୁ ୫୯ବର୍ଷ ବୟସ ସୀମା ମଧ୍ୟରେ ରହିଥିବା ଜନସଂଖ୍ୟା ଗତବର୍ଷ ୬୮ଲକ୍ଷ ହ୍ରାସ ପାଇଛି । ସେହିପରି ୬୦ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ୨୨ପ୍ରତିଶତକୁ ବଢିଛି । ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡିବା ନେଇ ଆଶଙ୍କା କରାଯାଉଛି ।
ଚୀନରେ ବିବାହ କମୁଥିବା ବେଳେ ଗରିବ ଲୋକଙ୍କୁ ବିବାହ ପାଇଁ ପ୍ରୋତ୍ସାହିତ କରିବାକୁ ସରକାର ଆର୍ଥିକ ସହାୟତା ଦେବାଠାରୁ ଆରମ୍ଭ କରି ଗଣ ବିବାହ ପରି ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି । ତେବେ ଏହାର ପ୍ରଭାବ ସେଭଳି ଦେଖିବାକୁ ମିଳୁନି । ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ମହଙ୍ଗା ମାଡ ପାଇଁ ଯୁବକ ଯୁବତୀ ବିବାହ କରିବାକୁ ଚାହୁଁନାହାନ୍ତି । ତେବେ ଭାରତରେ ସଂପୂର୍ଣ୍ଣ ଭିନ୍ନ ସ୍ଥିତି ଦେଖିବାକୁ ମିଳୁଛି । ଦେଶରେ ବର୍ଷକୁ ପ୍ରାୟ ୧କୋଟି ବିବାହ ଆୟୋଜନ ହେଉଛି । ବାହାଘରରେ ହାରାହାରି ଖର୍ଚ୍ଚ ୧୨ଲକ୍ଷ ଟଙ୍କା ରହିଥିବା ବେଳେ ଋଣ କରି ଦେଶରେ ବାହାଘର ଆୟୋଜନ କରୁଛନ୍ତି ଲୋକ । ଯେବେକି ଚୀନରେ ଟଙ୍କା ନେଇ ବି ବିବାହ କରିବାକୁ ଚାହୁଁନାହାନ୍ତି ଯୁବକ ଯୁବତୀ ।
Comments are closed.